ନୂଆଦିଲ୍ଲୀ: ପ୍ରତିଦିନ ଗୋଟିଏ ପରେ ଗୋଟିଏ ଋଣ ଠକେଇ ସାମ୍ନାକୁ ଆସୁଛି। ପିଏନ୍ବି ଠକେଇ, ରୋଟୋମ୍ୟାକ୍ ଠକେଇ ପରେ ଗତକାଲି ଚେନ୍ନାଇର କନିଷ୍କ ଗୋଲ୍ଡ କରିଥିବା ଋଣ ଠକେଇ ସାମ୍ନାକୁ ଆସିଥିଲା। ଆଜି ହାଇଦ୍ରାବାଦର ଏକ ନିର୍ମାଣ କଂପାନି ବିରୋଧରେ ଋଣ ଠକେଇ ଅଭିଯୋଗ ହୋଇଛି। ସେହି କଂପାନିର ନାମ ହେଉଛି ଟୋଟେମ୍ ଇନ୍ଫ୍ରାଷ୍ଟ୍ରକ୍ଚର୍ ଲିମିଟେଡ୍। ମୋଟ ଆଠଟି ବ୍ୟାଙ୍କଠାରୁ ଏହି ସଂସ୍ଥା ୧୩୯୪ କୋଟି ଟଙ୍କାର ଠକି ନେଇଛି। ଏହି ସଂସ୍ଥା ବଡ଼ ବଡ଼ ଭିତ୍ତିଭୂମି ନିର୍ମାଣକାରୀ କଂପାନିଗୁଡ଼ିକ ପାଇଁ ଠିକା ସଂସ୍ଥା ଭାବେ କାମ କରୁଥିଲା। ସିବିଆଇ ପକ୍ଷରୁ ଏହାର ଦୁଇ ଜଣ ପ୍ରମୋଟର ଟୋଟେମ୍ପୁଡି ସାଲାଲିଥ୍ ଓ ଟୋଟେମ୍ପୁଡି କବିତାଙ୍କ ବିରୋଧରେ ଏଫ୍ଆଇଆର୍ ଦାୟର କରାଯାଇଛି। ଏହି କଂପାନି ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ନେତୃତ୍ୱରେ ଆଠଟି ବ୍ୟାଙ୍କଠାରୁ ଋଣ ନେଇଥିଲା। କିନ୍ତୁ ତାହାକୁ ପରିଶୋଧ କରୁନାହିଁ। ତେଣୁ ଏହି ସବୁ ବ୍ୟାଙ୍କ ପକ୍ଷରୁ ସିବିଆଇରେ କଂପାନି ବିରୋଧରେ ଅଭିଯୋଗ ଦାୟର କରାଯାଇଥିଲା। ଆୟକର ବିଭାଗ ପକ୍ଷରୁ ୨୦୧୫ରେ ଦେଶର ବଡ଼ ଟିକସ ଖିଲାପକାରୀଙ୍କ ଯେଉଁ ତାଲିକା ପ୍ରସ୍ତୁତ କରାଯାଇଥିଲା, ସେଥିରେ ଏହି କଂପାନିର ନାମ ରହିଥିଲା। ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ କଂପାନିର ପ୍ରମୋଟରମାନେ ନିରୁଦ୍ଦିଷ୍ଟ ରହିଛନ୍ତି। କିନ୍ତୁ ସିବିଆଇ ପକ୍ଷରୁ ନୂଆ ବାସଗୃହରେ ସେମାନଙ୍କୁ ଠାବ କରାଯିବା ସହିତ ଚଢ଼ଉ ମଧ୍ୟ କରାଯାଇଛି। ପ୍ରମୋଟରମାନଙ୍କ ବିରୋଧରେ ସିବିଆଇ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଛି। ସେମାନଙ୍କ ବିଦେଶ ପଳାଇବା ଉପରେ ରୋକ ଲଗାଇବା ପାଇଁ ଏହି ସର୍କୁଲାର୍ ଜାରି କରାଯାଇଛି।
ପୁଣି ୧୩୯୪ କୋଟିର ଋଣ ଠକେଇ
/sambad/media/post_attachments/wp-content/uploads/2018/03/download-63.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)