ପୁଣି ୩୦୦୦ କୋଟିର ଋଣ ଠକେଇ

ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର ସିଇଓ, ଇଡି ଗିରଫ

ମୁମ୍ବାଇ: ପୁଣି ଏକ ୩୦୦୦ କୋଟି ଟଙ୍କାର ଋଣ ଠକେଇ ସାମ୍ନାକୁ ଆସିଛି। ଏହି ମାମଲାରେ ପୁନେର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ବ୍ୟାଙ୍କର ଅଫ୍‌ ମହାରାଷ୍ଟ୍ରର ଏମ୍‌ଡି ଓ ସିଇଓ ରବିନ୍ଦ୍ର ମରାଠେଙ୍କୁ ଗିରଫ କରାଯାଇଛି। ବ୍ୟାଙ୍କର ଇଡି ଆର୍‌ କେ ଗୁପ୍ତା ଓ ପୂର୍ବତନ ସିଏମ୍‌ଡି ସୁନୀଲ ମନ୍‌ହୋଟ୍‌ଙ୍କୁ ମଧ୍ୟ ଗିରଫ କରାଯାଇଥିବା ଜଣାପଡ଼ିଛି। ଏହି ସମସ୍ତ ବ୍ୟକ୍ତି ଡିଏସ୍‌କେ ଗ୍ରୁପ୍‌ ସହିତ ମିଶି ୩୦୦୦ କୋଟି ଟଙ୍କାର ଋଣ ଜାଲିଆତି କରିଥଇଲେ। ବେଆଇନ କାରବାର କରି ଋଣ ମଞ୍ଜୁର କରାଇଥିଲେ ଓ ପରବର୍ତି ସମୟରେ ସବୁ ଟଙ୍କା ଆତ୍ମସାତ କରିଥିଲେ। ସମସ୍ତଙ୍କ ବିରୋଧରେ ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଓ ଅପରାଧିକ ବିଶ୍ୱାସ ଭଙ୍ଗକୁ ନେଇ ମାମଲା ରୁଜୁ କରାଯାଇଛି। ପୁନେର ଏକ ବିଲଡର୍‌ ସଂସ୍ଥା ହେଉଛି ଡିଏସ୍‌କେ ଗ୍ରୁପ୍‌। ଚାରି ହଜାର ନିବେଶକଙ୍କୁ ଠକିବା ଓ ୨୮୯୨ କୋଟି ଟଙ୍କାର ଋଣ ଅର୍ଥକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଅଭିଯୋଗରେ ଚଳିତ ବର୍ଷ ଫେବ୍ରୁଆରିରେ କଂପାନିର ମୁଖ୍ୟ ଡିଏସ୍‌ କୁଲକର୍ଣ୍ଣି ଓ ତାଙ୍କ ପତ୍ନୀ ହେମନତିଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ୟେରଓ୍ଵାଡ଼ା ଜେଲ୍‌ରେ ରଖାଯାଇଛି। ତାଙ୍କୁ ପୁଅ ଶିରିଶ କୁଲକର୍ଣ୍ଣିଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଥିଲା। ପୁନେ ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ କୁହାଯାଇଛି ଯେ ଗିରଫ ହୋଇଥିବା ବରିଷ୍ଠ ବ୍ୟାଙ୍କ ଅଧିକାରୀମାନେ ନିଜର ପଦ ଓ ମର୍ଯ୍ୟାଦାର ଅପବ୍ୟବହାର କରି ଓ ମନ୍ଦ ଉଦ୍ଦେଶ୍ୟ ରଖି ଋଣ ମଞ୍ଜୁର କରାଇଥିଲେ। ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର କିଛି ପୂର୍ବତନ ଓ ବର୍ତ୍ତମାନର ଅଧିକାରୀଙ୍କ ବ୍ୟତୀତ ଡିଏସ୍‌ ଗ୍ରୁପ୍‌ର ସିଏ ସୁନୀଲ ଦେଶପାଣ୍ଡେ ଓ ଇଞ୍ଜିନିୟରିଂ ବିଭାଗର ଉପାଧ୍ୟକ୍ଷ ରାଜୀବ ନେଓ୍ଵାସ୍କରଙ୍କ ସମେତ ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ରର ଜଣେ ମହାପ୍ରବନ୍ଧକ ନିତ୍ୟାନନ୍ଦ ଦେଶପାଣ୍ଡେଙ୍କୁ ମଧ୍ୟ ଗିରଫ କରାଯାଇଛି।

ଉଲ୍ଲେଖଯୋଗ୍ୟ, ନିବେଶକଙ୍କୁ ଠକିବା ମାମଲାରେ ଡିଏସ୍‌କେ ଗ୍ରୁପ୍‌ର ୧୨୪ଟି ସମ୍ପତ୍ତି, ୨୭୬ଟି ବ୍ୟାଙ୍କ ଖାତା ଓ ୪୬ଟି ଗାଡ଼ି ଜବତ କରିବାକୁ ମହାରାଷ୍ଟ୍ର ସରକାର ଗତମାସରେ ବିଜ୍ଞପ୍ତି ଜାରି ରଖିଥିଲେ। ଚଳିତ ବର୍ଷ ମେ’ ମାସରେ ଡିଏସ୍‌କେ ଠକେଇ ଉପରେ ପୁନେର ଅର୍ଥନୈତିକ ଅପରାଧ ଶାଖା ପକ୍ଷରୁ ଏକ ସ୍ୱତନ୍ତ୍ର ଅଦାଲତରେ ୩୬,୮୭୫ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

ସମ୍ବନ୍ଧିତ ଖବର