ପୁଣି ୩୩୦୦ କୋଟିର ଋଣ ଠକେଇ!

ନୂଆଦିଲ୍ଲୀ: ବିଜୟ ମାଲ୍ୟା‌ ଓ ନିରବ ମୋଦୀଙ୍କ ଭଳି ଆଉ ଜଣେ ଶିଳ୍ପପତି ବଡ଼ ଧରଣର ଋଣ ଠକେଇ କରିଛନ୍ତି। ‌ସେ ହେଉଛନ୍ତି ଦିଘି ପୋର୍ଟର ମୁଖ୍ୟ ବିଜୟ ଗୋବର୍ଦ୍ଧନଦାସ କାଲାନ୍ତ୍ରି। ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ନେତୃତ୍ବରେ ୧୬ଟି ବ୍ୟାଙ୍କକୁ ନେଇ ଗଠନ କରାଯାଇଥିବା ଏକ କନ୍‌ସୋର୍ଟିୟମ୍‌ରୁ ସେ ୩,୩୩୪ କୋଟି ଟଙ୍କାର ଋଣ ନେଇଥିଲେ। ତାହାକୁ ପରିଶୋଧ କରୁନାହାନ୍ତି। ବିଓବି ତରଫରୁ ତାଙ୍କୁ ‘ଉଦ୍ଦେଶ୍ୟମୂଳକ ଋଣ ଖିଲାପୀ ବା ୱିଲ୍‌ଫୁଲ୍ ଡିଫଲ୍‌ଟର’ ଘୋଷଣା କରାଯାଇଛି। ମୁମ୍ବାଇର ସମ୍ବାଦପତ୍ରରେ ସର୍ବସାଧାରଣଙ୍କ ପାଇଁ ନୋଟିସ୍‌ ଜାରି କରି ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ଦିଘି ପୋର୍ଟର ମୁଖ୍ୟ ବିଜୟ ଓ ତାଙ୍କ ପୁଅ ବିଶାଲ ବିଜୟ କାଲାନ୍ତ୍ରିଙ୍କୁ ଉଦ୍ଦେଶ୍ୟମୂଳକ ଖିଲାପୀ ଘୋଷଣା କରାଯାଇଛି। ବ୍ୟାଙ୍କ ପକ୍ଷରୁ ଉଭୟ ବିଜୟ ଓ ବିଶାଲଙ୍କୁ ଏହି ନିଷ୍ପତ୍ତି ବିଷୟରେ ଅବଗତ ମଧ୍ୟ କରାଯାଇଛି। ଭାରତୀୟ ରିଜର୍ଭ ବ୍ୟା‌ଙ୍କ ଅନୁମତି ପ୍ରଦାନ କରିଥିବାରୁ ବ୍ୟାଙ୍କ ପକ୍ଷରୁ ଉଦ୍ଦେଶ୍ୟମୂଳକ ଖିଲାପୀଙ୍କ ଫଟୋ ସର୍ବସାଧାରଣରେ ଜାରି କରାଯାଇଛି। ମହାରାଷ୍ଟ୍ରରେ ଦିଘି ପୋର୍ଟ ବନ୍ଦର ନିର୍ମାଣ କରୁଛି। ପ୍ରତ୍ୟକ୍ଷ ବର୍ଥ ସୁବିଧା ଓ ଆଧୁନିକ ମାଲ ପରିଚାଳନା ବ୍ୟବସ୍ଥା ଥିବା ଏହା ସେହି ରାଜ୍ୟର ପ୍ରଥମ ଘରୋଇ ବନ୍ଦର। ୨୦୧୮ରେ ଜାତୀୟ କଂପାନି ଲ’ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି)ର ମୁମ୍ବାଇ ଖଣ୍ଡପୀଠ ଦିଘି ପୋର୍ଟର କର୍ପୋରେଟ୍ ଇନସଲ୍‌ଭେନ୍ସି ଆବେଦନକୁ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର