ପୁଣି ୩୮୦ କୋଟିର ଋଣ ଠକେଇ

ଗହଣା ସଂସ୍ଥାର ୩୭ ସମ୍ପତ୍ତି ଜବତ, ଜାଲ୍‌ କାଗଜପତ୍ର ଦେଇ ନେଇଥିଲା ଋଣ

ଚେନ୍ନାଇ: ପୁଣି ଏକ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ତାମିଲନାଡୁର ଚେନ୍ନାଇ ସହରର ଏକ ବଡ଼ ଗହଣା ପ୍ରତିଷ୍ଠାନ ଦ୍ୱାରା ଏହି ଠକେଇ କରାଯାଇଛି। ‘ନାଥେଲା ସମ୍ପତ୍‌ ଜୁଏଲାରି’ ନାମକ ଏହି ସଂସ୍ଥା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ନେତୃତ୍ୱରେ ଗଠିତ ହୋଇଥିବା ବିଭିନ୍ନ ବ୍ୟାଙ୍କର ଏକ କନ୍‌ସୋର୍ଟିୟମ୍‌ରୁ ୩୮୦ କୋଟି ଟଙ୍କାର ଋଣ ନେଇଥିଲା। କିନ୍ତୁ ପରବର୍ତୀ ସମୟରେ ତାହାକୁ ପରିଶୋଧ କରିନଥିଲା। ଋଣ ଅର୍ଥ ମିଳିବାରେ ବିଳମ୍ବ ହେବାରୁ ଷ୍ଟେଟ୍‌ ବ୍ୟାଙ୍କ ପକ୍ଷରୁ ଏହି ସଂସ୍ଥା ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରାଯାଇଥିଲା। ସିବିଆଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଚଳିତ ବର୍ଷ ଏପ୍ରିଲ୍‌ରେ ଇଡି ପକ୍ଷରୁ କଂପାନି ବିରୋଧରେ ଏକ ମନି ଲଣ୍ଡରିଂ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଥିଲା। ତଦନ୍ତ ବେଳେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଥିଲା। ଏହି ସଂସ୍ଥା ଭୁଲ କାଗଜପତ୍ର ଦାଖଲ କରି ବ୍ୟାଙ୍କରୁ ଋଣ ନେଇଥିବା ସ୍ପଷ୍ଟ ହୋଇଥିଲା। ଋଣ ନେବା ବେଳେ କଂପାନି ଜଣାଇଥିଲା ଯେ ଆମର ବିକ୍ରି ପରିମାଣ ୧୫୧୭ କୋଟି ଟଙ୍କା ରହିଛି ଓ ଆମ ପାଖରେ ୪୯୫ କୋଟି ଟଙ୍କାର ଷ୍ଟକ୍‌ ଅଛି। କିନ୍ତୁ ତଦନ୍ତ ବେଳେ ଭିନ୍ନ ଚିତ୍ର ସାମ୍ନାକୁ ଆସିଥିଲା। ଋଣ ଆବେଦନ କରିବା ସମୟରେ ଏହି ସଂସ୍ଥାର ମୋଟ ବିକ୍ରି ୧୫୭ କୋଟି ଟଙ୍କା ଓ ଷ୍ଟକ୍‌ ପରିମାଣ ୩୧ କୋଟି ଟଙ୍କା ଥିଲା। ଆଜି ଇଡି ପକ୍ଷରୁ ଏହି ସଂସ୍ଥାର ପ୍ରମୋଟର ଓ ନିର୍ଦେଶକମାନଙ୍କ ୩୭ଟି ସମ୍ପତ୍ତିକୁୁ ଜବତ କରାଯାଇଛି। ସମ୍ପତ୍ତିଗୁଡ଼ିକର ମୂଲ୍ୟ ୩୨୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅପରାଧିକ ଉପାୟରେ ଏହି ସବୁ ସମ୍ପତ୍ତି ସୃଷ୍ଟି କରାଯାଇଛି ବୋଲି ଇଡି ପକ୍ଷରୁ କୁହାଯାଇଛି। କେବଳ ବ୍ୟାଙ୍କ ଠକେଇ ନୁହେଁ, ଏହି ସଂସ୍ଥା ଗ୍ରାହକଙ୍କ ମୂଲ୍ୟବାନ ଟଙ୍କାକୁ ମଧ୍ୟ ସୁନା ସ୍କିମ୍‌ ଜରିଆରେ ଠକି ନେଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର