ଧରାପଡ଼ିଲା ଆଉ ଏକ ବ୍ୟାଙ୍କ ଠକେଇ

ଓବିସିକୁ ୩୯୦ କୋଟି ଲୁଟିଛନ୍ତି ଦିଲ୍ଲୀର ହୀରା ବ୍ୟବସାୟୀ ଅଭିଯୋଗକୁ ୬ ମାସ ଚାପି ରଖିଥିଲା ସିବିଆଇ

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନିରବ ମୋଦିଙ୍କ ୧୧,୪୦୦ କୋଟି ଟଙ୍କାର ପିଏନ୍‌ବି ଠକେଇ ଘଟଣାକୁ ନେଇ ତଦନ୍ତକାରୀ ସଂସ୍ଥା ଗୁଡ଼ିକ ସେମାନଙ୍କ ତଦନ୍ତକୁ ଜୋରଦାର କରିଥିବାବେଳେ ଏବେ ଆଉ ଏକ ସମାନ ଧରଣର ବ୍ୟାଙ୍କ ଠକେଇ ପଦାକୁ ଆସିଛି। ଦିଲ୍ଲୀର କରୋଲବାଗ୍‌ ଅଂଚଳର ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାସନାଲ ନାମକ ଏକ ହୀରା, ସୁନା ଏବଂ ରୁପା ଗହଣା ବ୍ୟବସାୟ ପ୍ରତିଷ୍ଠାନ ନାମରେ ଏହି ଠକେଇ ଅଭିଯୋଗ ଆସିଛି। ଏହି ସଂସ୍ଥା ଓରିଏଣ୍ଟାଲ ବ୍ୟାଙ୍କ ଅଫ୍‌ କମର୍ସ(ଓବିସି)ର ଗ୍ରେଟର କୈଳାସ-୨ ଶାଖାରୁ ଫରେନ୍‌ ଲେଟର୍ସ ଅଫ୍‌ କ୍ରେଡିଟ୍‌(ଏଫ୍‌ଏଲ୍‌ସି), ଫରେନ୍‌ ଡକ୍ୟୁମେଣ୍ଟାରି ବିଲ୍‌ ପର୍ଚେଜ୍‌ ଓ ଅନ୍ୟାନ୍ୟ ବ୍ୟାଙ୍କ ଉପକରଣକୁ ବ୍ୟବହାର କରି ୩୮୯.୮୫ କୋଟି ଟଙ୍କା ଠକି ନେଇଯାଇଛି। ୨୦୦୭ରୁ ୨୦୯୧୨ ମସିହା ମଧ୍ୟରେ ଏହି ଜାଲିଆତି କରାଯାଇଛି। ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାସନାଲ୍‌ର ପରିଚାଳନା ସଭ୍ୟ ସେଠ୍‌ ଓ ରୀତା ସେଠ୍‌ଙ୍କ ହାତରେ ରହିଥିଲା। ଏମାନେ ପଞ୍ଜାବୀ ବାଗ୍‌ର ବାସିନ୍ଦା। ଏଥିସହିତ ସରାୟ କାଲେ ଖାଁର ବାସିନ୍ଦା କୃଷ୍ଣକୁମାର ସିଂହ ଏବଂ ଶିବ କୁମାର ସିଂହ ମଧ୍ୟ ଏହି କଂପାନି ସହିତ ଜଡ଼ିତ ରହିଛନ୍ତି। ସିବିଆଇ ଏହାର ଏଫ୍‌ଆଇଆର୍‌ରେ ଏ ସମସ୍ତ ବ୍ୟକ୍ତିଙ୍କ ନାମ ଉଲ୍ଲେଖ କରିଛି। ଓବିସି ପକ୍ଷରୁ ଏହା ଅଭିଯୋଗ କରାଯାଇଛି ଯେ ସଭ୍ୟ ସେଠ୍‌ ଓ କଂପାନିର ଅନ୍ୟ ନିର୍ଦେଶକମାନଙ୍କୁ ୧୦ ମାସ ଧରି ସେମାନଙ୍କ ଘରେ ପାଉନାହିଁ। ତେଣୁ ବ୍ୟାଙ୍କ ପକ୍ଷରୁ ସନ୍ଦେହ ବ୍ୟକ୍ତ କରାଯାଇଛି ଯେ, ସଭ୍ୟ ସେଠ୍‌ ମଧ୍ୟ ନିରବ ମୋଦି ଓ ବିଜୟ ମାଲ୍ୟାଙ୍କ ଭଳି ଦେଶ ଛାଡ଼ି ପଳାଇ ଯାଇଛନ୍ତି। ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓବିସି ପକ୍ଷରୁ ୨୦୧୭ ଅଗଷ୍ଟ ୧୬ରେ ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାସନାଲ୍‌ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରାଯାଇଥିଲା। କିନ୍ତୁ ସିବିଆଇ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲା। ପିଏନ୍‌ବି ଠକେଇ ଘଟଣା ପଦାକୁ ଆସିବା ପରେ ଗତ ଗୁରୁବାର ସିବିଆଇ ମାମଲା ରୁଜୁ କରାଯାଇଛି। ବ୍ୟାଙ୍କ ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ, ଦ୍ୱାରକା ଦାସ ସେଠ୍‌ ଇଣ୍ଟରନ୍ୟାସନାଲ୍‌ ବିଭିନ୍ନ ପ୍ରକାର ଋଣ ସୁବିଧା ହାସଲ କରୁଥିଲା। ସେଗୁଡ଼ିକ ମଧ୍ୟରେ ଲେଟର୍ସ ଅଫ୍‌ କ୍ରେଡିଟ୍‌ ମଧ୍ୟ ରହିଛି। ବ୍ୟାଙ୍କ ପ୍ରଥମେ ଏହି ସୁବଧା ୨୦୦୭ରେ ଉପଯୋଗ କରିଥିଲା। ତେବେ ନୂଆ ବିଲ୍‌ ଆସିବା ପୂର୍ବରୁ କମ୍ପାନି ପୁରୁଣା ବିଲ୍‌ ବାବଦ ଅର୍ଥ ପ୍ରଦାନ କରି ଦେଉଥିଲା। ଦେଶ ବାହାରେ ଥିବା ବିଦେଶୀ ବ୍ୟାଙ୍କ ଗୁଡ଼ିକର ଏଲ୍‌ସିକୁ ଏଥିପାଇଁ ଉପଯୋଗ କରାଯାଉଥିଲା। ବ୍ୟାଙ୍କକୁ ଠକି ସାରିବା ପରେ ସଭ୍ୟ ଦୁବାଇରେ ଫ୍ରେୟା ଟ୍ରେଡିଂ କଂପାନି ନାମରେ ଏକ କଂପାନି ସ୍ଥାପନ କରିଥିଲେ। ଏପରିକି ଏହି କମ୍ପାନି ପାଇଁ ଅତୁଲ କୁମାର ଗର୍ଗ ନାମକ ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଥିଲେ। ତେବେ ଶ୍ରୀ ଗର୍ଗଙ୍କ ସହିତ ଯୋଗାଯୋଗ କରିବାରୁ ସେ କୁହନ୍ତି ଯେ, ସଭ୍ୟ ସେଠ୍‌ଙ୍କ ସହିତ ଗତ ୪ ବର୍ଷ ହେଲା ସେ ଯୋଗାଯୋଗରେ ନାହାନ୍ତି। ତାଙ୍କ ସହିତ ମୁଁ କିଛି ବର୍ଷ ପୂର୍ବେ ବ୍ୟବସାୟ କରୁଥିଲି। କିନ୍ତୁ ସେ ଏବେ କେଉଁଠି ତାହା ମୋତେ ଜଣାନାହିଁ। ସେଠ୍‌ ଓ ଅନ୍ୟ ନିର୍ଦେଶକଙ୍କ ଠିକଣା ଏବେ ମଧ୍ୟ ଅସ୍ପଷ୍ଟ ରହିଛି। ତେବେ ସଭ୍ୟଙ୍କ ଦୁବାଇସ୍ଥିତ ଟେଲିଫୋନ ନମ୍ବର ବୋଲି କୁହାଯାଉଥିବା ନମ୍ବର ସହିତ ଯୋଗାଯୋଗ କରିବାରୁ ଜଣାପଡ଼ିଛି ଯେ ସେ ସେହି ନମ୍ବରକୁ ବ୍ୟବହାର କରୁନାହାନ୍ତି।

ସମ୍ବନ୍ଧିତ ଖବର