ପିଏନ୍‌ବି ଭଳି ଆଉ ଏକ ଠକେଇ ଧରାପଡ଼ିଲା

ଏଥର ସିଟି ୟୁନିୟନ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ ଏବେ ପିଏନ୍‌ବିର ମହାଠକେଇକୁ ନେଇ ଚର୍ଚା ଜୋରସୋରରେ ଚାଲିଥିବାବେଳେ ଏବେ ଆଉ ଏକ ଏଧରଣର ଠକେଇ ଆଜି ପଦାକୁ ଆସିଛି। ଚେନ୍ନାଇ ଭିତ୍ତିକ ଏକ ଘରୋଇ ବ୍ୟାଙ୍କରୁ ପ୍ରାୟ ୨ ନିୟୁତ ଡଲାର ବା ୧୨.୮ କୋଟି ଟଙ୍କାର ଠକେଇ ହୋଇଛି। ବିଦେଶକୁ ପଠାଯାଇଥିବା ଏହି ଟଙ୍କା ସମ୍ପର୍କରେ ବ୍ୟାଙ୍କର ଲେଜରରେ ଲେଖାଯାଇ ନାହିଁ। ଏହି ଟଙ୍କାକୁ ସ୍ୱିଫ୍ଟ ଫାଇନାନ୍ସିଆଲ ବ୍ୟବସ୍ଥାରେ ପଠାଯାଇଛି। ଗତ ୭ ତାରିଖରେ ଏହି ଘଟଣା ପଦାକୁ ଆସିଥିଲା। ୩ଟି ଜାଲ୍‌ ଅର୍ଥପ୍ରେରଣ ସମ୍ପର୍କରେ ଜଣାପଡ଼ିବା ପରେ ତୁରନ୍ତ ଆମେ ସମ୍ପୃକ୍ତ ବ୍ୟାଙ୍କକୁ ଉକ୍ତ ଅର୍ଥ ଫେରାଇ ଆଣିବା ଲାଗି କହିଥିଲୁ ବୋଲି ସିଟି ୟୁନିୟନ ବ୍ୟାଙ୍କ ପକ୍ଷରୁ ଷ୍ଟକ ଏକ୍ସଚେଞ୍ଜକୁ କୁହାଯାଇଛି। ୩ଟି ଜାଲ୍‌ ଅର୍ଥ ପ୍ରେରଣ ମଧ୍ୟରୁ ଗୋଟିଏ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ,ନ୍ୟୁୟର୍କ ମାଧ୍ୟମରେ ହୋଇଥିଲା। ଏହି ବ୍ୟାଙ୍କରୁ ଦୁବାଇସ୍ଥିତ ଏକ ବ୍ୟାଙ୍କକୁ ୫ ଲକ୍ଷ ଡଲାର ପଠାଯାଇଥିଲା। ତୁରନ୍ତ ଏହି ଅର୍ଥକୁ ଅଟକାଯାଇଥିଲା ବୋଲି କୁହାଯାଇଛି। ସେହିଭଳି ଦ୍ୱିତୀୟ ଠକେଇଟି ମଧ୍ୟ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କର ଫ୍ରାଙ୍କଫର୍ଟ ଶାଖାରୁ ତୁର୍କୀର ଏକ ଆକାଉଣ୍ଟକୁ ପଠାଯାଇଥିଲା। ଏଥିରେ ୩,୭୨,୧୫୦ ଡଲାର ଅର୍ଥ ପଠାଯାଇଥିଲା। ସେହିଭଳି ତୃତୀୟ ମାମଲାରେ ୧ ନିୟୁତ ଡଲାର ଅର୍ଥ ସ୍ଥାନାନ୍ତରଣ ବ୍ୟାଙ୍କ ଅଫ୍‌ ଆମେରିକାର ନ୍ୟୁୟର୍କ ଶାଖାରୁ ଚୀନର ଏକ ବ୍ୟାଙ୍କକୁ ପଠାଯାଇଥିଲା। ଏସବୁ ଅର୍ଥ ଫେରାଇ ଆଣିବା ଲାଗି ଉଦ୍ୟମ ଚାଲିଛି ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର