ନୂଆଦିଲ୍ଲୀ: ଏବେ ଯେଉଁ ମାନ୍ଦାବସ୍ଥା ରହିଛି ତାହା ହଟିଯିବ। ଦେଶ ପୁଣି ଥରେ ଦ୍ରୁତ ଅଭିବୃଦ୍ଧି ପଥକୁ ଫେରିଆସିବ। ଶିଳ୍ପ ସଂଘ ଆସୋଚାମ୍ର ୧୦୦ ବର୍ଷ ପୂର୍ତି ଉପଲକ୍ଷେ ଆୟୋଜିତ ସଭାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ସେ କହିଲେ, ମାନ୍ଦାବସ୍ଥାରୁ ବାହାରି ଦ୍ରୁତ ଗତିରେ ଆଗକୁ ବଢ଼ିବାର କ୍ଷମତା ଭାରତୀୟ ଅର୍ଥନୀତି ପାଖରେ ରହିଛି। ମାନ୍ଦାବସ୍ଥାକୁ ନେଇ ଯେଉଁ ଚର୍ଚ୍ଚା ହେଉଛି ସେ ବିଷୟରେ ମୁଁ ଭଲ ଭାବେ ଅବଗତ। ଏହାକୁ ନେଇ ହୋଇଥିବା ଆଲୋଚନାକୁ ମୁଁ ଚ୍ୟାଲେଞ୍ଜ୍ କରୁନାହିଁ। କିନ୍ତୁ ସେଥିରୁ ସକାରାତ୍ମକ ଭାବନା ବାହାର କରିବାକୁ ପ୍ରୟାସ କରୁଛି। ସେ ମନେ ପକାଇ ଦେଇଥିଲେ ଯେ କଂଗ୍ରେସ ନେତୃତ୍ବାଧୀନ ଉପା ସରକାରଙ୍କ ଅମଳରେ ଏକ ତ୍ରୟମାସରେ ଅଭିବୃଦ୍ଧି ହାର ୩.୫% ଭଳି ନିମ୍ନ ସ୍ତରକୁ ଖସିଯାଇଥିଲା। ଉପଭୋକ୍ତା ମୁଦ୍ରାସ୍ଫୀତି ହାର ୯.୪% ଓ ବିତ୍ତୀୟ ନିଅଣ୍ଟ ୫.୬ ପ୍ରତିଶତ ହୋଇଯାଇଥିଲା। ସେତେବେଳେ କାହିଁକି କିଛି ଲୋକ ଚୁପ୍ ରହିଥିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଅତୀତରେ ମଧ୍ୟ ଏଭଳି ଉତଥାନ ପତନ ଦେଖିବାକୁ ମିଳିଥିଲା ଏବଂ ସେଭଳି ସ୍ଥିତିରୁ ଅର୍ଥନୀତି ବାହାରି ଆସିଥିଲା ବୋଲି ସେ କହିଛନ୍ତି। ସହଜ ବ୍ୟବସାୟ ବାତାବରଣ କ୍ଷେତ୍ରରେ ଦେଶ ତିନି ବର୍ଷ ଭିତରେ ୬୩ତମ ସ୍ଥାନକୁ ପହଞ୍ଚି ପାରିଛି। ସର୍ବାଧିକ ଉନ୍ନତି ହାସଲ କରିଥିବା ୧୦ଟି ଦେଶ ଭିତରେ ଏହାର ନାମ ରହିଛି। ଆମକୁ କର୍ପୋରେଟ୍ ଜଗତର ଏଜେଣ୍ଟ୍ ଭାବେ ଚିତ୍ରଣ କରାଯାଉଛି। କିନ୍ତୁ ଆମେ ୧୩୦ କୋଟି ଭାରତୀୟଙ୍କ ଏଜେଣ୍ଟ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କଂପାନି ନିୟମରେ ସଂଶୋଧନ କରି ପୂର୍ବରୁ ଯେଉଁ କେତେକ କାର୍ଯ୍ୟକୁ ଅପରାଧ ବୋଲି ବିଚାର କରାଯାଉଥିଲା ତାହାକୁ କୋହଳ କରାଯାଇଛି। ଆଗକୁ ଆହୁରି ସଂଶୋଧନ ହେବ। ପ୍ରକୃତ ବ୍ୟବସାୟ ନିଷ୍ପତ୍ତି କ୍ଷେତ୍ରରେ କୌଣସି ପ୍ରକାର ଅପ୍ରୀତିକର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ ଶିଳ୍ପ ଜଗତକୁ ନିର୍ଭର ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଶ୍ରମ ଶକ୍ତିର ସ୍ବାର୍ଥ ରକ୍ଷା କ୍ଷେତ୍ରରେ ସାଲିସ କରାଯିବ ନାହିଁ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଅର୍ଥନୀତିକୁ ପାଞ୍ଚ ଲକ୍ଷ କୋଟି ଡଲାର (୫ ଟ୍ରିଲିଅନ ଡଲାର)ରେ ପରିଣତ କରିବା ଲାଗି ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ଆକସ୍ମିକ ନୁହେଁ। ଗତବର୍ଷ ଏଭଳି କିଛି ପରିବର୍ତ୍ତନ ଘଟିଥିଲା ଏବଂ ଲୋକମାନଙ୍କ ସହଯୋଗିତା ମିଳିଥିଲା ଯେଉଁଥିପାଇଁ ଆମେ ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛୁ। ଏହି ଲକ୍ଷ୍ୟ ହାସଲ ହେବା ସମ୍ଭବପର ବୋଲି ସେ କହିଛନ୍ତି।
/sambad/media/post_attachments/wp-content/uploads/2019/12/sfh65f4h5fs4h65sfh56sf4h56sf4h65sfhhhhhhhhhhhhhhhhhhhhhhhhhhhhh.jpg)
ମନରେ ସନ୍ଦେହ ରଖନାହିଁ: ନିର୍ମଳା
ମନରେ କୌଣସି ପ୍ରକାର ସନ୍ଦେହ ରଖନାହିଁ। ସମ୍ପୂର୍ଣ୍ଣ ଉତ୍ସାହର ସହିତ ନିବେଶ କର। ଉଦ୍ୟୋଗ ଜଗତ ଉଦ୍ଦେଶ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହା କହିଛନ୍ତି। ଉଦ୍ୟୋଗ ଜଗତର ସମସ୍ୟା ପ୍ରତି ଧ୍ୟାନ ଦେବାକୁ ସରକାର ପ୍ରତିବଦ୍ଧ। ନିଜ ମନ ଭିତରେ ଯେଉଁ ସନ୍ଦେହ ରଖିଛନ୍ତି ତାହା ବାହାର କରିଦିଅନ୍ତୁ। ଏହା ନକାରାତ୍ମକ ଭାବନା। ଏହାକୁ ସମ୍ପୂର୍ଣ୍ଣ ବାହାର କରିଦିଅନ୍ତୁ ବୋଲି ସେ ଶିଳ୍ପ ଜଗତକୁ କହିଛନ୍ତି।
ସରକାର ସମସ୍ତଙ୍କ କଥା ଶୁଣୁଛନ୍ତି: ଗୋୟଲ
କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଯେ, ସମସ୍ତଙ୍କୁ ନିଜ କଥା କହିବାର ଅଧିକାର ରହିଛି। ସରକାର ସମସ୍ତଙ୍କ କଥା ଶୁଣୁଛନ୍ତି। ସେ କହିଲେ, ରାହୁଲ ଭାଇ (ରାହୁଲ ବଜାଜ) ଇଟି ଆୱାର୍ଡସ୍ ସମାରୋହରେ ଯେଉଁ କଥା କହିଥିଲେ ସେ ତାହା କହିପାରିବେ। ନିଜ କଥାକୁ ଉପସ୍ଥାପନ କରିବାର ଅଧିକାର ସମସ୍ତଙ୍କ ପାଖରେ ରହିଛି। ବ୍ୟବସ୍ଥାକୁ ସରଳ କରିବା ଏବଂ ତୃଣମୂଳ ସ୍ତରରେ ରହିଥିବା ସମସ୍ୟାକୁ ଦୂର କରିବା ଦିଗରେ ସରକାର କାମ କରୁଛନ୍ତି ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ ଇଟି ଆୱାର୍ଡସ୍ ସମାରୋହରେ ଯୋଗ ଦେଇ ଶିଳ୍ପପତି ରାହୁଲ ବଜାଜ କହିଥିଲେ ଯେ, ଦେଶରେ ଭୟର ବାତାବରଣ ରହିଛି। ବିଜେପି ନୀତିର ସମାଲୋଚନା କରିବାକୁ ଲୋକେ ଡରୁଛନ୍ତି। ବ୍ୟବସାୟ ଜଗତରେ କେହି ବି ଏହି ପ୍ରସଙ୍ଗରେ ମୁହଁ ଖୋଲିବାକୁ ଚାହୁନାହାନ୍ତି ବୋଲି ସେ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/dfh4dfh87fh854fh654sf65h4sf5hsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsfsf.jpg)