ସିଂହ ଭ୍ରାତାଙ୍କ ମଧ୍ୟରେ ପୁଣି ଝଗଡ଼ା

ହତ୍ୟା ଉଦ୍ୟମ ଅଭିଯୋଗ ଆଣିଲେ ମାଲବିନ୍ଦର

ନୂଆଦିଲ୍ଲୀ: ଫୋର୍ଟିସ୍‌ ହେଲ୍‌ଥକେୟାରର ପ୍ରମୋଟର ମାଲବିନ୍ଦର ସିଂହ ଓ ଶିବିନ୍ଦର ସିଂହଙ୍କ ମଧ୍ୟରେ ପୁଣି ଝଗଡ଼ା ହୋଇଛି। ଶିବିନ୍ଦରଙ୍କ ନାମରେ ମାଲବିନ୍ଦର ଏକ ଅପରାଧିକ ମାମଲା ଦାୟର କରିଛନ୍ତି। ସେଥିରେ ସେ ଅଭିଯୋଗ କରିଛନ୍ତି ଯେ ଶିବିନ୍ଦର ଓ ଆଧ୍ୟାତ୍ମିକ ଗୁରୁ ଗୁରିନ୍ଦର ସିଂହ ଧିଲୋନ ଓ ଅନ୍ୟମାନେ ମିଶି ଅର୍ଥ ହଡ଼ପ ଓ ଆତ୍ମସାତ କରିଛନ୍ତି ଏବଂ ତାଙ୍କୁ ମାରିଦେବାକୁ ଉଦ୍ୟମ କରୁଛନ୍ତି।

ଅର୍ଥନୈତିକ ଅପରାଧ ଶାଖାରେ ଦାଖଲ କରାଯାଇଥିବା ମାମଲାରେ ମାଲବିନ୍ଦର ଜଣାଇଛନ୍ତି ଯେ, ବାବା ଗୁରିନ୍ଦର ସିଂହ ଧିଲୋନ ତାଙ୍କ ଓକିଲ ଫ୍ରିଡା ‌ଚୋପ୍ରାଙ୍କ ଜରିଆରେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି। ସେ ଏହା ମଧ୍ୟ ଜଣାଇଛନ୍ତି ଯେ ତାଙ୍କ ଭାଇ ଶିବିନ୍ଦର ଓ ସୁନୀଲ୍ ଗୋଦ୍ଧୱାନି ନାମକ ଜଣେ ବ୍ୟକ୍ତି ଷଡ଼୍‌ଯନ୍ତ୍ର କରି ଦୁଇ କଂପାନି ରେଲିଗେୟାର ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍ ଏବଂ ରେଲିଗେୟାର ଫିନ୍‌ଭେଷ୍ଟ୍‌ ଲିମିଟେଡ୍‌ରେ ବ୍ୟାପକ ଆର୍ଥିକ ଠକେଇ କରିଛନ୍ତି। ସେଥିପାଇଁ ଦୁଇ କଂପାନର ବିପୁଳ କ୍ଷତି ହୋଇଛି। ସେମାନଙ୍କ ଠକେଇର ମାତ୍ରା କେତେ ଗଭୀର ତାହା ଜାଣିବା ପାଇଁ ତଦନ୍ତର ଆବଶ୍ୟକତା ରହିଛି ବୋଲି ମାଲବିନ୍ଦର ନିଜ ଅଭିଯୋଗ ଫର୍ଦ୍ଦରେ ଜଣାଇଛନ୍ତି। ଫୋର୍ଟିସ୍‌ ହେଲ୍‌ଥକେୟାରରେ ପାଣ୍ଠି ବାଟମାରଣା ଅଭିଯୋଗ ଆସିବା ପରଠାରୁ ଦୁଇ ଭାଇ ମାଲବିନ୍ଦର (ବଡ଼) ଓ ଶିବିନ୍ଦର(ସାନ)ଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ଏହା ପୂର୍ବରୁ ଦୁଇ ଭାଇ ବହୁତ ଭଲ ଭା‌ବେ ଚଳୁଥିଲେ ଏବଂ ସେମାନଙ୍କ କାରବାର ମଧ୍ୟ ବହୁତ ଭଲ ଚାଲିଥିଲା। ଜାପାନର ଔଷଧ ନିର୍ମାତା ଡାଇଇଚି ସ‌ାଙ୍କ୍ୟୋକୁ ବିପୁଳ ପରିମାଣର ପେମେଣ୍ଟ୍‌ ଦେବା ପାଇଁ ଏକ ଅଦାଲତ ନିର୍ଦେଶ ଦେବା ପରେ ସେମାନଙ୍କ ଭିତରେ ଥିବା ସମ୍ପର୍କ ଆହୁରି ଖରାପ ହୋଇଯାଇଥିଲା। କିଛି ଦିନ ତଳେ ଦୁଇ ଭାଇ ଅନ୍ୟ ଏକ କଂପାନିର ବୋର୍ଡ ବୈଠକ ସମୟରେ ହାତାହାତି ହୋଇଥିଲେ। କିଛି ଦିନ ତଳେ ସାନ ଭାଇ ଶିବିନ୍ଦର ଅଭିଯୋଗ କରିଥିଲେ ଯେ ତାଙ୍କ ପତ୍ନୀଙ୍କ ଦସ୍ତଖତକୁ ନକଲ କରି ବଡ଼ ଭାଇ ମାଲବିନ୍ଦର ବେଆଇନ ଆର୍ଥିକ କାରବାର କରିଛନ୍ତି। ଜାଣିଶୁଣି ସେ କଂପାନିକୁ ଋଣ ଜାଲରେ ପକାଇ ଦେଇଛନ୍ତି। ଏହି ଦୁଇ ଭାଇଙ୍କ ଝଗଡ଼ା ଆଗାମୀ ଦିନରେ କେଉଁ ଆଡ଼କୁ ଗତି କରିବ ତାହା‌ ସମୟ ହିଁ କହିବ।

ସମ୍ବନ୍ଧିତ ଖବର