ଜିଏସ୍‌ଟି ଆହୁରି କମିବ

ଜେଟ୍‌ଲିଙ୍କ ସୂଚନା

ନୂଆଦିଲ୍ଲୀ: ଆଗାମୀ ଦିନରେ ଆହୁରି ଅଧିକ ସାମଗ୍ରୀର ଜିଏସ୍‌ଟି (ସାମଗ୍ରୀ ଓ ସେବା ଟିକସ) ହାର ହ୍ରାସ ଘଟିବ। ଆଜି ଏହି ସଙ୍କେତ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଦେଇଛନ୍ତି। ଦେଶରେ କମ୍‌ ସମୟ ମଧ୍ୟରେ ଜିଏସ୍‌ଟିରେ ସ୍ଥିରତା ଆସିଯାଇଛି। ଏଥିଯୋଗୁଁ ଜିଏସ୍‌ଟିର ଆଧାରକୁ ବ୍ୟାପକ କରିବା ସହିତ ଟିକସ ହାରକୁ ଆହୁରି ହ୍ରାସ କରିବା ସୁଯୋଗ ଭବିଷ୍ୟତରେ ରହିଛି ବୋଲି ଜେଟ୍‌ଲି କହିଛନ୍ତି। ଜିଏସ୍‌ଟି ଯୋଗୁଁ ଦେଶର ପରୋକ୍ଷ ଟିକସ ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ଭାବେ ପରିବର୍ତନ ଆସିଛି। ଜେଟ୍‌ଲିଙ୍କ କହିବାନୁଯାୟୀ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ଭାରତରେ ଜିଏସ୍‌ଟିରେ ସ୍ଥିରତା ଅପେକ୍ଷାକୃତ ଭାବେ କମ୍‌ ସମୟ ମଧ୍ୟରେ ଆସିପାରିଛି। ଅନ୍ତର୍ଜାତୀୟ ସୀମା ଶୁଳ୍କ ଦିବସ ପାଳନ ପରିପ୍ରେକ୍ଷୀରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ଜେଟ୍‌ଲି ଏହା କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଏବେ ଜିଏସ୍‌ଟି ବ୍ୟବସ୍ଥାରେ ୪ଟି ହାରରେ ଟିକସ ଆଦାୟ କରାଯାଉଛି। ସେଗୁଡ଼ିକ ହେଲା ୫ ପ୍ରତିଶତ, ୧୨ ପ୍ରତିଶତ, ୧୮ ପ୍ରତିଶତ ଏବଂ ୨୮ ପ୍ରତିଶତ। ନଭେମ୍ବରରେ ଅନୁଷ୍ଠିତ ଜିଏସ୍‌ଟି ପରିଷଦ ବୈଠକରେ କେବଳ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଉଥିବା ସାମଗ୍ରୀ ଏବଂ ହ୍ଵାଇଟ୍‌ ଗୁଡ୍‌ସ ଉପରୁ ୨୮ ପ୍ରତିଶତ ହାରରେ ଜିଏସ୍‌ଟି ଆଦାୟ କରାଯିବ ବୋଲି ସ୍ଥିର କରାଯାଇଥିଲା। ଏତଦ୍‌ବ୍ୟତୀତ ୨୮ ପ୍ରତିଶତ ଟିକସ ବର୍ଗରେ ଥିବା ସାମଗ୍ରୀ ମଧ୍ୟରୁ ୧୭୮ଟି ସାମଗ୍ରୀର ଜିଏସ୍‌ଟିକୁ ୧୮ ପ୍ରତିଶତକୁ କମାଇ ଦିଆଯାଇଥିଲା। ସେହିଭଳି ୧୩ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତ ବର୍ଗକୁ, ୮ଟି ସାମଗ୍ରୀକୁ ୧୨ ପ୍ରତିଶତରୁ ୫ ପ୍ରତିଶତ ବର୍ଗକୁ ଏବଂ ୬ଟି ସାମଗ୍ରୀକୁ ୧୮ ପ୍ରତିଶତରୁ ୫ ପ୍ରତିଶତ ବର୍ଗକୁ କମାଇ ଦିଆଯାଇଥିଲା। ଏଥିସହିତ ୫ ପ୍ରତିଶତ ଜିଏସ୍‌ଟି ବର୍ଗରେ ଥିବା ୬ଟି ସାମଗ୍ରୀକୁ ଶୂନ ପ୍ରତିଶତ ବର୍ଗକୁ ଖସାଇ ଦିଆଯାଇଥିଲା। ୨୦୦ରୁ ଅଧିକ ସାମଗ୍ରୀର ଟିକସ ହାରକୁ କମାଇ ଦିଆଯିବା ପରେ ଜିଏସ୍‌ଟି ଆଦାୟ ପରିମାଣ ନଭେମ୍ବରରେ ସର୍ବନିମ୍ନ ସ୍ତରକୁ ଖସିଆସିଥିଲା। କିନ୍ତୁ ଦୁଇ ମାସ ଧରି ଜିଏସଟି ଆଦାୟ ପରିମାଣ ହ୍ରାସ ପାଇବା ପରେ ଡିସେମ୍ବରରେ ଏଥିରେ ସୁଧାର ଆସିଛି। ଡିସେମ୍ବର ମାସର ଜିଏସ୍‌ଟି ଆଦାୟ ପରିମାଣ ୮୬,୭୦୩ କୋଟି ଟଙ୍କାରେ ରହିଛି। ଅକ୍ଟୋବରରେ ଜିଏସ୍‌ଟି ଆଦାୟ ରାଶି ୮୩ ହଜାର କୋଟି ଟଙ୍କା ରହିଥିବାବେଳେ ସେପ୍ଟେମ୍ବରରେ ଏହା ୯୨,୧୫୦ କୋଟି ଟଙ୍କା ରହିଥିଲା।

ସମ୍ବନ୍ଧିତ ଖବର