ପୁଣି ବଢ଼ିବ ପେଟ୍ରୋଲ, ଡିଜେଲ୍‌ ଦାମ୍‌

ବଢ଼ିଲା ଅଶୋଧିତ ତେଲ ଦର

ନୂଆଦିଲ୍ଲୀ: ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ପୁଣି ବଢ଼ିବା ଆରମ୍ଭ ହୋଇଛି। ତେଣୁ ଆଗାମୀ ଦିନରେ ସ୍ଥାନୀୟ ବଜାରରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ଆହୁରି ବଢ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଜୁନ୍‌ ୨୧ ପରେ ଅଶୋଧିତ ତୈଳର ବ୍ୟାରେଲ୍‌ ପିଛା ଦର ୬ ଡଲାର ବୃଦ୍ଧି ପାଇ ୭୯.୫ ଡଲାର ହୋଇଯାଇଛି। ଏଥି ସହିତ ଡଲାର ତୁଳନାରେ ଟଙ୍କା ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଛି। ଏକ ଡଲାର କିଣିବା ପାଇଁ ଏବେ ୬୯ ଟଙ୍କା ଖର୍ଚ କରିବାକୁ ପଡୁଛି। ଏହି ଦୁଇ କାରଣ ଯୋଗୁଁ ଅଶୋଧିତ ତୈଳ କିଣିବା ପାଇଁ କଂପାନିଗୁଡ଼ିକୁ ଅଧିକ ଖର୍ଚ କରିବାକୁ ପଡୁଛି। ତେଲ କଂପାନିଗୁଡ଼ିକ ଏହି ଦୁଇ ବିଷୟ ବିଚାରକୁ ନେଇ ପ୍ରତିଦିନ ପେଟ୍ରୋଲ୍‌ ଓ ଡିଜେଲ୍‌ ଦର ସଂଶୋଧନ କରୁଛନ୍ତି। ଜୁନ୍‌ ମାସ ସାରା ପେଟ୍ରୋଲ୍‌ ଓ ଡିଜେଲ ଦର ଅଧିକାଂଶ ଦିନ କମିଥିଲା ଅନ୍ୟଥା ସ୍ଥିର ରହିଥିଲା। ଅଶୋଧିତ ତେଲ ଦର ସେହି ମାସରେ ୩ ଡଲାର ବଢ଼ିବା ସତ୍ତ୍ୱେ କଂପାନିଗୁଡ଼ିକ ପେଟ୍ରୋଲ୍‌ ଓ ଡିଜେଲ ଦର ବଢ଼ାଇନଥିଲେ। ବିଗତ ୬ ଦିନ ମଧ୍ୟରେ ପେଟ୍ରୋଲ୍‌ ଓ ଡିଜେଲ୍‌ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଆସନ୍ତାକାଲି (ସୋମବାର) ପାଇଁ ପେଟ୍ରୋଲ୍‌ର ଲିଟର ପିଛା ଦର ୭୪ ଟଙ୍କା ୩୮ ପଇସା ରହିଥିବା ବେଳେ ଡିଜେଲ ଦର ୭୨ ଟଙ୍କା ୨୨ ପଇସା ରହିଛି।

ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟକ ନିର୍ବାଚନ ଶେଷ ହେବା ପରେ ମେ’ ୧୪ ପରଠାରୁ ପେଟ୍ରୋଲ୍‌ ଓ ଡିଜେଲ ଦର ହୁ ହୁ ହୋଇ ବଢ଼ିଚାଲିିଥିଲା। ଦର ବୃଦ୍ଧି ଅଣାୟତ୍ତ ହୋଇଯିବା ପରେ ବିଭିନ୍ନ ମହଲରେ ସରକାରଙ୍କୁ ସମାଲୋଚନା କରାଯାଇଥିଲା। ମେ’ ୨୯ ଠାରୁ ତେଲ ଦର କମିବା ଆରମ୍ଭ ହୋଇଥିଲା। ଏହା ପରେ ପେଟ୍ରୋଲ୍‌ର ଲିଟର ପିଛା ଦରରେ ୨ ଟଙ୍କା ୮୮ ପଇସା ଓ ଡିଜେଲ ଦର ୧ ଟଙ୍କା ୯୩ ପଇସା କମିଛି।

ସମ୍ବନ୍ଧିତ ଖବର