ପୁଣି ରିଜର୍ଭ ବ୍ୟାଙ୍କ ଉପରେ ନଜର: ୪୫ ହଜାର କୋଟି ଟଙ୍କା ପାଇବାକୁ ଆଶା

ନୂଆଦିଲ୍ଲୀ: ଟିକସ ରାଜସ୍ବ ଆୟ ଆଶାନୁରୂପ ନହେବାରୁ ବ୍ୟୟ ଲକ୍ଷ୍ୟ ହାସଲ କରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ନିଜର ବ୍ୟୟ ପ୍ରତିବଦ୍ଧତାକୁ ପୂରଣ କରିବା ଲାଗି ବିଭିନ୍ନ ଉତ୍ସରୁ ପାଣ୍ଠି ଯୋଗାଡ଼ କରିବା ଉପରେ କେନ୍ଦ୍ର ସରକାର ମନୋନିବେଶ କରିଛନ୍ତି। ଏହି କ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଠାରୁ ପୁଣି ଥରେ ଲାଭାଂଶ ଅର୍ଥ ଆଣିବାକୁ ସରକାର ଯୋଜନା ରଖିଛନ୍ତି।

Moneycontrol

ଚଳିତ ବର୍ଷ ଅନ୍ତରୀଣ ଲାଭାଂଶ ପ୍ରଦାନ କରିବା ଉପରେ ବିଚାର କରିବା ଲାଗି ସରକାର ରିଜର୍ଭ ବ୍ୟାଙ୍କକୁ କହିବେ। ଏହାର ପୂର୍ବ ଦୁଇ ବର୍ଷ ରିଜର୍ଭ ବ୍ୟାଙ୍କ ଅନ୍ତରୀଣ ଲାଭାଂଶ ଦେଇଥିଲା। ଯଦି ଏଥରର ପ୍ରସ୍ତାବକୁ ଗ୍ରହଣ କରିବ ତେବେ କ୍ରମାଗତ ତୃତୀୟ ବର୍ଷ ଲାଗି ରିଜର୍ଭ ବ୍ୟାଙ୍କ ଅନ୍ତରୀଣ ଲାଭାଂଶ ପ୍ରଦାନ କରିବ। ଚଳିତ ବର୍ଷ ଅନ୍ତରୀଣ ଲାଭାଂଶ ବାବଦରେ ୩୫ ହଜାର କୋଟି ଟଙ୍କାରୁ ୪୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। କିଛି ମାସ ତଳେ ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ ବୋଲି ରିଜର୍ଭ ବ୍ୟାଙ୍କ ଘୋଷଣା କରିଥିଲା। ସେଥିରେ ଚଳିତ ଆର୍ଥିକ ବର୍ଷ (୨୦୧୯-୨୦)ର ୧.୪୮ ଲକ୍ଷ କୋଟି ଟଙ୍କାର ଲାଭାଂଶ ସାମିଲ ଥିଲା। ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି ହାର ୫% ଭଳି ନିମ୍ନ ସ୍ତରକୁ ଖସିଯିବା ଆଶଙ୍କା ରହିଥିବାରୁ ଏହାକୁ ଏକ ‘ବ୍ୟତିକ୍ରମର ବର୍ଷ’ ଭାବେ ବିଚାରକୁ ନେଇ ଅନ୍ତରୀଣ ଲାଭାଂଶ ଦେବା କଥା ବିଚାର କରିବାକୁ ରିଜର୍ଭ ବ୍ୟାଙ୍କକୁ କୁହାଯିବ। ସରକାରଙ୍କୁ ଅଧିକ ଟଙ୍କା ଦେବାକୁ ରିଜର୍ଭ ବ୍ୟାଙ୍କର ‌କିଛି ଅଧିକାରୀ ଅନିଚ୍ଛା ପ୍ରକାଶ କରୁଛନ୍ତି। ମାତ୍ର ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ବାଧୀନ ବୋର୍ଡ ଅନ୍ତରୀଣ ଲାଭାଂଶକୁ ମଞ୍ଜୁରି ପ୍ରଦାନ କରିବ ବୋଲି ସରକାର ଆଶା ରଖିଛନ୍ତି। ରିଜର୍ଭ ବ୍ୟାଙ୍କ ମୁଦ୍ରା ଓ ସରକାରୀ ବଣ୍ଡ୍‌ କାରବାର କରି ମୋଟା ଅଙ୍କର ଆୟ କରୁଛି। ‌ସେଥି ମଧ୍ୟରୁ ନିଜର ପରିଚାଳନା ଖର୍ଚ୍ଚ ଏବଂ ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ଲାଗି ଏହା କିଛି ପାଣ୍ଠି ନିଜ ପାଖରେ ରଖୁଛି। ବଳକା ପାଣ୍ଠିକୁ ଲାଭାଂଶ ଆକାରରେ କେନ୍ଦ୍ର ସରକାରଙ୍କୁ ହସ୍ତାନ୍ତର କରୁଛି। ଗତ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ୧.୨୩ ଲକ୍ଷ କୋଟି ଟଙ୍କାର ବଳକା ହାସଲ କରିଥିଲା।

ସମ୍ବନ୍ଧିତ ଖବର