ପେଟ୍ରୋଲ ପୁଣି ୭୨ ଟପିଲା: ଅଶୋଧିତ ତେଲ ଦାମ କମୁଛି, ତଥାପି ପେଟ୍ରୋଲ ବଢ଼ୁଛି

ଭୁବନେଶ୍ବର: କିଛିଦିନର ବ୍ୟବଧାନ ପରେ ଦେଶରେ ପୁଣି ପେଟ୍ରୋଲ ଦର ବଢ଼ିବାରେ ଲାଗିଛି। ଗତ ତିନିଦିନ ହେଲା ଲଗାତାର ଦର ବଢ଼ୁଛି। ଏଥିଯୋଗୁ ଭୁବନେଶ୍ବରରେ ପେଟ୍ରୋଲ ଦର ରବିବାର ପୁଣି ୭୨ ଟଙ୍କା ଟପିଯାଇଛି। ଭାରତୀୟ ତୈଳ ନିଗମ ଟାଙ୍କିରେ ପେଟ୍ରୋଲ ଦର ଆଜି ୭୨ ଟଙ୍କା ୧୦ ପଇସା ରହିଛି। ପୂର୍ବରୁ ଗତମାସ ୨୫ ତାରିଖରେ ଶେଷ ଥର ପାଇଁ ୭୨ ଟଙ୍କା ୬ ପଇସା ଥିଲା। ଏହାପରଠାରୁ ଦର କମୁଥିଲା କିମ୍ବା ସ୍ଥିର ରହୁଥିଲା। କିନ୍ତୁ ଏବେ ଗତ ୮ ତାରିଖରୁ ଦର ବଢ଼ିବାରେ ଲାଗିଛି। ୭ ତାରିଖରେ ପେଟ୍ରୋଲ ଦର ୭୧ ଟଙ୍କା ୬୬ ପଇସା ଥିବାବେଳେ ୧୦ ତାରିଖ ସୁଦ୍ଧା ଏଥିରେ ୪୪ ପଇସା ବୃଦ୍ଧି ଘଟିଲାଣି। ଏତେ କମ୍ ଦିନ ମଧ୍ୟରେ ପେଟୋଲ ଦର ଲିଟର ପିଛା ୪୪ ପଇସା ବୃଦ୍ଧିକୁ ଗ୍ରାହକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି।

ଗ୍ରାହକମାନଙ୍କୁ ଅନ୍ୟ ଯେଉଁ ବିଷୟ ବ୍ୟଥିତ କରୁଛି ତାହା ହେଲା କମିବା ବେଳେ ‌ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଅଳ୍ପ କମୁଛି। କିନ୍ତୁ ବଢ଼ିବା ସମୟରେ ଅଧିକ ବଢ଼ୁଛି। କେବଳ ନଭେମ୍ବର ମାସର ଦାମ୍‌କୁ ବିଚାରକୁ ନେଲେ ଏହା ଜଣାଯାଏ ଯେ ପହିଲାରେ ପେଟ୍ରୋଲ ଦର ୭୧ ଟଙ୍କା ୯୮ ପଇସା ଥିଲା। ୨ ତାରିଖରେ ସେଥିରେ ୨ ପଇସା, ୩ ତାରିଖରେ ୮ ପଇସା, ୪ ତାରିଖରେ ୯ ପଇସା, ୫ ତାରିଖରେ ୧୫ ପଇସାର ହ୍ରାସ ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ଗତ ୭ ତାରିଖରେ ‌ପେଟ୍ରୋଲ ଦର ୭୧ ଟଙ୍କା ୬୬ ପଇସା ଥିବାବେଳେ ୮ ତାରିଖରେ ଏଥିରେ ୧୦ ପଇସା, ୯ ତାରିଖରେ ୧୫ ପଇସା ଏବଂ ୧୦ ତାରିଖରେ ୧୯ ପଇସାର ବୃଦ୍ଧି ଘଟିଛି। ଡିଜେଲ ଦର ହ୍ରାସବୃଦ୍ଧି କ୍ଷେତ୍ରରେ ମଧ୍ୟ ସମାନ ଧାରା ପରିଲକ୍ଷିତ ହୋଇଛି। ଚଳିତମାସର ଡିଜେଲ ଦରକୁ ଦେଖିଲେ ଏହା ଜଣାଯାଏ ଯେ, ପହିଲାରେ ଡିଜେଲ ଦର ୭୦ ଟଙ୍କା ୬୦ ପଇସା ଥିଲା। ୭ ତାରିଖ ସୁଦ୍ଧା ଏଥିରେ ଲିଟର ପିଛା ମାତ୍ର ୩ ପଇସା ହ୍ରାସ ଘଟିଥିଲା। ଅର୍ଥାତ ଡିଜେଲ ଦର ୭ ତାରିଖ ଦିନ ଭୁବନେଶ୍ବରରେ ୭୦ ଟଙ୍କା ୫୭ ପଇସା ରହିଥିଲା। କିନ୍ତୁ ଗତ ୪ ଦିନ ମଧ୍ୟରେ ଏଥିରେ ୧୭ ପଇସାର ବୃଦ୍ଧି ଘଟିଲାଣି। ଏହି ହାରରେ ଯଦି ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ିଚାଲେ ତା’ହେଲେ ଆଉ ଅଳ୍ପଦିନ ପରେ ପେଟ୍ରୋଲ ଏବଂ ଡିଜେଲ ଦର ବହୁ ଉପରକୁ ଚାଲିଯିବା ଆଶଙ୍କା ରହିଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର କମୁଥିଲେ ମଧ୍ୟ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ବିଶେଷଜ୍ଞମାନେ କିନ୍ତୁ ଭିନ୍ନ ଯୁକ୍ତି ଦର୍ଶାଉଛନ୍ତି। ସେମାନଙ୍କ କହିବାନୁଯାୟୀ, ଅଶୋଧିତ ତେଲ ଆଗୁଆ କ୍ରୟ କରାଯାଇଥାଏ। ତେଣୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଏବେ ଯେଉଁ ବୃଦ୍ଧି ଦେଖାଦେଉଛି ତାହା ଅତୀତରେ ଉଚ୍ଚ ଅଶୋଧିତ ତେଲ ମୂଲ୍ୟର ପ୍ରତିଫଳନ। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲକୁ ବ୍ୟବସାୟୀମାନେ କ୍ରୟ କରି ଦେଶରେ ଏହାକୁ ପେଟ୍ରୋଲ ଏବଂ ଡିଜେଲ ଆକାରରେ ବିକ୍ରି କରିବା ପାଇଁ କିଛିଦିନ ସମୟ ଲାଗିଥାଏ। ଅଶୋଧିତ ତେଲର ମୂଲ୍ୟ ପେଟ୍ରୋଲ ଏବଂ ଡିଜେଲ ଦରରେ ପ୍ରତିଫଳିତ ହେବା ଲାଗି ପ୍ରାୟ ୧୦ରୁ ୧୫ ଦିନ ସମୟ ଲାଗିଥାଏ। ତେଣୁ ଏବେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିର କାରଣ ହେଲା ଅତୀତରେ ତେଲ କମ୍ପାନି ଗୁଡ଼ିକ ଉଚ୍ଚ ଦରରେ ଅଶୋଧିତ ତେଲ କିଣିଛନ୍ତି। ଯଦି ଏବେ ଅଶୋଧିତ ତେଲ କମେ ତାହେଲେ ଆଗାମୀ ଦିନରେ ଗ୍ରାହକଙ୍କୁ ଏହାର ଲାଭ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ମିଳିବ ବୋଲି ବିଶେଷଜ୍ଞମାନେ କୁହନ୍ତି।

ଅଶୋଧିତ ତେଲ ଦାମ କମୁଛି, ତଥାପି ପେଟ୍ରୋଲ ବଢ଼ୁଛି

ଅନ୍ତର୍ଜାତୀୟ ବଜାରରେ କିନ୍ତୁ ଅଶୋଧିତ ତେଲ ଦର କମୁଛି। ବିଶ୍ବ ଅର୍ଥନୀତିରେ ମାନ୍ଦାବସ୍ଥା ଆଶଙ୍କାରେ ଅଶୋଧିତ ତେଲର ଚାହିଦା ଗ୍ରାହକଙ୍କ ମଧ୍ୟରେ କମିଛି। ଏଥିଯୋଗୁ ନଭେମ୍ବର ମାସରେ ମିଳିବାକୁ ଥିବା ଅଶୋଧିତ ତେଲ ଦର ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଗତ ଶୁକ୍ରବାର ବ୍ୟାରେଲ ପିଛା ୫୯ ଟଙ୍କା ହ୍ରାସ ପାଇ ୪୦୩୯ ଟଙ୍କା ରହିଛି। ୧ ବ୍ୟାରେଲ ତେଲ ପ୍ରାୟ ୧୫୯ ଲିଟର ହୋଇଥିବାରୁ ଲିଟର ପିଛା ଅଶୋଧିତ ତେଲର କ୍ରୟ ମୂଲ୍ୟ ପାଖାପାଖି ୨୫ ଟଙ୍କା ୪୦ ପଇସା ରହୁଛି। କେବଳ ନଭେମ୍ବର ନୁହେଁ ଡିସେମ୍ବର ମାସରେ ପ୍ରଦାନ କରାଯିବାକୁ ଥିବା ଅଶୋଧିତ ତେଲ ଦର ମଧ୍ୟ କମିଛି।

ସମ୍ବନ୍ଧିତ ଖବର