ପୁଣି ବଢ଼ିଲା ପେଟ୍ରୋଲ ଦର, ଡିଜେଲ ଅପରିବର୍ତ୍ତିତ

ଭୁବନେଶ୍ବର ଦର, ପେଟ୍ରୋଲ ୧୦୨ ଟଙ୍କା ୬୬ ପଇସା ଡିଜେଲ ୯୭ ଟଙ୍କା ୯୫ ପଇସା

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ତୈଳ କମ୍ପାନି ଗୁଡ଼ିକ ଆଜି ଦେଶରେ ପୁଣି ପେଟ୍ରୋଲ ଦର ବଢ଼ାଇଛନ୍ତି। ଲିଟର ପିଛା ପେଟ୍ରୋଲ ଦର ୩୦ ପଇସା ବଢ଼ିଛି। ଫଳରେ ଗ୍ରାହକଙ୍କ ଉପରେ ଆର୍ଥିକ ବୋଝ ଆହୁରି ବୃଦ୍ଧି ପାଇଛି। ଗୋଟିଏ ପଟେ ପେଟ୍ରୋଲ, ଡିଜେଲ ସମେତ ଖାଇବା ତେଲ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରବୃଦ୍ଧି ଘଟି ଚାଲିଥିବାବେଳେ ଅନ୍ୟପଟେ କରୋନା ମହାମାରୀ ପ୍ରଭାବରେ ଲୋକଙ୍କ ଆୟ ସଂକୁଚିତ ହେବାରେ ଲାଗିଛି। ଏହାଦ୍ବାରା ଲୋକଙ୍କ ଘର ପରିଚାଳନା ବଜେଟ୍‌ ଏପଟସେପଟ ହୋଇଯାଇଛି। ତେବେ ଆଜି ଡିଜେଲ ଦର ଅପରିବର୍ତ୍ତିତ ରହିଛି। କମ୍ପାନି ଗୁଡ଼ିକ ‌ ପେଟ୍ରୋଲ ଏବଂ ଡିଜେଲ ଦର ବଢ଼ାଇ ଚାଲିଥିବାରୁ ଦେଶର ସବୁ ମହାନଗରରେ ପେଟ୍ରୋଲ ଦର ୧୦୦ ଟଙ୍କା ବହୁ ପୂର୍ବରୁ ଟପିସାରିଛି।

ମୁମ୍ବାଇରେ ପ୍ରଥମ ଥର ପାଇଁ ପେଟ୍ରୋଲ ଦର ଗତ ମେ ୨୯ ତାରିଖରେ ୧୦୦ ଟଙ୍କା ଟପିଥିବାବେଳେ ଶନିବାର ଏହା ୧୦୭ ଟଙ୍କା ୮୫ ପଇସାରେ ପହଞ୍ଚିଛି। ସେହିଭଳି ଡିଜେଲ ଦର ମଧ୍ୟ ମୁମ୍ବାଇରେ ୯୭ ଟଙ୍କା ୪୫ ପଇସା ରହିଛି, ଯାହାକି ଅନ୍ୟ ସବୁ ମହାନଗର ତୁଳନାରେ ଅଧିକ। ଆଗାମୀ ଦିନରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯଦି ବୃଦ୍ଧି ଘଟେ ତା’ହେଲେ ପେଟ୍ରୋଲ ଏବଂ ଡିଜେଲ ଦର ଆହୁରି ବଢ଼ିବା ଆଶଙ୍କା ରହିଛି। ଆଜିର ମୂଲ୍ୟ ବୃଦ୍ଧି ଫଳରେ ମେ ୧ ତାରିଖରୁ ଆଜିସୁଦ୍ଧା ଦେଶରେ ପେଟ୍ରୋଲ ଦର ୪୧ ଥର ବଢ଼ିଛି ଏବଂ ୩୭ ଥର ଅପରିବର୍ତ୍ତିତ ରହିଛି। ୪୧ ଥରରେ ପେଟ୍ରୋଲ ଦର ଦିଲ୍ଲୀରେ ୧୧ ଟଙ୍କା ୪୪ ପଇସା ବୃଦ୍ଧି ଘଟିଥିବାବେଳେ ଡିଜେଲ ଦରରେ ୯ ଟଙ୍କା ୧୪ ପଇସା ବୃଦ୍ଧି ଘଟିଛି। ଭୁବନେଶ୍ବରରେ ଶନିବାର ପେଟ୍ରୋଲ ଦର ମଧ୍ୟ ଲିଟର ପିଛା ୩୦ ପଇସା ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ବରରେ ଭାରତୀୟ ତୈଳ ନିଗମ ପେଟ୍ରୋଲ ପମ୍ପରେ ଏହାର ଦର ୧୦୨ ଟଙ୍କା ୬୬ ପଇସାରେ ପହଞ୍ଚିଛି। ଅନ୍ୟପକ୍ଷରେ ଡିଜେଲ ଦର ୯୭ ଟଙ୍କା ୯୫ ପଇସାରେ ଅପରିବର୍ତ୍ତିତ ରହିଛି।

ସମ୍ବନ୍ଧିତ ଖବର