ପୁଣି ସୁଧ କମାଇଲା ରିଜର୍ଭ ବ୍ୟାଙ୍କ, ଋଣ ଗ୍ରାହକ ଲାଭବାନ ହେବେ

ଗ୍ରାମାଞ୍ଚଳରେ ପହଞ୍ଚିବ ଅଧିକ ପାଣ୍ଠି, ଜମା ଉପରେ କମ ସୁଧ ମିଳିବ

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ପୁଣି ରେପୋ ହାର କମାଇଛି। ମୁଦ୍ରା ନୀତି କମିଟିରେ ଏହି ନିଷ୍ପତ୍ତି ନିଆଯାଇଥିବା ବିଷୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି। ରେପୋ ‌ହାର ୦.୨୫ ପ୍ରତିଶତ ହ୍ରାସ କରିବା ଫଳରେ ବର୍ତ୍ତମାନ ଏହି ହାର ୫.୧୫ ପ୍ରତିଶତକୁ ଖସିଆସିଛି। କ୍ରମାଗତଭାବେ ପଞ୍ଚମ ଥର ପାଇଁ ରିଜର୍ଭ ବ୍ୟାଙ୍କ ରେପୋ ହାର କମାଇଛି। ଏହାଦ୍ବାରା ରେପୋ ହାର ସହ ଯୋଡ଼ା ଯାଇଥିବା ସବୁ ପ୍ରକାର ସୁଧ ହାର ଆଗାମୀ ଦିନରେ ହ୍ରାସ ପାଇବ। ଗାଡ଼ି, ଗୃହ ଏବଂ ବ୍ୟକ୍ତିଗତ ଋଣ ଆଦି ଆଗାମୀ ଦିନରେ ଶସ୍ତାହେବ। ମୁଦ୍ରା ନୀତି କମିଟିର ସମସ୍ତ ୬ ଜଣ ଯାକ ସଦସ୍ୟ ରେପୋ ହାର ହ୍ରାସ ସପକ୍ଷରେ ମତ ଦେଇଥିଲେ। ତେବେ ୫ ଜଣ ସଦସ୍ୟ ୦.୨୫ ପ୍ରତିଶତ ହ୍ରାସ ପାଇଁ କହିବାବେଳେ ସଦସ୍ୟ ରବୀନ୍ଦ୍ର ଢୋଲକିଆ ୦.୪୦ ପ୍ରତିଶତ ହ୍ରାସ ‌ପାଇଁ ମତ ଦେଇଥିଲେ। ମୁଦ୍ରା ନୀତି କମିଟିର ଆଗାମୀ ବୈଠକ ଆସନ୍ତା ଡିସେମ୍ବର ୩ରୁ ୫ ତାରିଖ ପର୍ଯ୍ୟନ୍ତ ହେବ।

ଡିସେମ୍ବରରୁ ଚବିଶ ଘଣ୍ଟା ଏନ୍‌ଇଏଫ୍‌ଟି

ଚଳିତବର୍ଷ ଫେବ୍ରୁଆରି ୬ ତାରିଖରେ ମୁଦ୍ରାନୀତି କମିଟି ରେପୋ ହାର ୦.୨୫ ପ୍ରତିଶତ ହ୍ରାସ କରି ୬.୨୫ ପ୍ରତିଶତ ରଖିଥିଲା। ଏହାପରେ ଚଳିତବର୍ଷ ଏପ୍ରିଲ ୪ ତାରିଖରେ ରେପୋ ହାର ୬ ପ୍ରତିଶତକୁ, ଜୁନ୍ ୬ରେ ୫.୭୫ ପ୍ରତିଶତକୁ, ଅଗଷ୍ଟ ୭ରେ ୫.୪୦ ପ୍ରତିଶତକୁ ଏବଂ ଅକ୍ଟୋବର ୪ରେ ୫.୧୫କୁ ହ୍ରାସ ପାଇଛି। ରିଜର୍ଭ ବ୍ୟାଙ୍କ ରେପୋ ହାର ହ୍ରାସ କରିବା ଫଳରେ ନୂଆ ଋଣ ଗ୍ରହୀତାମାନେ ତୁରନ୍ତ ଉପକୃତ ହେବେ। କିନ୍ତୁ ପୁରୁଣା ଗ୍ରାହକମାନଙ୍କୁ ଏହାର ଲାଭ ଉଠାଇବା ପାଇଁ ‌ହେଲେ ସେମାନଙ୍କୁ ଏଥିପାଇଁ ଆବେଦନ କରିବାକୁ ପଡ଼ିବ। ଯେଉଁ ବ୍ୟାଙ୍କ ଗୁଡ଼ିକ ସେମାନଙ୍କ ସୁଧ ହାରକୁ ରେପୋ ହାର ସହିତ ଯୋଡ଼ିଛନ୍ତି ସେହି ବ୍ୟାଙ୍କର ଗ୍ରାହକଙ୍କୁ ତୁରନ୍ତ ଲାଭ ମିଳିବ। ରିଜର୍ଭ ବ୍ୟାଙ୍କ କ୍ରମାଗତଭାବେ ପଞ୍ଚମ ଥର ପାଇଁ ରେପୋ ହାର ହ୍ରାସ କରିବା ଫଳରେ ଏହା ଏବେ ୫.୧୫ ପ୍ରତିଶତକୁ ଖସି ଗତ ୯ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଛୁଇଁଛି। ୨୦୧୦ ମାର୍ଚ୍ଚ ପରେ ରେପୋ ହାର ପ୍ରଥମ ଥର ପାଇଁ ଏହି ସ୍ତରକୁ କମିଛି।

ଯେଉଁ ରିଜର୍ଭ ବ୍ୟାଙ୍କ ପୂର୍ବରୁ କହୁଥିଲା ୨୦୧୯-୨୦ରେ ଅଭିବୃଦ୍ଧି ୬.୯% ହେବ ତାହା ସେହି ଆକଳନକୁ ବଦଳାଇ କହିଛି ଯେ ଅଭିବୃଦ୍ଧି ହାର ୬.୧%କୁ ଖସିଯିବ। ରେପୋ ହାର ହ୍ରାସ ପରେ ଜମାକାରୀ, ବିଶେଷକରି ମିଆଦୀ ଜମା ରଖୁଥିବା ବ୍ୟକ୍ତିମାନେ ଚିନ୍ତାରେ ପଡ଼ିଛନ୍ତି। ରେପୋ ହାର ହ୍ରାସ ପାଇଥିବାରୁ ବ୍ୟାଙ୍କ ଗୁଡ଼ିକ ମିଆଦୀ ଜମା ସୁଧ ହାର କମାଇବା ଆଶଙ୍କା ରହିଛି।

ଭାରତୀୟ ରିଜର୍ଭ ବ୍ୟାଙ୍କ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡ୍ ଟ୍ରାନ୍ସଫର (ଏନ୍‌ଇଏଫ୍‌ଟି) ସମୟ ବଢ଼ାଇଛନ୍ତି। ଆସନ୍ତା ଡିସେମ୍ବର ଠାରୁ ଏହି ସୁବିଧା ଗ୍ରାହକଙ୍କ ପାଇଁ ଚବିଶ ଘଣ୍ଟା ଉପଲବ୍ଧ ହେବ। ବର୍ତ୍ତମାନ ଏହି ସୁବିଧା କେବଳ କାର୍ଯ୍ୟ ଦିବସଗୁଡ଼ିକରେ ସକାଳ ୮ଟାରୁ ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି। ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚାଇବା ଲାଗି ଭାରତୀୟ ରିଜର୍ଭ ବ୍ୟାଙ୍କ ମାଇକ୍ରୋଫାଇନାନ୍ସ ସଂସ୍ଥାର ଗ୍ରାହକଙ୍କ ଲାଗି ଦିଆଯାଉଥିବା ଋଣର ସୀମାକୁ ବଢ଼ାଇଛନ୍ତି। ଏହି ନିଷ୍ପତ୍ତି ପଛର ମୂଳ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କ ପାଖରେ ଅଧିକ ଟଙ୍କା ପହଞ୍ଚାଇବା। ଏନ୍‌ବିଏଫ୍‌ସି-ଏମ୍‌ଏଫ୍‌ଆଇର ଗ୍ରାମୀଣ ଗ୍ରାହକଙ୍କ ଘରର ଆୟ ସୀମାକୁ ୧ ଲକ୍ଷ ଟଙ୍କା ପରିବର୍ତ୍ତେ ୧ ଲକ୍ଷ ୨୫ ହଜାର ଟଙ୍କାକୁ ବଢ଼ାଇ ଦିଆଯାଇଛି। ସେହିପରି ସହରାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଗ୍ରାହକଙ୍କ ଲାଗି ଆୟ ସୀମାକୁ ୧ ଲକ୍ଷ ୬୦ ହଜାର ଟଙ୍କାରୁ ବଢ଼ାଇ ଦୁଇ ଲକ୍ଷ ଟଙ୍କା କରାଯାଇଛି। ଗ୍ରାହକମାନଙ୍କୁ ଦିଆଯାଉଥିବା ଋଣର ସୀମାକୁ ୧ ଲକ୍ଷ ଟଙ୍କାରୁ ବଢ଼ାଇ ୧ ଲକ୍ଷ ୨୫ ହଜାର ଟଙ୍କା କରାଯାଇଛି।

ଆଜି ମୁଦ୍ରା ନୀତି ଘୋଷଣା ପାଇଁ ଆୟୋଜନ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶ୍ରୀ ଦାସଙ୍କୁ ଅଭିବୃଦ୍ଧି, ପିଏମ୍‌ସି ବ୍ୟାଙ୍କ ଓ କେନ୍ଦ୍ର ସରକାର ମାଗିଥିବା ଅନ୍ତରୀଣ ଲାଭାଂଶ ଆଦି ସଂକ୍ରାନ୍ତ ଜଟିଳ ପ୍ରଶ୍ନ କରାଯାଇଥିଲା ଯାହାର ସେ ବହୁତ ସୁନ୍ଦର ଉ‌ତ୍ତର ଦେଇଥିଲେ। ଦେଶରେ ସମବାୟ ବ୍ୟାଙ୍କଗୁଡ଼ିକ ସୁରକ୍ଷିତ ବୋଲି ସେ କହିଛନ୍ତି। ଅଭିବୃଦ୍ଧି ପାଇଁ ଯାହା ସମ୍ଭବ ତାହା କରୁଛୁ ବୋଲି କହିବା ସହିତ ସରକାର ଆମକୁ ଅନ୍ତରୀଣ ଲାଭାଂଶ ମାଗିନାହାନ୍ତି ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ବର୍ଜନ କରାଯାଇଛି।

ସମ୍ବନ୍ଧିତ ଖବର