ନୂଆଦିଲ୍ଲୀ: ଯେଉଁ ଏଲ୍ପିଜି ଗ୍ରାହକମାନେ ସବ୍ସିଡି ଫେରାଇ ଦେଇଥିଲେ ସେମାନେ ପୁଣି ସେହି ସବ୍ସିଡି ପାଇବାକୁ ଆବେଦନ କରିପାରିବେ। ସେମାନଙ୍କୁ ନିଜ ଗ୍ୟାସ୍ ଏଜେନ୍ସିରେ ସେଥିପାଇଁ ଆବେଦନ କରିବାକୁ ପଡ଼ିବ। ଏଲ୍ପିଜି ଦରରେ ଅହେତୁକ ବୃଦ୍ଧି ହେବା ପରେ ସବ୍ସିିଡି ଫେରାଇଥିବା ଗ୍ରାହକଙ୍କୁ ପୁଣି ସବ୍ସିଡି ଦିଆଯିବ।
ସବ୍ସିଡି ପାଇଁ ଆବେଦନ କରିବା ବେଳେ ଗ୍ରାହକଙ୍କୁ ଏକ ଘୋଷଣାନାମା ଦାଖଲ କରିବାକୁ ପଡ଼ିବ ଯେ ତାଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ କମ୍। ଆଧାର ଓ ବ୍ୟାଙ୍କ ଖାତା ବିବରଣୀ ମଧ୍ୟ ଦେବାକୁ ପଡ଼ିବ।
ଗତ ଦୁଇ ବର୍ଷ ଭିତରେ ଅଣ-ସବ୍ସିଡି ଏଲ୍ପିଜି ଦର ୩୮୦ ଟଙ୍କା ବଢ଼ିଛି। ସେହି ସମୟ ଭିତରେ ଏଲ୍ପିଜି ଉପରେ ପ୍ରଦାନ କରାଯାଉଥିବା ସବ୍ସିଡି ପରିମାଣ ମଧ୍ୟ ୬ ଗୁଣା ବୃଦ୍ଧି ପାଇ ୩୭୬ ଟଙ୍କାରେ ପହଞ୍ଚିଗଲାଣି। ଦୁଇ ବର୍ଷ ତଳେ ଗୋଟିଏ ସିଲିଣ୍ଡର ଉପରେ ୬୨ ଟଙ୍କା ୫୦ ପଇସାର ସବ୍ସିଡି ଦିଆଯାଉଥିଲା। ଏବେ ସିଲିଣ୍ଡର ପିଛା ୩୭୬ ଟଙ୍କା ୬୦ ପଇସାର ସବ୍ସିଡି ମିଳୁଛି। ଏଲ୍ପିଜି ଦର କମ୍ ଥିବା ସମୟରେ ସବ୍ସିଡି ଛାଡ଼ିବାକୁ ସ୍ବଚ୍ଛଳ ବର୍ଗର ଲୋକମାନଙ୍କୁ ସରକାର ଆହ୍ବାନ ଦେଇଥିଲେ। ଦେଶରେ ଥିବା ୨୪.୫ କୋଟି ଏଲ୍ପିଜି ଗ୍ରାହକଙ୍କ ମଧ୍ୟରୁ ପାଖାପାଖି ୨ କୋଟି ଲୋକ ସ୍ବେଚ୍ଛାକୃତ ଭାବେ ସବ୍ସିଡି ଛାଡ଼ି ଦେଇଥିଲେ। ସେମାନଙ୍କ ମଧ୍ୟରେ ଏଭଳି ଅନେକ ଗ୍ରାହକ ରହିଛନ୍ତି େଯଉଁମାନଙ୍କ ବାର୍ଷିକ ଆୟ ସୀମିତ। ଏଲ୍ପିଜିର ଚଢ଼ା ଦରକୁ ଦେଖି ସେମାନେ ପୁଣି ନିଜର ସବ୍ସିଡି ପାଇବାକୁ ଚାହୁଛନ୍ତି।
ଯେଉଁମାନଙ୍କ ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ, ଯେଉଁମାନେ ଆଧାର ଓ ବ୍ୟାଙ୍କ ଖାତା ବିବରଣୀ ଦାଖଲ କରିବାରେ ବିଫଳ ହୋଇଥିଲେ ସେମାନଙ୍କୁ ସବ୍ସିଡି ମିଳୁନାହିଁ।
ଚଳିତ ବର୍ଷ ତେଲ କଂପାନିଗୁଡ଼ିକୁ ସରକାର ଏଲ୍ପିଜି ସବ୍ସିଡି ବାବଦରେ ୬୬% ଅଧିକ ଟଙ୍କା ଗଣିବେ। ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବଜେଟ୍ରେ ଧାର୍ଯ୍ୟ ହୋଇଥିବା ଲକ୍ଷ୍ୟଠାରୁ ଅଧିକ ୧୨୦୦୦ କୋଟି ଟଙ୍କାର ଗ୍ୟାସ୍ ଓ କିରାସିନି ସବ୍ସିଡି ବାବଦରେ ଦେବାକୁ କଂପାନିଗୁଡ଼ିକ ସରକାରଙ୍କୁ କହିଛନ୍ତି।
ପୁଣି ପାଇବେ ଗ୍ୟାସ୍ ସବ୍ସିଡି:ଅସମ୍ଭାଳ ହେଉଛି ଏଲ୍ପିଜି ଦର
/sambad/media/post_attachments/wp-content/uploads/2018/10/gas-cylinders.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)