ସାନ୍ ଫ୍ରାନ୍ସିସ୍କୋ: ଫେସବୁକ୍ର ପ୍ରସ୍ତାବିତ ଡିଜିଟାଲ୍ ମୁଦ୍ରା ‘ଲିବ୍ରା’ ଉପରେ ଏହାର ସହ ପ୍ରତିଷ୍ଠାତା କ୍ରିସ୍ ହ୍ୟୁଗସ୍ ଆପତ୍ତି ଉଠାଇଛନ୍ତି। ଏହି ନୂଆ ଡିଜିଟାଲ୍ ମୁଦ୍ରା ‘ଭୟଙ୍କର’ ବୋଲି ସେ କହିଛନ୍ତି।
ଫେସବୁକ୍କୁ ସମାଲୋଚନା କରିବା ହ୍ୟୁଗସ୍ଙ୍କ ପାଇଁ ନୂଆ କଥା ନୁହେଁ। ଫେସବୁକ୍କୁ ଖଣ୍ଡ ଖଣ୍ଡ କରି ଭାଙ୍ଗି ଦେବାକୁ ଗତ ମେ’ ମାସରେ ସେ ପ୍ରସ୍ତାବ ଦେଇଥିଲେ। ଏବେ ସେହି ସଂସ୍ଥାର କ୍ରିପ୍ଟୋ ମୁଦ୍ରାକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ହ୍ୟୁଗସ୍ କହିଛନ୍ତି ଯେ, ଫେସବୁକ୍ର ଏହି ମୁଦ୍ରା ସଫଳ ହେଲେ ବିଭିନ୍ନ ଦେଶର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପାଖରେ ଯେଉଁ କ୍ଷମତା ରହିଛି ତାହା କର୍ପୋରେଟ୍ ସଂସ୍ଥା ହାତକୁ ଚାଲିଯିବ। ବହୁଦେଶୀୟ କଂପାନିଙ୍କ ପାଖରେ ମୁଦ୍ରା ପରିଚାଳନା କ୍ଷମତା ରହିବ। ମୁଦ୍ରାନୀତି ବିଷୟରେ ଏବେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ନିଷ୍ପତ୍ତି ନେଉଛନ୍ତି। ମାତ୍ର ଲିବ୍ରା ଯଦି ସଫଳ ହୋଇଯିବ ତେବେ ସେହି କ୍ଷମତା ବଡ଼ କଂପାନିଙ୍କ ହାତକୁ ଚାଲିଯିବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ଲିବ୍ରାକୁ ନେଇ ସାରା ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ଏବେ ଠାରୁ ସତର୍କ ହୋଇଯିବା ଦରକାର। ଲିବ୍ରାର ବ୍ୟାପକ ଯାଞ୍ଚ ପାଇଁ ସେ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ପ୍ରସ୍ତାବ ଦେଇଛନ୍ତି। ହ୍ୟୁଗସ୍ କହିଛନ୍ତି ଯେ, ଲିବ୍ରା ସଫଳ ହେବ ନା ନାହିଁ ତାହା ଏବେଠାରୁ କହିହେବ ନାହିଁ। କିନ୍ତୁ ଲୋକମାନଙ୍କୁ ପ୍ରଭାବିତ କରିବା ପାଇଁ ଫେସବୁକ୍ ପାଖରେ ରହିଥିବା କ୍ଷମତାକୁ ଅଣଦେଖା କରାଯାଇପାରିବ ନାହିଁ। କଂପାନି ଯେଉଁ ସବୁ ନିଷ୍ପତ୍ତି ନେଇଛି ତାହା ଲୋକମାନଙ୍କ ଉପରେ ଗଭୀର ପ୍ରଭାବ ପକାଇଛି। ଫେସବୁକ୍ ଜରିଆରେ ଆତଙ୍କବାଦୀ କାର୍ଯ୍ୟକଳାପର ଲାଇଭ୍ ଷ୍ଟ୍ରିମିଂ ହେଉଥିବା ସେ କହିଛନ୍ତି। ଲିବ୍ରା ନାମରେ କ୍ରିପ୍ଟୋକରେନ୍ସି ଆଣିବା ବିଷୟରେ ଫେସବୁକ୍ ଘୋଷଣା କରିଛି। ଆସନ୍ତା ବର୍ଷ ସୁଦ୍ଧା ତାହା ଉପଲବ୍ଧ ହେବ। ଯେହେତୁ କ୍ରିପ୍ଟୋକରେନ୍ସି ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ କଟକଣା ଜାରି କରିଛନ୍ତି ତେଣୁ ତାହା ଭାରତରେ ଉପଲବ୍ଧ ହେବାର ବହୁତ କମ୍ ସମ୍ଭାବନା ରହିଛି।