ପୁଣି ଜିଏସ୍‌ଟି ହାରରେ ପରିବର୍ତ୍ତନ ହେବ

ନୂଆଦିଲ୍ଲୀ: ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ହାରରେ ଆଉ ଥରେ ପରିବର୍ତ୍ତନ ହେବ। ଓଲଟା ଟିକସ ଢାଞ୍ଚାରେ ଆଉ କିଛିଟା କାମ ବାକି ରହିଛି ଯାହାକୁ ଶେଷ କରିବା ବିଷୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇଙ୍କ ନେତୃତ୍ବାଧୀନ ମନ୍ତ୍ରୀ ‌ଗୋଷ୍ଠୀ ବିଚାର କରୁଛି। ଆସନ୍ତା ସେପ୍ଟେମ୍ବରରେ ଜିଏସ୍‌ଟି ପରି‌ଷଦର ଆଗାମୀ ବୈଠକ ଅନୁଷ୍ଠିତ ହେବ। ତା’ପୂର୍ବରୁ ଟିକସ ହାରରେ ପରିବର୍ତ୍ତନ ପାଇଁ ମନ୍ତ୍ରୀ ଗୋଷ୍ଠୀ ସୁପାରିସ କରିବ।

ଓଲଟା ଟିକସ ଢାଞ୍ଚାକୁ ନେଇ ଗତ ଦୁଇ ଥରରେ ବହୁତ ଭଲ କାମ ହୋଇଛି। ଆଉ ଯାହା କିଛି ବାକି ରହିଛି ତାହା ଏଥର ଶେଷ କରାଯିବ। ବିଶେଷ କରି ବୟନ, ଆଟୋମୋବାଇଲ୍, ୟୁରିଆ ଓ ଅନ୍ୟାନ୍ୟ ସାରର କଞ୍ଚାମାଲ, କେତେକ ଇଲେକ୍ଟ୍ରୋନିକ୍ ଉପାଦାନ ଓ ଇଲେକ୍ଟ୍ରିକ୍ ଗାଡ଼ିକୁ ନେଇ ରହିଥିବା ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯିବ। ବର୍ତ୍ତମାନ ଏହି କ୍ଷେତ୍ରର କଂପାନିଗୁଡ଼ିକ ପୁଞ୍ଜି ସାମଗ୍ରୀ ମଗାଇବା ବେଳେ ଯେଉଁ ଇନପୁଟ୍ ଟ୍ୟାକ୍ସ ଦେଉଛନ୍ତି ତାହାକୁ ବ୍ୟବହାର କରିପାରୁନଥିବା ବେଳେ ତାହାକୁ ମଧ୍ୟ ଫେରିପାଉନାହାନ୍ତି। ଫଳରେ ସେମାନଙ୍କ କାର୍ଯ୍ୟକାରୀ ପୁଞ୍ଜି ଖର୍ଚ୍ଚ ଅଧିକ ରହୁଛି। ଗତ ବର୍ଷ ସେପ୍ଟେମ୍ବରରେ ଜୋତା, ଚପଲ ଓ ବୟନ କ୍ଷେତ୍ରର ଓଲଟା ଟିକସ ଢାଞ୍ଚାକୁ ବଦଳାଇବା ଲାଗି ଜିଏସ୍‌ଟି ପରିଷଦ ନିଷ୍ପତ୍ତି ନେଇଥିଲା। ଏକ ହଜାର ଟଙ୍କା ପର୍ଯ୍ୟନ୍ତର ଜୋତା, ଚପଲ ଉପରେ ୧୨% ହାରରେ ଜିଏସ୍‌ଟି ଲଗାଇବାକୁ ନିଷ୍ପତ୍ତି ହୋଇଛି ଯାହା ଚଳିତ ବର୍ଷ ଜାନୁଆରିରୁ ଲାଗୁ ହୋଇଛି।

ପୂର୍ବରୁ ଏଥିରେ ୫% ଜିଏସ୍‌ଟି ଲଗାଯାଇଥିଲା। ବୟନ ସାମଗ୍ରୀ ପାଇଁ ମଧ୍ୟ ସେହି ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଦିଲ୍ଲୀ ଭଳି ବହୁ ରାଜ୍ୟ ସେହି ପ୍ରସ୍ତାବକୁ ବିରୋଧ କରିବା ପରେ ତାହା ପ୍ରତ୍ୟାହାର ହୋଇଥିଲା।

ଚଳିତ ବର୍ଷ ଜୁନ୍‌ରେ ଆଉ କିଛି ସାମଗ୍ରୀ ଯଥା ଖାଇବା ତେଲ, ସୋଲାର ୱାଟର ହିଟର, ଏଲ୍‌ଇଡି ଲ୍ୟାମ୍ପ୍‌, ଛାପା କାଳି ଓ ଛୁରି ଆଦି ଉପରେ ଓଲଟା ଟିକସ ଢାଞ୍ଚାରେ ପରିବର୍ତ୍ତନ କରାଯାଇଥିଲା। ଏଥି ସହିତ ପୂର୍ବରୁ ପ୍ୟାକେଟ୍ ହୋଇ ବିକ୍ରି ହେଉଥିବା ଓ ପୂର୍ବରୁ ଲାବେଲ୍ ହୋଇଥିବା ରିଟେଲ୍‌ ପ୍ୟାକ୍ ଉପରେ ୫% ଜିଏସ୍‌ଟି ଲାଗୁ କରାଯାଇଥିଲା। ଟିକସ ଠକେଇକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଇଥିଲା। ପୂର୍ବରୁ ଟିକସ ଛାଡ଼ ବର୍ଗରେ ଥିବା ବହୁ ସାମଗ୍ରୀକୁ ବାହାର କରି ତାହା ଉପରେ ଟିକସ ଲଗାଯାଇଥିଲା।

ସମ୍ବନ୍ଧିତ ଖବର