ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟ ଜୁଲାଇରେ ବାଣିଜ୍ୟ ରାଜିନାମା ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ଆମେରିକାର ବାଣିଜ୍ୟ ମନ୍ତ୍ରୀ ହୋବାର୍ଟ ଲୁଟ୍ନିକ୍ କହିଛନ୍ତି ଯେ ବୁଝାମଣା ଲାଗି ଦୁଇ ଦେଶ ବାଟ ଖୋଜିସାରିଛନ୍ତି। ଆମେ ରାଜିନାମାର ଅତି ନିକଟତର ରହିଛୁ। ଏହି ବୁଝାମଣା ଉଭୟ ଦେଶ ଲାଗି ଲାଭଦାୟକ ହେବ ବୋଲି ସେ କହିଛନ୍ତି। ଭାରତ-ଆମେରିକା ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମ୍କୁ ସମ୍ବୋଧିକ କରିବା ବେଳେ ଲୁଟ୍ନିକ୍ ଏହା କହିଛନ୍ତି। ସେ କହିଛନ୍ତି ଯେ ଦୁଇ ଦେଶର ଠିକ୍ ଲୋକ କଥାବାର୍ତ୍ତା ଲାଗି ବସିଲେ ବୁଝାମଣା ପାଇଁ ଅଧିକ ସମୟ ଲାଗିବ ନାହିଁ। ଜୁଲାଇ ୮ ସୁଦ୍ଧା ଏକ ଅନ୍ତରୀଣ ବୁଝାମଣା ସ୍ବାକ୍ଷର ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଗତକାଲି ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ ଦୁଇ ଦେଶ ପରସ୍ପର ସହ କାରବାରକୁ ପ୍ରାଥମିକତା ଦେଉଛନ୍ତି ଏବଂ ଉଭୟ ପକ୍ଷର ପ୍ରତିନିଧି ଦଳ ଲଗାତାର ଭାବେ କଥାବାର୍ତ୍ତା କରୁଛନ୍ତି।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୬ ପ୍ରତିଶତ ପାଲଟା ଶୁଳ୍କ ଲଗାଇଛନ୍ତି। ସେହି ଶୁଳ୍କକୁ ୯୦ ଦିନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ବେଳେ ଦୁଇ ଦେଶ ବାଣିଜ୍ୟ ବୁଝାମଣା ଲାଗି କଥାବାର୍ତ୍ତା କରୁଛନ୍ତି। ଆମେରିକା ସେଥିରେ ଲାଭଜନକ ସ୍ଥିତିରେ ରହିବା ଲାଗି ଜୋରଦାର ଉଦ୍ୟମ କରୁଥିବା ସହ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ବିଭିନ୍ନ ପ୍ରକାରରେ ଚାପ ପକାଇବାକୁ ଉଦ୍ୟମ କରୁଛନ୍ତି। ଏଭଳି ପରିସ୍ଥିତିରେ ନିଜ ସ୍ବାର୍ଥକୁ ସୁରକ୍ଷିତ ରଖିବା ଏବଂ ଆମେରିକା ସହ ସନ୍ତୁଳନ ରକ୍ଷା କରି ଏକ ଭଲ ବୁଝାମଣା ହାସଲ କରିବା ଆହ୍ବାନର ବିଷୟ ପାଲଟିଛି। ଗତ ଏପ୍ରିଲ୍ ୨ ଶୁଳ୍କ ଲଗାଇବା ବେଳେ ଟ୍ରମ୍ପ କହିଥିଲେ ଯେ ଏହି ପଦକ୍ଷେପ ଆମେରିକା ଅର୍ଥନୀତିକୁ ସୁଦୃଢ଼ କରିବ। ଆମେରିକାକୁ ଅଧିକ ଜିନିଷ ବିକୁଥିବା ଓ କମ୍ କିଣୁଥିବା ଦେଶଗୁଡ଼ିକୁ ତାହା ବୁଦ୍ଧି ଶିଖାଇବ।
କିଛି ଦିନ ତଳେ ଟ୍ରମ୍ପ କହିଥିଲେ ଯେ ଭାରତ ସହିତ ବାଣିଜ୍ୟ ରାଜିନାମା ଏକପ୍ରକାର ଚୂଡ଼ାନ୍ତ ହୋଇଯାଇଛି। ଗତ ଏପ୍ରିଲ୍ରେ ଆମେରିକା ଉପରାଷ୍ଟ୍ରପତି ଜେ ଡି ଭାନ୍ସ ଭାରତ ଗସ୍ତରେ ଆସିଥିଲେ। ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷ୍ୟକୁ ସାକାର କରିବା ଦିଗରେ ଏହା ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଚୂଡ଼ାନ୍ତ ବୁଝାମଣା ଲାଗି ତାହା ଏକ ରୋଡ୍ମ୍ୟାପ୍ ପ୍ରଦାନ କରିବ ବୋଲି ସେ କହିଛନ୍ତି।