ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ବାଣିଜ୍ୟ ରାଜିନାମା ଆସନ୍ତା ୪୮ ଘଣ୍ଟା ଭିତରେ ହେବାର ସମ୍ଭାବନା ସୃଷ୍ଟି ହୋଇଛି। ଉଭୟ ପକ୍ଷ ରାଜିନାମାର ବିଭିନ୍ନ ବିଷୟ ଉପରେ ଆଲୋଚନା କରିସାରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜୁଲାଇ ୯ର ଯେଉଁ ସମୟ ସୀମା ଧାର୍ଯ୍ୟ କରିଥିଲେ ତାହା ଦ୍ରୁତ ଗତିରେ ପାଖେଇ ଆସୁଥିବାରୁ, ତାହା ପୂର୍ବରୁ ଭାରତ ବାଣିଜ୍ୟ ରାଜିନାମାରେ ମୋହର ଲଗାଇବାକୁ ପ୍ରୟାସ କରୁଛି। ୱାସିଂଟନରେ ଆଲୋଚନା ଚାଲିଛି। ସେଥିପାଇଁ ଭାରତୀୟ ଦଳ ଅଧିକ ଦିନ ସେଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ପକ୍ଷ ମଧ୍ୟରେ ଚାଲିଥିବା ମୁଲଚାଲରେ କୃଷିଜାତ ଓ ଦୁଗ୍ଧଜାତ ସାମଗ୍ରୀକୁ ନେଇ ଅଡ଼ୁଆ ତୁଟିନାହିଁ। 

Advertisment

କୃଷିଜାତ, ଦୁଗ୍ଧଜାତ ଓ ଜିଏମ୍ ଫସଲ ପାଇଁ ଭାରତ ତାହାର ବଜାରକୁ ଖୋଲୁ ବୋଲି ଆମେରିକା ଦାବି କରୁଛି। କିନ୍ତୁ ଚାଷୀମାନେ ଗୁରୁତର ପ୍ରଭାବିତ ହେବା ଆଶଙ୍କା ଥିବାରୁ ଭାରତ ସେହି ଦାବିକୁ ସହଜରେ ଗ୍ରହଣ କରିପାରୁନାହିଁ। ଭାରତର ଖାଦ୍ୟ ସୁରକ୍ଷା ଓ ଚାଷୀଙ୍କ ଜୀବନଜୀବିକାକୁ ଏହା ପ୍ରଭାବିତ କରିବାର ଆଶଙ୍କା ଥିବାରୁ ମୁଲଚାଲରୁ ଏହି ଦୁଇ ବିଷୟକୁ ବାଦ ଦେବା ବିଷୟରେ ଉଭୟ ପକ୍ଷ ବିଚାର କରୁଛନ୍ତି। ଜୋତା, ପୋଷାକ ଓ ଚମଡ଼ା ସାମଗ୍ରୀ ଆଦି ଉପରୁ ଶୁଳ୍କ କମ୍ କରିବା ଲାଗି ଭାରତ ସରକାର ଦାବି କରିଛନ୍ତି। ଏହି କ୍ଷେତ୍ରଗୁଡ଼ିକରେ ଭାରତରେ ବହୁ ସଂଖ୍ୟାରେ ଶ୍ରମିକ କାମ କରୁଛନ୍ତି ଏବଂ ଦେଶର ଅଭିବୃଦ୍ଧିରେ ତାହାର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଛି।