କୃଷି ଅଭିବୃଦ୍ଧି ୧.୨%କୁ ଖସିଲା: ଜୁଲାଇ-ସେପ୍ଟେମ୍ବରରେ ଜିଡିପି ଅଭିବୃଦ୍ଧି ୭.୬%

ନୂଆଦିଲ୍ଲୀ: ଚଳିତ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟ‌ରେ କୃଷି କ୍ଷେତ୍ର ଚାପରେ ରହିଥିଲା। କେନ୍ଦ୍ର ସରକାର ଆଜି ଜାରି କରିଥିବା ଅର୍ଥନୈତିକ ଅଭିବୃଦ୍ଧି ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଏହି ତିନି ମାସରେ କୃଷି କ୍ଷେତ୍ରର ଅଭିବୃଦ୍ଧି ମାତ୍ର ୧.୨ ପ୍ରତିଶତ ରହିଛି ଯାହା ତାହାର ତିନି ମାସ ପୂର୍ବରୁ ଅର୍ଥାତ୍‌ ଜାନୁଆରିରୁ ମାର୍ଚ୍ଚ ଭିତରେ ୩.୫ ପ୍ରତିଶତ ଭଳି ଉଚ୍ଚ ସ୍ତରରେ ଥିଲା। କୃଷି ଅଭିବୃଦ୍ଧି ହ୍ରାସ ପାଇବା ସତ୍ତ୍ବେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ଜୁଲାଇ-ସେପ୍ଟେମ୍ବରରେ ୭.୬ ପ୍ରତିଶତ ହୋଇଛି। ଫଳରେ ଅଭିବୃଦ୍ଧି କମ୍ ରହିବା ନେଇ ହୋଇଥିବା ସବୁ ଆକଳନ ଭୁଲ ପ୍ରମାଣିତ ହୋଇଛି।

ଚଳିତ ବର୍ଷର ଜାନୁଆରି-ମାର୍ଚ୍ଚର ଅଭିବୃଦ୍ଧି ୭.୮ ପ୍ରତିଶତ ଥିଲା। ଆଲୋଚ୍ୟ ତିନି ମାସରେ ଖଣି ଓ ଖନନ, ମାନୁଫାକ୍‌ଚରିଂ ଓ ନିର୍ମାଣ କ୍ଷେତ୍ରର ପ୍ରଦର୍ଶନ ବହୁତ ଭଲ ରହିଥିଲା। ଖଣି ଓ ଖନନ କ୍ଷେତ୍ର ୧୦ ପ୍ରତିଶତ ହାରରେ ଆଗକୁ ବଢ଼ିଥିବା ବେଳେ ମାନୁଫାକ୍‌ଚରିଂ ୧୩.୯ ପ୍ରତିଶତ ଏବଂ ନିର୍ମାଣ କ୍ଷେତ୍ର ୧୩.୩ ପ୍ରତିଶତ ହାରରେ ଆଗକୁ ବଢ଼ିଛି। ବାଣିଜ୍ୟ, ହୋଟେଲ ଓ ପରିବହନ କ୍ଷେତ୍ର ୪.୩ ପ୍ରତିଶତ ଭଳି ମନ୍ଥର ଗତିରେ ଆଗକୁ ବଢ଼ିଥିବା‌ ବେଳେ ବିଦ୍ୟୁତ କ୍ଷେତ୍ରର ଅଭିବୃଦ୍ଧି ୧୦.୧ ପ୍ରତିଶତ ଭଳି ଉତ୍ସାହଜନକ ସ୍ତରରେ ରହିଛି। ଆର୍ଥିକ ସେବା ଓ ରିଅଲ ଇଷ୍ଟେଟ୍‌ ୬ ପ୍ରତିଶତ ଏବଂ ସାଧାରଣ ପ୍ରଶାସନ ଓ ପ୍ରତିରକ୍ଷା ୭.୬ ପ୍ରତିଶତ ହାରରେ ଆଗକୁ ବଢ଼ିଛି।

କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଜାରି କରିଥିବା ତଥ୍ୟ ଅନୁସାରେ ଜୁଲାଇ-ସେପ୍ଟେମ୍ବର ତ୍ରୈମାସିକରେ ଦେଶର ଜିଡିପି ପରିମାର ୪୧.୭୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨-୨୩ର ସେହି ସମୟରେ ଜିଡିପି ପରିମାଣ ୩୮.୭୮ ଲକ୍ଷ କୋଟି ଟଙ୍କା ଥିଲା। ଚଳିତ ବର୍ଷର ଜୁଲାଇ-ସେପ୍ଟେମ୍ବର ତିନି ମାସରେ ଚାଉଳ ଉତ୍ପାଦନ ୩.୧ ପ୍ରତିଶତ ହ୍ରାସ ପାଇଥିବା ବେଳେ ଘରୋଇ ଯାନବାହନ କିଣା ୦.୫ ପ୍ରତିଶତ ଏବଂ ସାମଗ୍ରୀ ଓ ସେବା ଆମଦାନି ୬.୫ ପ୍ରତିଶତ ହ୍ରାସ ପାଇଛି। ସେହି ସମୟରେ କୋଇଲା, ଅଶୋଧିତ ତୈଳ, ଇସ୍ପାତ, ଟେଲିଫୋନ୍ ଗ୍ରାହକ, କମର୍ସିଆଲ ଗାଡ଼ି ବିକ୍ରି, ବନ୍ଦରରେ ପଣ୍ୟ ପରିବହନ, ବିମାନବନ୍ଦରରେ ପଣ୍ୟ ପରିବହନ ଓ ଯାତ୍ରୀ ସଂଖ୍ୟା, ବ୍ୟାଙ୍କର ଜମା ଓ ଅଗ୍ରୀମ, ସାମଗ୍ରୀ ଓ ସେବା ରପ୍ତାନିରେ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର