ଆଇସିଆରଆଇଏସଏଟିର ଦୁଇ ବିଶେଷଜ୍ଞଙ୍କ ପରାମର୍ଶ : ସଂକଟ ଟଳିବା ପର୍ଯ୍ୟନ୍ତ କୃଷକଙ୍କୁ ସହାୟତା ମିଳିବା ଜରୁରୀ

ଭୁବନେଶ୍ବର : ଦେଶରେ କୋଭିଡ୍‌-୧୯ ଯୋଗୁଁ ଜଟିଳ ପରିସ୍ଥିତି ସୃଷ୍ଟି ହୋଇଛି। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିଙ୍କ ଉପରେ ଏହାର ଗୁରୁତର ପ୍ରଭାବ ପଗଡ଼ିଛି। କେନ୍ଦ୍ର ସରକାର ଏବଂ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷିତ ପ୍ୟାକେଜରେ ଏମାନଙ୍କ ପାଇଁ ଅନେକ ପଦକ୍ଷେପ ମଧ୍ୟ ନିଆଯାଇଛି। ଏସବୁ ସତ୍ତ୍ବେ କୃଷି କ୍ଷେତ୍ର ପାଇଁ ଅନେକ ସମସ୍ୟା ଓ ଆହ୍ବାନ ରହିଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କ ପାଇଁ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି ବୋଲି ଆଇସିଆରଆଇଏସଏଟି ( ଇଣ୍ଟରନ୍ୟାସନାଲ କ୍ରପ୍ସ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଦି ସେମି-ଏରିଡ୍‌ ଟ୍ରପିକ୍ସ)ର ଦୁଇ ବରିଷ୍ଠ ଅଧିକାରୀ ତଥା ବିଶେଷଜ୍ଞ ମତ ଦେଇଛନ୍ତି।

କ‌‌ୋଭିଡ-୧୯ ପରିପ୍ରେକ୍ଷୀରେ ଆଇସିଆରଆଇଏସଏଟିର ମହାନିର୍ଦ୍ଦେଶକ ଡ. ପିଟର କାରବେରି ଏବଂ ନୂଆଦିଲ୍ଲୀସ୍ଥିତ ଆଇସିଆରଆଇଏସଏଟିର ନିର୍ଦ୍ଦେଶକ (କଣ୍ଟ୍ରି ରିଲେସନ୍ସ ଆଣ୍ଡ ବିଜ୍‌ନେସ୍ ଆଫେୟାର୍ସ) ଡ. ଅରବିନ୍ଦ କୁମାର ପାଢ଼ୀ ସରକାରଙ୍କୁ କେତେକ ପରାମର୍ଶ ଦେଇଛନ୍ତି। କରୋନା ସଂକଟ ଟଳିବା ଏବଂ ପରିସ୍ଥିତି ସ୍ବାଭାବିକ ହେବା ପର୍ଯ୍ୟନ୍ତ କୃଷକମାନଙ୍କୁ ସରକାର ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି ସେମାନେ ମ‌ତ ଦେଇଛନ୍ତି। ଭାରତୀୟ କୃଷି ଉପରେ କୋଭିଡ୧୯ର ପ୍ରଭାବକୁ ରୋକିବା ଶୀର୍ଷକରେ ଏମାନେ ଏକ ଆଲେଖ୍ୟ ଲେଖିଛନ୍ତି। ସେଥିରେ‌ ସେମାନେ ମୁଖ୍ୟତଃ କରୋନା ଯୋଗୁଁ କୃଷି କ୍ଷେତ୍ର କିଭଳି ପ୍ରଭାବିତ ହୋଇଛି ଏବଂ ସରକାର କେଉଁସବୁ ପଦକ୍ଷେପ ନେଇଛନ୍ତି, ଆସନ୍ନ ବିପଦ ସବୁ କ’ଣ ରହିଛି ଏବଂ ଏସବୁକୁ କିଭଳି ପ୍ରଶମନ କରାଯିବ ତା‌ହା ଉପରେ ଆଲୋକପାତ କରିଛନ୍ତି। ଆଲେଖ୍ୟର ପରାମର୍ଶ ଅଂଶରେ ସେମାନେ ଉଲ୍ଲେଖ କରିଛନ୍ତି, ଦେଶର ପ୍ରାୟ ୮୫ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଏବଂ ନାମମାତ୍ର କୃଷକ। ଏଥିସହିତ ଦେଶରେ ବହୁସଂଖ୍ୟାରେ ଭୂମିହୀନ କୃଷି ଶ୍ରମିକ ମଧ୍ୟ ରହିଛନ୍ତି। କରୋନା ଜନିତ କ୍ଷତିକୁ ହ୍ରାସ କରିବା ପାଇଁ ନିଆଯାଉଥିବା ଯେକୌଣସି ପଦକ୍ଷେପ ନିଶ୍ଚିତଭାବେ ଏସବୁ ବର୍ଗର ଲୋକଙ୍କୁ ସାହାଯ୍ୟ କରିବ। ତେବେ ଏସବୁର କାର୍ଯ୍ୟକାରିତାକୁ ନିଷ୍ଠାର ସହ କରାଯିବା ଆବଶ୍ୟକ ବୋଲି ଏହି ବିଶେଷଜ୍ଞ ଦ୍ବୟ ‌ଏକ ଲେଖାରେ ମତ ଦେଇଛନ୍ତି। କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ର ଉପରେ ନିର୍ଭରଶୀଳ ବ୍ୟକ୍ତି ଏବଂ ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିମାନଙ୍କ ପାଇଁ ବର୍ତ୍ତମାନର ସଂକଟ ଟଳିବା ପର୍ଯ୍ୟନ୍ତ ବିକଳ୍ପ ଆୟ ପନ୍ଥା ଯୋଗାଇ ଦିଆଯାଇବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କୃଷି ଉତ୍ପାଦର ଚାହିଦା ବଜାୟ ରଖିବା ପାଇଁ ହେଲେ ପ୍ରମୁଖ ଲଜିଷ୍ଟିକ୍ସରେ ନିବେଶ ରାଶି ବଢ଼ାଇବାକୁ ହେବ। ଏଥିସହିତ ଇ-କମର୍ସ, ଷ୍ଟାର୍ଟ ଅପ୍ କମ୍ପାନି ଗୁଡ଼ିକୁ ଉପଯୁକ୍ତ ନୀତି ସହିତ ଆଗକୁ ବଢ଼ିବା ପାଇଁ ପ୍ରୋତ୍ସାହିତ କରାଯିବା ଉଚିତ। କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର କଞ୍ଚାମାଲକୁ ବ୍ୟବହାର କରି ଗଢ଼ି ଉଠିଥିବା ଅଣୁ. କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗଗୁଡ଼ିକୁ ମଧ୍ୟ ସ୍ବତନ୍ତ୍ର ଧ୍ୟାନ ଦିଆଯିବା ଆବଶ୍ୟକ। କୃଷି କ୍ଷେତ୍ରର ଶ୍ରମିକ ଅଭାବ ସମସ୍ୟାକୁ ରାଜ୍ୟ ସରକାରମାନେ କୃଷି ଯନ୍ତ୍ରାଂଶ ଯୋଗାଣ ମାଧ୍ୟମରେ ପୂରଣ କରିବା ଆବଶ୍ୟକ। ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍ ଅବଧିରେ ଘୋଷଣା କରାଯାଇଥିବା ପଦକ୍ଷେପ ଏବଂ କୃଷକ ମାନଙ୍କ ଅଭିଯୋଗର ଶୁଣାଣି ଏବଂ ପରାମର୍ଶ ଦେବା ପାଇଁ ସରକାର ଆଞ୍ଚଳିକ ଭାଷାରେ ଉତ୍ସର୍ଗୀକୃତ ନିଃଶୁଳ୍କ ହେଲପଲାଇନ୍ ନମ୍ବର/କଲ ସେଣ୍ଟର ସ୍ଥାପନ କରିବା ଆବଶ୍ୟକ ବୋଲି ଏହି ଦୁଇ ବିଶେଷଜ୍ଞ ମତ ଦେଇଛନ୍ତି। ଖରିଫ ଚାଷ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବାରୁ କୃଷକମାନଙ୍କୁ ତୁରନ୍ତ ଆନୁଷ୍ଠାନିକ ଋଣ ଯୋଗାଇ ଦିଆଯିବା ଆବଶ୍ୟକ। କୃଷକମାନେ ଯେଭଳି ସହଜରେ ବିହନ, ସାର, ଔଷଧ ଆଦି କଞ୍ଚାମାଲ ପାଇପାରିବେ ତାହାକୁ ଦୃଷ୍ଟିରେ ସେସବୁକୁ ଆଗୁଆ ମହଜୁଦ ରଖିବାକୁ ଏମାନେ ପରାମର୍ଶ ଦେଇଛନ୍ତି। ଘରୋଇ କ୍ଷେତ୍ର ମଧ୍ୟ ସହାୟତାର ହାତ କୃଷକମାନଙ୍କୁ ବଢ଼ାଇବାର ଆବଶ୍ୟକତା ରହିଛି। କୃଷକମାନେ ଯେଭଳି ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଅନ୍ୟ ମଣ୍ଡିରେ ବିକ୍ରି କରିପାରିବେ ତାହାର ବ୍ୟବସ୍ଥା କରିବା ଆବଶ୍ୟକ। କୃଷକମାନଙ୍କ ବଳକା ବା ବିକ୍ରିଯୋଗ୍ୟ ସାମଗ୍ରୀକୁ କିଣିବା ପାଇଁ ସରକାରୀ କଳ ପ୍ରସ୍ତୁତ ରହିବା ଉଚିତ। ଭାରତ ବିଭିନ୍ନ ପ୍ରକାର କୃଷିଜାତ ସାମଗ୍ରୀ ରପ୍ତାନି କରିଆସୁଛି। ୨୦୧୮-୧୯ରେ ଭାରତ ୩୮ ବିଲିଅନ ଡଲାରର କୃଷିଜାତ ସାମଗ୍ରୀ ରପ୍ତାନି କରିଥିଲା। ଉପଯୁକ୍ତ ନୀତି ଗ୍ରହଣ କରି କୃଷି ରପ୍ତାନିକୁ ଆହୁରି ବଢ଼ାଇବା ଆବଶ୍ୟକ। ରପ୍ତାନ୍ତି ବଢ଼ିଲେ କୃଷକଙ୍କ ଆୟ ବଢ଼ିବ। ଏଥିପାଇଁ ସରକାରଙ୍କୁ ଆବଶ୍ୟକ ଭିତ୍ତିଭୂମି ପ୍ରତିଷ୍ଠା କରିବାକୁ ପଡ଼ିବ। କୋଭିଡ-୧୯ ଚାଲିଯିବା ପରେ ସରକାର ଯେଉଁ କୃଷି ନୀତି ପ୍ରସ୍ତୁତ କରିବେ ସେଥିରେ ଉପରୋକ୍ତ ବିଷୟ ସମେତ ଅନ୍ୟାନ୍ୟ ବିଷୟକୁ ଧ୍ୟାନ ଦେବା ଆବଶ୍ୟକ ବୋଲି ଡ. କାରବେରି ଏବଂ ଡ ପାଢ଼ୀ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର