ନୂଆଦିଲ୍ଲୀ: ମଣିଷର ଭାବନା ଶକ୍ତିକୁ ଅବିକଳ ନକଲି କରି କାର୍ଯ୍ୟ କରୁଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ (କୃତ୍ରିମ ବୁଦ୍ଧିମତା) ବା ଏଆଇ ପ୍ରଯୁକ୍ତି କୋଟି କୋଟି ପାରମ୍ପରିକ ଚାକିରି ନେଇଯିବାର ଆଶଙ୍କା ସୃଷ୍ଟି କରିଛି। ଚାଟ୍‌ଜିପିଟି ଭଳି ବିଶ୍ବର ବହୁଳ ଲୋକପ୍ରିୟ ଏଆଇ ପ୍ରଯୁକ୍ତି କିଛି ନୂଆ ଚାକିରି ମଧ୍ୟ ସୃଷ୍ଟି କରିଛି, ଯେଉଁ ଚାକିରିରେ ବର୍ଷକୁ ୨ କୋଟି ଟଙ୍କା ପର୍ଯ୍ୟନ୍ତର ମୋଟା ଅଙ୍କର ଦରମା ମିଳିବ। ପ୍ରମ୍ପଟ୍‌ ଇଞ୍ଜିନିୟର ନାମରେ ସୃଷ୍ଟି ହୋଇଥିବା ଏହି ନୂଆ ଚାକିରି କରିବା ଲାଗି ବିଶେଷ ଶିକ୍ଷାଗତ ଯୋଗ୍ୟତା ଦରକାର ନାହିଁ। ବିଜ୍ଞାନ, ଇଞ୍ଜିନିୟରିଂ, ପ୍ରଯୁକ୍ତି ଓ ମ୍ୟାନେଜମେଣ୍ଟ୍‌ (ଷ୍ଟେମ୍) ପାଠ ପଢ଼ିନଥିବା ବ୍ୟକ୍ତି ମଧ୍ୟ ଏହି ଚାକିରି କରିପାରିବେ। ସାଧାରଣ ସ୍ନାତକ ପାଠପଢ଼ିଥିବା ବ୍ୟକ୍ତି ଏହି ଚାକିରି କରିବାକୁ ଯୋଗ୍ୟ।

Advertisment

ପ୍ରଯୁକ୍ତି ଦୁନିଆରେ କାର୍ଯ୍ୟ କରୁଥିବା ଲୋକମାନେ ସାଧାରଣତଃ ଅନ୍ୟ କ୍ଷେତ୍ରର କର୍ମଚାରୀଙ୍କ ତୁଳନାରେ ଅଧିକ ଦରମା ପାଇଥାନ୍ତି। କିନ୍ତୁ ତାହାର ଲାଭ କେବଳ ବିଜ୍ଞାନ ଓ ଇଞ୍ଜିନିୟରିଂ ପାଠପଢ଼ିଥିବା ପିଲାମାନଙ୍କୁ ମିଳୁଛି। ଚାଟ୍‌ଜିପିଟି ଭଳି ଏଆଇ ପ୍ରଯୁକ୍ତି ଯେଉଁ ଚାକିରି ସୃଷ୍ଟି କରିଛି ସେଥିରେ ଯେକୌଣସି ସାଧାରଣ ସ୍ନାତକ ଚାକିରି କରିପାରିବେ। ବ୍ଲୁମ୍‌ବର୍ଗରେ ପ୍ରକାଶିତ ରିପୋର୍ଟ ଏଆଇ ପ୍ରଭାବରେ ଏକ ନୂଆ ପ୍ରକାରର ‘ପ୍ରମ୍ପଟ୍‌ ଇଞ୍ଜିନିୟର’ ଚାକିରି ସୃଷ୍ଟି ହୋଇଛି ଯେଉଁଥିରେ ବାର୍ଷିକ ୨.୭୫ କୋଟି ଟଙ୍କା ଦରମା ପାଇବାର ସୁଯୋଗ ରହିଛି।

ପ୍ରମ୍ପଟ୍‌ ଇଞ୍ଜିନିୟରଙ୍କ କାମ କ’ଣ?
ଏଆଇ ପ୍ରଯୁକ୍ତି ଆଧାରରେ ବିକାଶ କରାଯାଇଥିବା ଟୁଲ୍‌ସ ଓ ଚାଟ୍‌ବଟ୍‌ର ଦକ୍ଷତାରେ ଉନ୍ନତି ଆଣିବା ଲାଗି ବିଭିନ୍ନ ପ୍ରକାର ପ୍ରଶ୍ନ ଲେଖୁଥିବା ବ୍ୟକ୍ତିଙ୍କୁ ପ୍ରମ୍ପଟ୍ ଇଞ୍ଜିନିୟର କୁହାଯାଉଛି। ଅଧିକ ପ୍ରଶ୍ନ ଜରିଆରେ ସେମାନେ ଏଆଇ ଟୁଲ୍‌ସର ଦକ୍ଷତାକୁ ମାପୁଥିବା ବେଳେ ସେଥିରେ ଉନ୍ନତି ଆଣିବାକୁ ଉଦ୍ୟମ କରୁଛନ୍ତି। ଇଞ୍ଜିନିୟରିଂ, ବିଜ୍ଞାନ ଓ ପ୍ରଯୁକ୍ତି ପାଠପଢ଼ିନଥିଲେ ସୁଦ୍ଧା ଭାଷା ଓ ବିଶ୍ଳେଷଣ ଉପରେ ଭଲ ଜ୍ଞାନ ଥିବା ସାଧାରଣ କ୍ଷେତ୍ରର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟ କରିପାରିବେ। ଚାଟ୍‌ଜିପିଟିକୁ ବିକାଶ କରିଥିବା ସଂସ୍ଥା ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍‌ଟମ୍ୟାନ୍ କହିଛନ୍ତି ଯେ ବହୁ ସଂଖ୍ୟକ ପ୍ରମ୍ପଟ୍‌ ଇଞ୍ଜିନିୟରଙ୍କ ଆବଶ୍ୟକତା ରହିଛି। ପ୍ରମ୍ପଟ୍‌ ଇଞ୍ଜିନିୟରଙ୍କ ଚାକିରିରେ ମୋଟା ଅଙ୍କର ଦରମା ମିଳୁଥିଲେ ମଧ୍ୟ ଏହି ଚାକିରି କେତେ ଦିନ ପାଇଁ ପ୍ରାସଙ୍ଗିକ ରହିବ ତାହାକୁ ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକଟ କରିଛନ୍ତି।

publive-image Quora

କାହିଁକି ଏଆଇକୁ ଏତେ ଭୟ?
ମଣିଷର ମସ୍ତିଷ୍କ ଯେଉଁ କାମ କରୁଛି ତାହାକୁ ଏଆଇ ପ୍ରଯୁକ୍ତି କରିପାରିବ। ମଣିଷ ଭାବନା ଶକ୍ତିର ଅବିକଳ ନକଲ ହେଉଛି ଏଆଇ। ମଣିଷ କ୍ଷେତ୍ରରେ ରହିଥିବା ସମସ୍ୟାଟି ହେଉଛି ସବୁ ମଣିଷଙ୍କ ମେଧା ଶକ୍ତି ସମାନ ନୁହେଁ। କୌଣସି ମଣିଷ ମେସିନ ଭଳି ସବୁ କାମ ଠିକ୍ ଭାବେ କରିପାରିବେ ନାହିଁ। କିନ୍ତୁ ଏଆଇ ସେହି କାମ କରିପାରିବ। ଯଦି ମେସିନ ମଣିଷ ଭଳି ଭାବିପାରିବ ଏବଂ କାମ କରିପାରିବ ତେବେ କୌଣସି କାମରେ ମଣିଷଙ୍କୁ ‌ଆଉ ଖୋଜା ପଡ଼ିବନି। ବହୁ ଲୋକ ଚାକିରି ହରାଇବେ। କଂପାନିଗୁଡ଼ିକ ଚାକିରି ପାଇଁ ଆଉ ମଣିଷଙ୍କୁ ଖୋଜିବେନି। ସେଥିପାଇଁ ଏହି ପ୍ରଯୁକ୍ତିକୁ ବିରୋଧ ବଢ଼ିବାରେ ଲାଗିଛି। ବିଶ୍ବର ସବୁଠୁ ଶକ୍ତିଶାଳୀ ଏଆଇ କୁହାଯାଉଥିବା ଚାଟ୍‌ଜିପିଟିକୁ ବିକାଶ କରିଥିବା ସଂସ୍ଥା ଓପନ୍‌ଏଆଇର ସିଇଓ ସାମ୍‌ ଅଲ୍‌ଟମ୍ୟାନ୍‌ ନିଜେ ସ୍ବୀକାର କରିଛନ୍ତି ଯେ ଏହାର ପ୍ରଭାବରେ ମିଥ୍ୟା ପ୍ରଚାର ବଢ଼ିବ, ନୂଆ ଚାକିରି ସଂଖ୍ୟା କମିଯିବ ଏବଂ ଦରକାର ପଡ଼ିଲେ ସାରା ଦୁନିଆ ଧ୍ବଂସ ହୋଇଯିବ। ତାଙ୍କ ମତରେ ଏଆଇ ଏତେ ଶକ୍ତିଶାଳୀ ଯେ ଏହା ଆଗକୁ କିଭଳି ଅସମ୍ଭବ କାମ କରିପାରିବ ତାହା ସେ କଳ୍ପନା ମଧ୍ୟ କରିପାରୁନାହାନ୍ତି। ଦରକାର ପଡ଼ିଲେ ତାହା ବ୍ୟାପକ କ୍ଷୟକ୍ଷତି ମଧ୍ୟ କରାଇପାରିବ। ଏଆଇର ଶକ୍ତି ଚାଟ୍‌ଜିପିଟି ଜରିଆରେ ଇଣ୍ଟରନେଟ୍‌ରେ ଉପଲବ୍ଧ ହୋଇଛି। ଇଣ୍ଟରନେଟ୍ ସଂଯୋଗ ଥିବା ଯେକୌଣସି ବ୍ୟକ୍ତି ତାହାକୁ ବ୍ୟବହାର କରିପାରୁଛନ୍ତି। ଯିଏ ଯାହା ପ୍ରଶ୍ନ କଲେ ଅବିକଳ ମଣିଷ ଭଳି ତାହା ଉତ୍ତର ଦେଉଛି। ତେବେ ସବୁ ଉତ୍ତର ସଠିକ୍ ରହୁନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି।

କ’ଣ କହୁଛନ୍ତି ବିଶେଷଜ୍ଞ?
ସାଇବର ବିଶେଷଜ୍ଞ ଲିଙ୍ଗରାଜ ସେଠୀ କହିଛନ୍ତି ଯେ ଚାଟ୍‌ଜିପିଟି ହେଉଛି ଏକ ଏଆଇ ଚାଟ୍‌ବଟ୍‌ ଯାହାକୁ ୨୦୨୨ ନଭେମ୍ବରରେ ଜାରି କରାଯାଇଥିଲା। ମାଇକ୍ରୋସଫ୍ଟ ଆଜ୍ୟୁର୍‌ ସୁପରକମ୍ପ୍ୟୁଟିଂ ଭିତ୍ତିଭୂମିରେ ପ୍ରଶିକ୍ଷିତ ତଥା ଏନ୍‌ଭିଡିଆ ଜିପିୟୁକୁ ବିକାଶ କରି ଏହାକୁ ପ୍ରସ୍ତୁତ କରାଯାଇଛି। ମାଇକ୍ରୋସଫ୍ଟ ତିଆରି କରିଥିବା ଏହି ଜିପିୟୁରେ ୨୮୫,୦୦୦ରୁ ଅଧିକ ସିପିୟୁ, ୧୦,୦୦୦ ଜିପିୟୁ ଓ ପ୍ରତି ଜିପିୟୁ ସର୍ଭର ପାଇଁ ସେକେଣ୍ଡ୍‌ ପିଛା ୪୦୦ ଗିଗାବିଟ୍‌ ନେଟ୍‌ୱର୍କ ସଂଯୋଗ ଶକ୍ତି ରହିଛି। ଏହା କମ୍ପ୍ୟୁଟର ପ୍ରୋଗ୍ରାମ ଲେଖିପାରିବ, ସଙ୍ଗୀତ ସଜାଇପାରିବ, କାହାଣୀ ଶୁଣାଇବ, ଛାତ୍ରଛାତ୍ରୀଙ୍କପ ଶଇଁ ନିବନ୍ଧ ଲେଖିପାରିବ। ଏକ ସାଧାରଣ ମଣିଷ କରୁଥିବା କାମ କରିପାରିବ। ୨୦୨୩ ମାର୍ଚ୍ଚରେ ଏହି ବ୍ୟବସ୍ଥାରେ କିଛିଟା ତ୍ରୁଟି ଦେଖିବାକୁ ମିଳିଥିଲା। ଶ୍ରୀ ସେଠୀ କହିଛନ୍ତି ଯେ ସାଇବର ନିରାପତ୍ତା ଦୃଷ୍ଟିରୁ ଦେଖିଲେ ଚାଟ୍‌ଜିପିଟି ଫିସିଂ ମେଲ୍‌ ଓ ମାଲ୍‌ଓୟାର ଲେଖିପାରିବ।