ନୂଆଦିଲ୍ଲୀ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଜଣେ ଗଡଫାଦର ଭାବେ ବିବେଚିତ ଜିଓଫ୍ରେ ହିନଟନ ଏହାର ଭୟାବହତା ସଂପର୍କରେ ମୁହଁ ଖୋଲିଛନ୍ତି। ମନୁଷ୍ୟମାନଙ୍କ ପ୍ରତି ଜଳବାୟୁ ପରିବର୍ତ୍ତନ ତୁଳନାରେ ଏଆଇର ବିପଦ ଅଧିକ ବୋଲି ସେ ଚେତାଇ ଦେଇଛନ୍ତି।

Advertisment

publive-image

ରଏଟର୍ସକୁ ଏକ ସାକ୍ଷାତକାର ଦେଇ ହିନଟନ କହିଛନ୍ତି, ମନୁଷ୍ୟଙ୍କ ତୁଳନାରେ ମେସିନ ଅଧିକ ମେଧାସଂପନ୍ନ ହେବା ଏବଂ ପୃଥିବୀକୁ ନିୟନ୍ତ୍ରଣ କରିବା ଦ୍ବାରା ଅନେକ ବିପଦ ରହିଛି। ଆଧୁନିକ କୃତ୍ରିମ ମେଧା (ଏଆଇ)ର ବିକାଶରେ ହିନଟନଙ୍କର ଗୁରୁତ୍ବପୂର୍ଣ୍ଣ ଯୋଗ‌ଦାନ ରହିଛି। ନିକଟରେ ସେ ଗୁଗୁଲ୍‌ର ମୂଳ କମ୍ପାନି ଆଲଫାବେଟ ଛାଡ଼ିଛନ୍ତି। ଉକ୍ତ ନୂଆ ପ୍ରଯୁକ୍ତିର ବିପଦ ସଂପର୍କରେ ଲୋକଙ୍କୁ କହିବା ଲାଗି ୭୫ ବର୍ଷୀୟ ହିନଟନ ଚାକିରିରୁ ଅବ୍ୟାହତି ନେଇଛନ୍ତି। ଫଳରେ ଏହି ପ୍ରଯୁକ୍ତିକୁ ବିରୋଧ କରୁଥିବା ବିଶ୍ବର ଅନେକ ବୈଜ୍ଞାନିକ ଏବଂ ବିଶେଷଜ୍ଞଙ୍କ ସହିତ ହିନଟନ ସାମିଲ ହୋଇଯାଇଛନ୍ତି। ପୂର୍ବରୁ ଟ୍ବିଟରର ସିଇଓ ଏଲନ ମସ୍କ ଏବଂ ଷ୍ଟାବିଲିଟି ଏଆଇର ସିଇଓ ଇମଦ ମଷ୍ଟାକ ପ୍ରମୁଖ ଓପନଏଆଇର ଜିପିଟି-୪ ତୁଳନାରେ ଅଧିକ ଶକ୍ତିଶାଳୀ ଏଆଇ ୬ ମାସ ପାଇଁ ବିକାଶ ନକରିବା ଲାଗି ଦାବି କରିଛନ୍ତି।

ତେବେ ଗବେଷଣା ବନ୍ଦ କରିବା ସହିତ ଏକମତ ନାହାନ୍ତି ହିନଟନ। ସେ କହିଛନ୍ତି, ଏହା ଅବାସ୍ତବ। ତାଙ୍କ କହିବାନୁଯାୟୀ, ଏଆଇ ପକ୍ଷରୁ ଭୟଙ୍କର ବିପଦ ରହିଛି। ତେଣୁ ଏ ସଂପର୍କରେ କ’ଣ କରାଯାଇ ପାରିବ ସେ ନେଇ ଆମକୁ ଏବେ କଠିନ ପରିଶ୍ରମ କରିବାକୁ ‌ପଡ଼ିବ। ଏହାକୁ ଭଲଭାବେ ବୁଝିବା ଦାୟିତ୍ବ ପ୍ରଯୁକ୍ତି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ ନିହିତ ରହିଛି। କିନ୍ତୁ ଏହା ସମସ୍ତଙ୍କ ଜୀବନକୁ ପ୍ରଭାବିତ କରୁଥିବାରୁ ରାଜନେତାମାନେ ଏଥିରେ ସଂଶ୍ଳିଷ୍ଟ ହେବା ଆବଶ୍ୟକ। ଜୟବାୟୁ ପରିବର୍ତ୍ତନର ବିପଦକୁ ସେ ଅଣଦେଖା କରୁନାହାନ୍ତି। ଜଳବାୟୁ ପରିବର୍ତ୍ତନ ପକ୍ଷରୁ ବଡ଼ ବିପଦ ରହିଛି। କିନ୍ତୁ ଏହା ତୁଳନାରେ ଏଆଇ ଜନିତ ବିପଦର ସମାଧାନ ତୁରନ୍ତ କରାଯିବା ଆବଶ୍ୟକ ବୋଲି ହିନଟନ ମତ ଦେଇଛନ୍ତି। ଜଳବାୟୁ ପରିବର୍ତ୍ତନକୁ କିଭଳି ରୋକାଯିବ ତାହାର ସମାଧାନ ପ୍ରଦାନ କରାଯିବା ସହଜ। କାର୍ବନ ଉତ୍ପାଦନ ହ୍ରାସ ହେଉଛି ଏହାର ସିଧା ସମାଧାନ। କିନ୍ତୁ ଏଆଇ କ୍ଷେତ୍ରରେ କିଛି ସ୍ପଷ୍ଟ ନାହିଁ। ତେଣୁ ଜଳବାୟୁ ପରିବର୍ତ୍ତନ ତୁଳନାରେ ଏଆଇର ସମସ୍ୟା ସମାଧାନ ଅଧିକ ଜରୁରୀ ବୋଲି ସେ କହିଛନ୍ତି।