ନୂଆଦିଲ୍ଲୀ: ଗୁଗୁଲ୍ର ପୂର୍ବତନ ସିଇଓ ଏରିକ୍ ସ୍ମିଟ୍ କୃତ୍ରିମ ବୁଦ୍ଧିମତା (ଏଆଇ)କୁ ନେଇ ଭୟଙ୍କର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ନୂଆ ପ୍ରଯୁକ୍ତି ନିକଟ ଭବିଷ୍ୟତରେ ଲୋକଙ୍କୁ ଆଘାତ ପହଞ୍ଚାଇବା କିମ୍ବା ହତ୍ୟା କରିବାର କ୍ଷମତା ରଖିଛି। ଦ୍ରୁତବେଗରେ ବୃଦ୍ଧି ପାଉଥିବା ଉକ୍ତ ପ୍ରଯୁକ୍ତି ପକ୍ଷରୁ ଅସ୍ତିତ୍ବଗତ ବିପଦ ରହିଛି। ତେଣୁ ଏଆଇର ନିୟନ୍ତ୍ରଣ ପାଇଁ ସେ ମତ ଦେଇଛନ୍ତି। ଏଆଇ ଯୋଗୁ ସାଇବର ସମସ୍ୟା କିମ୍ବା ନୂଆ ପ୍ରକୃତିର ଜୀବ ବିଜ୍ଞାନ ଉଦ୍ଭାବନ ହୋଇପାରେ। ଆଜି ଏହା କାଳ୍ପନିକ ମନେ ହେଉଥାଇପାରେ। କିନ୍ତୁ ଆଗାମୀ ଦିନରେ ସତ ହୋଇପାରେ। ଯେତେବେଳେ ସେଭଳି ସ୍ଥିତି ଉପୁଜିବ ସେତେବେଳେ ଆମକୁ ନିଶ୍ଚିତ କରିବାକୁ ହେବ ଯେପରି ଖଳ ଲୋକଙ୍କ ଦ୍ବାରା ଏହି ପ୍ରଯୁକ୍ତିର ଦୁରୁପଯୋଗ କରା ନଯାଏ।
ଏଆଇର ପ୍ରସାରକୁ ରୋକିବା ଅତ୍ୟନ୍ତ କଷ୍ଟକର ବ୍ୟାପାର ହେବ। ଉକ୍ତ ପ୍ରଯୁକ୍ତିକୁ ସେ ଆଣବିକ ପ୍ରଯୁକ୍ତିର ପ୍ରସାର ସହିତ ତୁଳନା କରିଛନ୍ତି। ଏଆଇ କମ୍ପାନି ଓପନଏଆଇ, ଗୁଗୁଲ୍ ଡିପ୍ମାଇଣ୍ଡ୍ ଏବଂ ଆନଥ୍ରୋପିକ୍ର ମୁଖ୍ୟମାନେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟି ଉକ୍ତ ଯୁଗାନ୍ତକାରୀ ପ୍ରଯୁକ୍ତିଦ୍ବାରା ସମାଜ କିଭଳି ଉପକୃତ ହେବ ସେଥିପାଇଁ କାର୍ଯ୍ୟ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିବାବେଳେ ସ୍ମିଟ୍ ଏଭଳି ଚେତାବନୀ ଦେଇଛନ୍ତି। ଆଣବିକ ଶକ୍ତି ୟୁରାନିୟମକୁ ସଂଗ୍ରହ ହୋଇଥାଏ। ୟୁରାନିୟମ ମିଳିବା ବସ୍ତୁତ କଷ୍ଟକର ହୋଇଥିବାରୁ ଆମେ ଆଜି ବଞ୍ଚିଛେ। ବୁଧବାର ଲଣ୍ଡନଠାରେ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ସିଇଓ ପରିଷଦରେ ଉଦ୍ବୋଧନ ଦେବା ସମୟରେ ସ୍ମିଟ ଏହା କହିଛନ୍ତି। ଉଲ୍ଲେଖଯୋଗ୍ୟ, ସ୍ମିଟ୍ ୨୦୦୧ରୁ ୨୦୧୧ ପର୍ଯ୍ୟନ୍ତ ଗୁଗୁଲ୍ର ସିଇଓ ଏବଂ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଆଲଫାବେଟ୍ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ।
ଲଣ୍ଡନ: ୟୁରୋପୀୟ ସଂଘ (ଇୟୁ) କୃତ୍ରିମ ବୁଦ୍ଧିମତା (ଏଆଇ) ନେଇ ନୂଆ ନିୟମ ଆଣୁଛି। ଏହି ନିୟମକୁ ପାଳନ କରିବାରେ ଯଦି ସଫଳ ନହେବ ତାହଲେ ଚାଟ୍ଜିପିଟି ନିର୍ମାତା ଓପଏନଏଆଇ ୟୁରୋପ ଛାଡ଼ିଦେବ। କମ୍ପାନିର ପ୍ରତିଷ୍ଠାତା ସାମ୍ ଅଲ୍ଟମ୍ୟାନ ଏଭଳି ଧମକ ଦେଇଛନ୍ତି। ଏଆଇ ପରିଚାଳନା ପାଇଁ ୟୁରୋପୀୟ ସଂଘ ନିୟମ ପ୍ରସ୍ତୁତ କରୁଛି। ବିଶ୍ବରେ ଏହା ପ୍ରଥମ ବୋଲି କୁହାଯାଉଛି। ନିୟମ ପ୍ରଣୟନ ପାଇଁ ପ୍ରସ୍ତୁତ ଚିଠାରୁ ଜଣାଯାଇଛି ଯେ ଯେଉଁସବୁ କମ୍ପାନି ଜେନେରେଟିଭ ଏଆଇ ଟୁଲ୍ସ ବ୍ୟବହାର କରୁଛନ୍ତି ସେମାନେ ସେହି ବ୍ୟବସ୍ଥା ବିକାଶ କରିବା ଲାଗି କୌଣସି ସ୍ବତ୍ବାଧିକାର ଉଲ୍ଲଂଘନ କରିଛନ୍ତି କି ନାହିଁ ବୋଲି ତାହା ପ୍ରକାଶ କରିବେ। ତେବେ ୟୁରୋପ ଛାଡ଼ିବା ପୂର୍ବରୁ ପ୍ରଥମେ ନିୟମ ପାଳନ କରିବା ଲାଗି କମ୍ପାନି ଚେଷ୍ଟା କରିବ ବୋଲି ଲଣ୍ଡନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଲ୍ଟମ୍ୟାନ କହିଛନ୍ତି।