ସୁନକଙ୍କ ଉପଦେଷ୍ଟାଙ୍କ ଚେତାବନୀ: ୨ ବର୍ଷରେ ଏଆଇ ଲୋକଙ୍କୁ ହତ୍ୟା କରିବ

ନୂଆଦିଲ୍ଲୀ : ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) କେତେ ଶକ୍ତିଶାଳୀ ଓ ଭୟଙ୍କର ହୋଇପାରିବ ତାହା ଜଣାଇବା ଲାଗି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋ‌ଷି ସୁନକଙ୍କ ଉପଦେଷ୍ଟା ମ୍ୟାଟ୍‌ କ୍ଲିଫୋର୍ଡ ଏକ ଛବି ଉପସ୍ଥାପନ କରିଛନ୍ତି। ସେ ଜଣାଇଛନ୍ତି ଯେ ଆସନ୍ତା ଦୁଇ ବର୍ଷ ଭିତରେ ଏଆଇ ଅତ୍ୟନ୍ତ ଶକ୍ତିଶାଳୀ ହୋଇଯିବ ଓ ବହୁ ଲୋକଙ୍କୁ ହତ୍ୟା କରିବ। ଲୋକପ୍ରିୟ ଏଆଇ ଟୁଲ୍ ଚାଟ୍‌ଜିପିଟି ଓ ଗୁଗୁଲ୍ ବାର୍ଡର ତଦନ୍ତ କରିବା ଲାଗି ଗଠନ କରାଯାଇଥିବା ଟାସ୍କଫୋର୍ସର ସେ ସଦସ୍ୟ ରହିଛନ୍ତି। କ୍ଲିଫୋର୍ଡ କହିଛନ୍ତି ଯେ ସାଇବର ଓ ଜୈବିକ ଅସ୍ତ୍ର ବିକାଶ କରିବାର କ୍ଷମତା ଏଆଇ ପାଖରେ ରହିଛି। ସେହି ଅସ୍ତ୍ର ଜରିଆରେ ତାହା ବହୁ ଲୋକଙ୍କୁ ହତ୍ୟା କରିବ। ଏଆଇକୁ ନିୟନ୍ତ୍ରଣ କରିବା ଲାଗି ଯଦି ବିଶ୍ବବ୍ୟାପୀ ଉଦ୍ୟମ ନହେବ ତେବେ ତାହା ଏତେ ଶକ୍ତିଶାଳୀ ହୋଇଯିବ ଯେ ମଣିଷ ଚାହିଲେ ବି ତାକୁ ନିୟନ୍ତ୍ରଣ କରିପାରିବ ନାହିଁ। ଏଆଇକୁ ନେଇ ରହିଥିବା ସ୍ବଳ୍ପ ମିଆଦୀ ଓ ଦୀର୍ଘମିଆଦୀ ବିପଦ ବିଷୟରେ ସେ ଆଲୋଚନା କରିଛନ୍ତି। ନିକଟ ଭବିଷ୍ୟତର ପ୍ରଭାବ ଅତ୍ୟନ୍ତ ଭୟଙ୍କର ବୋଲି ସେ କହିଛନ୍ତି। ଏଆଇ ବଡ଼ ଧରଣର ସାଇବର ଆକ୍ରମଣ କରିପାରିବ। ତାହା ବହୁତ ଖରାପ କଥା ବୋଲି ସେ କହିଛନ୍ତି।

ଏଆଇର ବୁଦ୍ଧିମତା ମଣିଷଠାରୁ ଶକ୍ତିଶାଳୀ। ତେଣୁ ତାହାକୁ କିଭଳି ନିୟନ୍ତ୍ରଣ କରାଯିବ ତାହା ମଣିଷ ଜାଣିପାରିବନି। ଏହା ହେଲେ ଭବିଷ୍ୟତରେ ବହୁ ପ୍ରକାର ସମସ୍ୟା ଦେଖାଦେବ। କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ ଯଦି ସଠିକ୍ ଦିଗରେ ନିୟନ୍ତ୍ରଣ ଭିତରେ ରଖି ଏଆଇକୁ ବ୍ୟବହାର କରାଯିବ ତେବେ ତାହାର ବହୁତ ଲାଭ ମିଳିବ। ଏଆଇରୁ ରହିଥିବା ବିପଦକୁ ନେଇ ବିଶେଷଜ୍ଞମାନେ ଯେଉଁ ଆଶଙ୍କା ପ୍ରକଟ କରିଛନ୍ତି ତାହା ଅମୁଳକ ନୁହେଁ ବୋଲି କ୍ଲିଫୋର୍ଡ କହିଛନ୍ତି। କିଛି ବିଶେଷଜ୍ଞ ଏଆଇକୁ ଆଣବିକ ଯୁଦ୍ଧ ଓ ମହାମାରୀ ସହ ତୁଳନା କରି ତାହାକୁ ନିୟନ୍ତ୍ରଣ କରିବା ଲାଗି ଉଦ୍ୟମ ଆରମ୍ଭ କରିବାକୁ ଆହ୍ବାନ ଦେଇଛନ୍ତି। ବହୁ ବୈଜ୍ଞାନିକ, ଏଆଇ ବିଶେଷଜ୍ଞ, ଇଞ୍ଜିନିୟର ଏଆଇର ଖରାପ ଦିଗକୁ ନେଇ ବାରମ୍ବାର ସତର୍କ ସୂଚନା‌ ଦେଉଛନ୍ତି। ଟେସ୍‌ଲାର ମୁଖ୍ୟ ଏଲନ୍ ମସ୍କଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏଆଇକୁ ବିରୋଧ କରୁଛନ୍ତି।

ସମ୍ବନ୍ଧିତ ଖବର