ଭୁବନେଶ୍ବର: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବ୍ୟବହାର କରି ଖଣି ଓ ବୃହତ୍ କାରଖାନାଗୁଡ଼ିକରେ ଦୁର୍ଘଟଣାକୁ ରୋକାଯାଇପାରିବ। କେବଳ ସେତିକି ନୁହେଁ, ଏହା ବିଦ୍ୟୁତ୍ ଶକ୍ତି ବ୍ୟବହାର କମ୍ କରିବା ଏବଂ ଉତ୍ପାଦନ ବଢ଼ାଇବାରେ ମଧ୍ୟ ସହାୟକ ହୋଇପାରିବ। ପ୍ରାଇମ୍ସ ପାଟନର୍ସ ସହଯୋଗରେ ଆସୋଚାମ୍ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ‘ଏଆଇ ପରିଚାଳିତ ବିନିର୍ମାଣ: ନବସୃଜନ, ଦକ୍ଷତା ଓ ସ୍ଥାୟୀ ଅଭିବୃଦ୍ଧି’ ରିପୋର୍ଟରେ ଏହା କୁହାଯାଇଛି।
ରାଜ୍ୟର ବନ୍ଦରଗୁଡ଼ିକରେ ଏଆଇ ବ୍ୟବହାର କରି ରୁଟ୍ ପରିଚାଳନା, କ୍ରେନ୍ଗୁଡ଼ିକର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ ଓ ପଣ୍ୟ ଟ୍ରାକିଂ ଆଦି ସହଜ କରାଯାଇପାରିବ। ଏହା ଜରିଆରେ ଓଡ଼ିଶା ଏହାର ଲଜିଷ୍ଟିକ୍ସ ପ୍ରଦର୍ଶନରେ ଉନ୍ନତି ଆଣିପାରିବ ଏବଂ ଅଧିକ ନିବେଶ ହାସଲ କରିପାରିବ ବୋଲି ରିପୋର୍ଟରେ କୁହାଯାଇଛି। ରାଜ୍ୟରେ ଟାଟା ଷ୍ଟିଲ୍ ଏହାର କଳିଙ୍ଗନଗର କାରଖାନା, ହିଣ୍ଡାଲ୍କୋ ଓ ବେଦାନ୍ତ ଆଲୁମିନିୟମ ନିଜ ସ୍ମେଲଟର୍ରେ ଏଆଇ ପ୍ରଯୁକ୍ତି ବ୍ୟବହାର କରୁଛନ୍ତି। ଏଆଇ ବ୍ୟବହାର କରି ଓଡ଼ିଶାର ଶିଳ୍ପ କାରଖାନାଗୁଡ଼ିକ ଏମିସନ୍ (ନିର୍ଗମନ) କମ୍ କରିବା ସହ ଅଭିବୃଦ୍ଧି ବଢ଼ାଇପାରିବେ ଓ ଇଏସ୍ଜି ଲକ୍ଷ୍ୟ ହାସଲ କରିପାରିବେ। ରାଜ୍ୟରେ ଭୁବନେଶ୍ବର ସ୍ମାର୍ଟ ସିଟି, ମୁନିସପାଲିଟି ସେବା ଓ ସହରୀ ଯୋଜନା ପ୍ରସ୍ତୁତିରେ ଏଆଇ, ମେସିନ୍ ଲର୍ଣ୍ଣିଂର ବ୍ୟବହାର କରାଯାଉଛି। ସୌର ଶକ୍ତି କ୍ଷେତ୍ରରେ ଏଆଇ ବ୍ୟବହାର କରି ଉତ୍ପାଦନକୁ ଆଗୁଆ ଆକଳନ କରାଯାଇପାରିବ ଏବଂ ଗ୍ରିଡ୍କୁ ବିଦ୍ୟୁତ୍ ଶକ୍ତି ପଠାଇବାରେ ଉନ୍ନତି ଅଣାଯାଇପାରିବ। ଦୀର୍ଘକାଳୀନ ଭିତ୍ତିରେ ଏହା ଶକ୍ତି ବ୍ୟବହାର କମ୍ କରିବା ସହ ଏମିସନ୍ ୧୦-୨୦ ପ୍ରତିଶତ କମ୍ କରିବାରେ ସହାୟକ ହୋଇପାରିବ।
କଳିଙ୍ଗନଗର ଓ ଝାରସୁଗୁଡ଼ାରେ ଡିଜିଟାଲ୍ ମାନୁଫାକ୍ରିଂ ପାର୍କ ବିକାଶ କରିବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି। କଳିଙ୍ଗନଗରରେ ‘ସ୍ମାର୍ଟ ଷ୍ଟିଲ୍ ଫ୍ୟାକ୍ଟ୍ରି ଲ୍ୟାବ୍’ ଶକ୍ତି ପରିଚାଳନା, ତ୍ରୁଟି ଚିହ୍ନଟ ପାଇଁ ଏଆଇ ମଡେଲ୍ ବିକାଶ କରିପାରିବ ବୋଲି ପ୍ରସ୍ତାବ ଦିଆଯାଇଛି। ଷ୍ଟାର୍ଟଅପ୍, ଗବେଷଣା ଓ ବିକାଶ କେନ୍ଦ୍ର ଏବଂ ତାଲିମ ପ୍ରତିଷ୍ଠାନଗୁଡ଼ିକ ପାଇଁ ଭୁବନେଶ୍ବରରେ ଏଆଇ ପାର୍କ ସ୍ଥାନ କରିବାକୁ କୁହାଯାଇଛି। ରୋଟରଡ୍ୟାମ୍ ଓ ବୁସାନ ବନ୍ଦର ଭଳି ଓଡ଼ିଶାରେ ପାରାଦୀପ ଓ ଧାମରା ବନ୍ଦରରେ ଏଆଇ ଲଜିଷ୍ଟିକ୍ସ ଜୋନ୍ ବିକାଶ କରିବାକୁ ରିପୋର୍ଟରେ କୁହାଯାଇଛି।
ଓଡ଼ିଶାରେ ଇଷ୍ଟର୍ଣ୍ଣ ଡେଡିକେଟେଡ୍ ଫ୍ରେଟ୍ କରିଡର୍, ଉପକୂଳ ରାଜପଥ ଓ ସ୍ମାର୍ଟ ପୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି, ଯାହା ପରିବହନ ସମୟ ଓ ଖର୍ଚ୍ଚ କମ୍ କରିବ। ଏଥିପାଇଁ ଏଆଇ ଆଧାରିତ ଯୋଗାଣ ଶୃଙ୍ଖଳର ଆବଶ୍ୟକତା ରହିଛି ବୋଲି ରିପୋର୍ଟରେ କୁହାଯାଇଛି। ଓଡ଼ିଶା ଭଳି ରାଜ୍ୟ ପାଇଁ ଏକ ହାଇବ୍ରିଡ୍ ମଡେଲ୍ର ପ୍ରସ୍ତାବ ଦିଆଯାଇଛି, ଯେଉଁଥିରେ ଖଣିଜ ଅଞ୍ଚଳଗୁଡ଼ିକରେ ଏଆଇ ଦ୍ବାରା ଉତ୍ପାଦନକୁ ବଢ଼ାଇବା ଏବଂ ବନ୍ଦରରେ ଏଆଇ ଆଧାରିତ ଲଜିଷ୍ଟିକ୍ସ ସମାଧାନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି। ପ୍ରତ୍ୟକ୍ଷ ଓ ଡିଜିଟାଲ୍ ଭିତ୍ତିଭୂମିକୁ ମିଶାଇ ଏକ ସ୍ମାର୍ଟ ବିନିର୍ମାଣ କରିଡର୍ ଗଠନ କରାଯାଇପାରିବ ବୋଲି ରିପୋର୍ଟରେ କୁହାଯାଇଛି।