୨୦୧୯ ବଜେଟ୍‌ରେ କୌଣସି ନୂଆ କଥା ନାହିଁ। ଏହି ଦିଗହରା ବଜେଟ୍‌ରେ କେବଳ ପୁରୁଣା କଥାକୁ ସରକାର ଦୋହରାଇଛନ୍ତି ବୋଲି କଂଗ୍ରେସ କହିଛି। କର୍ମନିଯୁକ୍ତି ସୃଷ୍ଟି, କୃଷକଙ୍କ ଉନ୍ନତି ଏବଂ ଅର୍ଥନୀତିର ପୁନରୁଦ୍ଧାର ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ ବୋଲି ଲୋକସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଅଧୀର ରଂଜନ ଚୌଧୁରୀ କହିଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଯେୱାଲା କହିଛନ୍ତି ଯେ ସରକାର ନିଜର କୌଣସି ପ୍ରତିଶ୍ରୃତି ପାଳନ କରିବା ଦିଗରେ ଏହି ବଜେଟ୍‌ରେ ଆଗ୍ରହ ଦେଖାଇ ନାହାନ୍ତି ଏବଂ ଲୋକଙ୍କୁ ପ୍ରତାରିତ କରାଯାଇଛି।

Advertisment

ଚାଷୀ ଓ ଗରିବ ବିରୋଧୀ
କେନ୍ଦ୍ର ସରକାରଙ୍କ ବଜେଟ ଚାଷୀ ଓ ଗରିବ ବିରୋଧୀ। ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଆଗତ କରିଥିବା ୨୦୧୯-୨୦ ଆର୍ଥିକ ବର୍ଷ ବଜେଟ କେବଳ ପୁଞ୍ଜିପତିମାନଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ କରାଯାଇଛି। ୨୦୧୪ ଓ ୨୦୧୯ ନିର୍ବାଚନରେ ଦେଶର ଲୋକଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ଏହି ବଜେଟରେ ପ୍ରତିଫଳିତ ହୋଇନାହିଁ। ଚାଷୀଙ୍କ ଆୟ ବୃଦ୍ଧି ନେଇ ଏମ୍‌ଏସ୍‌ପି ବୃଦ୍ଧି କରିବା ପ୍ରତିଶ୍ରୁତି କୁଆଡ଼େ ଗଲା? ୨୦୧୯ରେ ଧାନ ଏମଏସପି ମାତ୍ର ୬୫ ଟଙ୍କା ବୃଦ୍ଧି କରି କେନ୍ଦ୍ର ସରକାର ଚାଷୀକୂଳକୁ ପ୍ରତାରଣା କରିଛନ୍ତି। ଓଡ଼ିଶା ସରକାରଙ୍କ ହିସାବ ଅନୁଯାୟୀ ଧାନର ଉତ୍ପାଦନ ମୂଲ୍ୟ କୁଇଣ୍ଟାଲ ପିଛା ୨୩୪୪ ଟଙ୍କା। ଏବର ପ୍ରଧାନମନ୍ତ୍ରୀ ଆଗରୁ ଚାଷୀଙ୍କ ଉତ୍ପାଦନ ମୂଲ୍ୟର ଦେଢ଼ଗୁଣ ଏମ୍‌ଏସ୍‌ପି ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହି ହିସାବରେ ବର୍ତ୍ତମାନ ଏମଏସପି କୁଇଣ୍ଟାଲ ପିଛା ୩୫୧୬ ଟଙ୍କା ହେବା କଥା। ଖାଲି ସେତିକି ନୁହେଁ, ଓଡ଼ିଶା ବିଧାନସଭାରେ ସର୍ବଦଳୀୟ ସଂକଳ୍ପ ପାରିତ ବେଳେ ବିଜେପି ଦଳର ବିଧାୟକମାନେ ମଧ୍ୟ ଏମ୍‌ଏସ୍‌ପି ୨୯୩୦ ଟଙ୍କା କରିବାକୁ ସହମତି ପ୍ରଦାନ କରିଥିଲେ। କୁଆଡ଼େ ଗଲା ସେ ପ୍ରତିଶ୍ରୁତି? ବିଜେପି ଓଡ଼ିଶା ଭୋଟରଙ୍କ ପ୍ରତି ବିଶ୍ବାସଘାତ କରିବା ସହ ଚାଷୀମାନଙ୍କୁ ପ୍ରତାରିତ କରିଛି।
– ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା