ନୂଆଦିଲ୍ଲୀ: ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଉଥିବା କମ୍ପାନି ଏୟାର ଏସିଆ ଇଣ୍ଡିଆ ଘୋଷଣା କରିଛି ଏକ ଆକର୍ଷଣୀୟ ଅଫର । ଏହା ମାଧ୍ୟମରେ ଗ୍ରାହକମାନେ ୯୯ ଟଙ୍କା ବେସ୍ ଫେୟାରରେ ବିମାନ ଯାତ୍ରା କରିପାରିବେ ।
ରବିବାର ଦିନ କମ୍ପାନି ପକ୍ଷରୁ କରାଯାଇଥିବା ଘୋଷଣା ଅନୁସାରେ ଦେଶର ୭ଟି ସହର ଯଥା ବାଙ୍ଗାଲୁରୁ, କୋଚି, କୋଲକତା, ହାଇଦ୍ରାବାଦ, ନୂଆଦିଲ୍ଲୀ , ପୁନେ ଓ ରାଞ୍ଚି କୁ ବିମାନଯାତ୍ରା ଲାଗି ଏହି ଅଫର ବୈଧ ରହିବ । ଯାତ୍ରୀମାନେ ଏହି ଅଫରର ଫାଇଦା ଉଠାଇବା ପାଇଁ ଜାନୁୟାରୀ ୧୫ରୁ ଜାନୁୟାରୀ ୨୧ ମଧ୍ୟରେ ଟିକେଟ ବୁକ କରିପାରିବେ । ଜାନୁୟାରୀ ୧୫ରୁ ଜୁଲାଇ ୩୧ ମଧ୍ୟରେ ଏହି ସହର ଗୁଡ଼ିକ ମଧ୍ୟରେ
ବିମାନଯାତ୍ରା କରିହେବ । ବିମାନ ଟିକେଟ ଗୁଡିକର ବେସ୍ ଫେୟାର ୯୯ ଟଙ୍କା ରହିଥିବାବେଳେ ତାହା ଉପରେ ଟିକସ ଲାଗୁ ହେବ ।
ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏୟାର ଏସିଆ ଇଣ୍ଡିଆର ମୂଳ କମ୍ପାନି ଏୟାର ଏସିଆ ତରଫରୁ ସମାନ ଧରଣର ଏକ ଅଫର ଆରମ୍ଭ କରାଯାଇଛି । ଏହି ଅଫରମାଧ୍ୟମରେ ଯାତ୍ରୀମାନେ ସମଗ୍ର ଏସିଆ ପାସିଫିକ୍ ଅଞ୍ଚଳରେ ସୁଲଭ ମୂଲ୍ୟରେ ଯାତ୍ରା କରିପାରିବେ ।
ସୂଚନାଯୋଗ୍ୟ ଯେ ଏୟାର ଏସିଆ ଇଣ୍ଡିଆ ହେଉଛି ମାଲେସିଆ କମ୍ପାନି ଏୟାର ଏସିଆ ଓ ଭାରତୀୟ କମ୍ପାନି ଟାଟା ମଧ୍ୟରେ ଏକ ମିଳିତ ଉଦ୍ୟୋଗ । ଗତ ୨୦୧୪ରୁ ଏହି କମ୍ପାନି ଭାରତରେ ସେବା ଆରମ୍ଭ କରିଛି ।