ପୁଣି ଚଳାଚଳ କରିବ ଏୟାର୍‌ ଡେକାନ୍‌: ଟିକେଟ୍‌ର ମୂଲ୍ୟ ମାତ୍ର ୧ ଟଙ୍କା

ନୂଆଦିଲ୍ଲୀ: ଭାରତର ପ୍ରଥମ ସ୍ୱଳ୍ପ ମୂଲ୍ୟ ଘରୋଇ ଏୟାର୍‌ଲାଇନ୍‌ ଏୟାର୍‌ ଡେକାନ୍‌ ଏଇ ମାସରେ ପୁନଶ୍ଚ ଚଳାଚଳ ଆରମ୍ଭ କରୁଛି। ୧ ଟଙ୍କିଆ ଟିକିଟ୍‌ ପାଇଁ ଏୟାର୍‌ ଡେକାନ୍‌ ସ୍ମରଣୀୟ।

୨୦୦୩ରେ ଏୟାର୍‌ ଡେକାନ୍‌ ଜିଆର୍‌ ଗୋପୀନାଥଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ୨୦୦୮ରେ ଏହା ବିଜୟ ମାଲ୍ୟାଙ୍କ କିଙ୍ଗ୍‌ ଫିସର୍‌ ଏୟାର୍‌ଲାଇନ୍‌ସ୍‌ ସହ ମିଶି ଯାଇଥିଲା। ଆର୍ଥିକ ସଙ୍କଟ ଯୋଗୁଁ ୨୦୧୨ରେ ଏହା ବନ୍ଦ ହୋଇ ଯାଇଥିଲା।

Image Courtesy of Indiatimes

ଦ୍ୱିତୀୟ ପର୍ଯ୍ୟାୟରେ ଏୟାର୍‌ ଡେକାନ୍‌ ମୁମ୍ବାଇ, ଦିଲ୍ଲୀ, କୋଲ୍‌କତା ଏବଂ ସିଲଙ୍ଗ୍‌ ଆଦି ଚାରିଟି ପେଣ୍ଠରୁ ସେମାନଙ୍କ ଚତୁର୍ଦ୍ଦିଗରେ ଥିବା ଛୋଟକାଟିଆ ସହରଗୁଡ଼ିକୁ ଯାତାୟତ କରିବ। ଦେବାଳିଆ ହୋଇ ଯାଇଥିବା ଏୟାର୍‌ଲାଇନ୍‌ଗୁଡ଼ିକ କ୍ୱଚିତ୍‌ ପୁନଃ ଚଳାଚଳ କରନ୍ତି।
ଡିସେମ୍ବର ୨୨ ତାରିଖ ଦିନ ପ୍ରଥମ ଏୟାର୍‌ ଡେକାନ୍‌ ବିମାନ ଉଡ଼ାଣ ଆରମ୍ଭ କରିବ। ଏହା ନାସିକରୁ ମୁମ୍ବାଇକୁ ଯାତ୍ରା କରିବ ବୋଲି ଗୋପୀନାଥ ନିଜ ଘର ବାଙ୍ଗାଲୋର୍‌ ଠାରେ କହିଛନ୍ତି।

ଏଇଟା ମୋର ଶେଷ ଉଡ଼ାଣ। ୟା’ପରେ ମୁଁ ଅବସର ନେବି ବୋଲି କିଛି ବର୍ଷ ପରେ ପୁଣି ବିମାନ ଚଳାଚଳ କରାଇବାକୁ ବାହାରିଥିବା ଗୋପୀନାଥ କହନ୍ତି।

ସରକାରଙ୍କର ଉଡ଼ାଣ ଯୋଜନା ‘ଉଡ଼େ ଦେଶ୍‌ କା ଆମ୍‌ ନାଗରିକ୍‌’ ଘଣ୍ଟିକିଆ ବିମାନ ଯାତ୍ରା ପାଇଁ ୨୫୦୦ ଟଙ୍କା ମାସୁଲ ସ୍ଥିର କରିଛନ୍ତି। ଏହି ଯୋଜନାରେ ଦେଶର କେତେକ ଛୋଟ ଛୋଟ ସହରକୁ ସଂଯୋଗ କରାଯିବ। ଏହି ଯୋଜନାରେ ଏୟାର୍‌ ଡେକାନ୍‌ ପୁଣି ଚଳାଚଳ କରିବାକୁ ସହାୟତା ପାଇଛି।

‘ସମ୍ପ୍‌ଲିଫ୍ଲାଏ’ ଟ୍ୟାଗ୍‌ଲାଇନ୍‌ ଥିବା ଏୟାର ଡେକାନ୍‌ ଏଥର ବ୍ୟଙ୍ଗ ଚିତ୍ରକାର ସ୍ୱର୍ଗତ ଆର୍‌. କେ. ଲକ୍ଷ୍ମଣଙ୍କ ଅଙ୍କିତ ‘ଦି କମନ୍‌ମ୍ୟାନ୍‌ ଟେକ୍ସ୍‍ ଟୁ ଦି ସ୍କାଇଜ୍‌’ ଲୋଗୋ ବସାଇ ନିଜର ବ୍ରାଣ୍ଡ୍‌ ଆରମ୍ଭ କରିବ।

Image Courtesy of Wikipaedia

ଗୋପୀନାଥ କହନ୍ତି: ଯଦିବା ନାସିକରୁ ମୁମ୍ବାଇ ୪୦ ମିନିଟ୍‌ ଯାତ୍ରା ପାଇଁ ଟିକିଟ୍‌ର ମୂଲ୍ୟ ୧୪୦୦ ଟଙ୍କା ରଖାଯାଇଛି, ପ୍ରାରମ୍ଭିକ ଉଡ଼ାଣରେ କେତେକ ଭାଗ୍ୟବାନ ଲୋକ ୧ ଟଙ୍କିଆ ଟିକିଟ୍‌ ପାଇବାକୁ ସମର୍ଥ ହେବେ। ସଡ଼କ ପଥରେ ଏତିକି ଦୂରତା ଅତିକ୍ରମ କରିବାକୁ ୪ ଘଣ୍ଟା ଲାଗିବ।
ନାସିକ, ପୁଣେ, ମୁମ୍ବାଇ ଏବଂ ଜଲଗାଓଁ ମଧ୍ୟରେ ଏୟାର୍‌ ଡେକାନ୍‌ ଦୈନିକ ଫେରନ୍ତା ବିମାନ ଚଳାଚଳ କରାଇବ।

ଜାନୁଆରି ସୁଦ୍ଧା ଦିଲ୍ଲୀରେ ଦ୍ୱିତୀୟ ବିମାନ ରଖିବାକୁ ଯୋଜନା କରୁଛି ଏୟାର୍‌ ଡେକାନ୍‌। ସେଠାରୁ ଆଗ୍ରା, ଶିମଲା, ଲୁଧିଆନା, ପନ୍ତନଗର, ଡେରାଡୁନ୍‌ ଏବଂ କୁଲୁ ମଧ୍ୟରେ ବିମାନ ଚଳାଚଳ କରିବ।

Image Courtesy of Livemint

କୋଲକାତାରେ ମଧ୍ୟ ଏୟାର୍‌ ଡେକାନ୍‌ ଦୁଇଟି ବିମାନ ରଖିବାକୁ ଯୋଜନା କରୁଛି। ତାହା ଜାମସେଦପୁର, ରାଉରକେଲା, ଦୁର୍ଗପୁର, ବଗଦୋଗ୍ରା, ବର୍ଣ୍ଣପୁର, କୁଚ୍‌ ବେହାର, ଅଗରତାଲା ମଧ୍ୟରେ ଚଳାଚଳ କରିବ। ସିଲଙ୍ଗରୁ ଇମ୍ଫାଲ୍‌, ଦିମାପୁର, ଏଜ୍‌ଓ୍ଵାଲ ଏବଂ ଅଗରତାଲାକୁ ମଧ୍ୟ ସେଠାରୁ ବିମାନ ଉଡ଼ିବ। ବିଶ୍ୱବ୍ୟାପୀ ବ୍ୟବହୃତ ୧୯ ଆସନ ବିଶିଷ୍ଟ ବିଇଚ୍‌ ୧୯୦୦ ବିମାନ ବ୍ୟବହାର କରିବ ଏୟାର୍‌ ଡେକାନ୍‌। ଏଥିପାଇଁ ତିନିଟି ବିମାନ ପ୍ରସ୍ତୁତ ହୋଇ ସାରିଲାଣି। ଆଉ ଦୁଇଟି ଆଗାମୀ କେତେ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇ ଯିବ କଥା କହନ୍ତି ଗୋପୀନାଥ।

ଜାନୁୟାରୀ ସୁଦ୍ଧା ୪ଟି ବିମାନ ଚଳାଚଳରେ ବ୍ୟବହୃତ ହେବ। ଗୋଟିଏ ଷ୍ଟାଣ୍ଡ୍‌ବାଇ ଭାବେ ରଖାଯିବ।

ସମ୍ବନ୍ଧିତ ଖବର