ନୂଆଦିଲ୍ଲୀ: ଆସନ୍ତା ୨୦୨୦ ମାର୍ଚ ଶେଷ ସୁଦ୍ଧା ଦୁଇ ସରକାରୀ କଂପାନି ଏୟାର ଇଣ୍ଡିଆ ଓ ଭାରତ ପେ‌‌ଟ୍ରୋଲିୟମ୍‌କୁ ବିକ୍ରି କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରିଛନ୍ତି। ଇଂରାଜୀ ସମ୍ବାଦପତ୍ର ଟାଇମସ୍‌ ଅଫ୍ ଇଣ୍ଡିଆକୁ ସାକ୍ଷାତକାର ଦେଇ ନିର୍ମଳା କହିଛନ୍ତି, ଆମେ ଆଶା କରୁଛୁ ଏହି ଦୁଇ କଂପାନିର ବିକ୍ରି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ ସୁଦ୍ଧା ଶେଷ ହୋଇଯିବ। ଏୟାର ଇଣ୍ଡିଆକୁ ନେଇ ନିବେଶକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି ବୋଲି ସେ କହିଛନ୍ତି।

Advertisment

ଉଭୟ ଏୟାର ଇଣ୍ଡିଆ ଓ ଭାରତ ପେଟ୍ରୋଲିୟମ୍ ଋଣ ବୋଝରେ ବୁଡ଼ି ରହିଛନ୍ତି। ଏହି ଦୁଇ କଂପାନି ଉପରେ ୫୮ ହଜାର କୋଟି ଟଙ୍କାର ଋଣ ରାଶି ବକେୟା ରହିଛି। ପୂର୍ବରୁ ଏୟାର ଇଣ୍ଡିଆକୁ ବିକ୍ରି କରିବା ଲାଗି ସରକାର ଅନେକ ପ୍ରୟାସ କରିଥିଲେ ମଧ୍ୟ ସଫଳତା ପାଇନାହାନ୍ତି। ପୁଞ୍ଜି ପ୍ରତ୍ୟାହାରକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାର ଏହି ପ୍ରକ୍ରିୟାରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ ଆଣିଛନ୍ତି। ତାହାକୁ କ୍ୟାବିନେଟ୍‌ର ଅନୁମୋଦନ ମଧ୍ୟ ମିଳିସାରିଛି। ସରକାରୀ କଂପାନି ନିଲାମ ପାଇଁ ବିଭିନ୍ନ ଦେଶରେ ଆୟୋଜନ କରାଯାଉଥିବା ରୋଡ୍ ସୋ’ ଅବସରରେ ନିଲାମରେ ଭାଗ ନେବାକୁ ଥିବା ସମ୍ଭାବ୍ୟ କଂପାନିଗୁଡ଼ିକର କଥାକୁ ସରକାର ଶୁଣିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ହେଲେ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ୍‌ (ଆଗ୍ରହ ପ୍ରକାଶ) ଦାଖଲ କରିବା ପୂର୍ବରୁ କଂପାନିଗୁଡ଼ିକର ସମସ୍ୟା ସମାଧାନ ହୋଇପାରିବ ବୋଲି ସରକାର ଭାବୁଛନ୍ତି।

ଏୟାର ଇଣ୍ଡିଆର ଶତ ପ୍ରତିଶତ ମାଲିକାନା କେନ୍ଦ୍ର ସରକାରଙ୍କ ପାଖରେ ରହିଛି। ଏହାର ୭୬% ଅଂଶଧନ ବିକ୍ରି କରିବା ଲାଗି ଗତବର୍ଷ ଆବେଦନ ଆହ୍ବାନ କରାଯାଇଥିଲା। ସେଥିପ୍ରତି କୌଣସି ଗ୍ରାହକ ଆଗ୍ରହ ଦେଖାଇନଥିଲେ। ସରକାରଙ୍କ ପାଖରେ ରହୁଥିବା ୨୪% ଅଂଶଧନ ଯୋଗୁ ସରକାରୀ ହସ୍ତକ୍ଷେପ ରହିବା ଭୟରେ ଗ୍ରାହକମାନେ ଏୟାର ଇଣ୍ଡିଆକୁ କିଣିବା ଲାଗି ଆଗ୍ରହ ଦେଖାଇନଥିଲେ ବୋଲି ବଜାର ବିଶେଷଜ୍ଞମାନେ କହିଛନ୍ତି। ଆର୍ଥିକ କ୍ଷେତ୍ରରେ ଏୟାର ଇଣ୍ଡିଆ ସଂଘର୍ଷ କରୁଛି। ତେଲ ଦାମ୍ ଓ ମୁଦ୍ରା ବିନିମୟ ମୂଲ୍ୟରେ ହେଉଥିବା ବୃଦ୍ଧି ଯୋଗୁ ଗତବର୍ଷ ଏୟାର ଇଣ୍ଡିଆ ୪୬୦୦ କୋଟି ଟଙ୍କାର କ୍ଷତି ସହିଥିଲା। ସେହିପରି, ଭାରତ ପେଟ୍ରୋଲିୟମ୍‌ରେ ସରକାରଙ୍କ ୫୩.୨୯ ପ୍ରତିଶତ ଅଂଶଧନ ରହିଛି। ସମସ୍ତ ସରକାରୀ ଅଂଶଧନ ବିକ୍ରି କରିବାକୁ ସଚିବମାନଙ୍କୁ ନେଇ ଗଠନ କରାଯାଇଥିବା ଏକ କମିଟି ନିଷ୍ପତ୍ତି ନେଇଛି। ପୁଞ୍ଜି ବଜାରରେ ଭାରତ ପେଟ୍ରୋଲିୟମ୍‌ର ମୂଲ୍ୟ ଏବେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରହିଛି। କଂପାନିରେ ଥିବା ସରକାରଙ୍କ ସବୁ ଅଂଶଧନ ବିକ୍ରି ହୋଇଗଲେ ସରକାରଙ୍କୁ ୬୫ ହଜାର କୋଟି ଟଙ୍କା ମିଳିବ।