ନୂଆଦିଲ୍ଲୀ:ଦିଲ୍ଲୀ ଏୟାରପୋର୍ଟରେ ଇଣ୍ଡିଗୋ ଏୟାରଲାଇନ୍ସ ଗ୍ରାଉଣ୍ଡ ଷ୍ଟାଫ୍ଙ୍କ ଦ୍ୱାରା ଜଣେ ଯାତ୍ରୀଙ୍କୁ ମାରିବା ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏ ସଂପର୍କିତ ଭିଡିଓ ଗଣମାଧ୍ୟମରେ ପ୍ରସାରଣ ହେବାପରେ ଇଣ୍ଡିଗୋ ସଭାପତି ଆଦିତ୍ୟ ଘୋଷ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ବିସ୍ତୃତ ରିପୋର୍ଟ ଦେବା ସହ ଏ ବାବଦରେ କ୍ଷମା ପ୍ରାର୍ଥନା କରିଥିଲେ। ଏଥିପାଇଁ ଦାୟୀ କର୍ମଚାରୀଙ୍କୁ ତୁରନ୍ତ ବହିଷ୍କାର କରାଯାଇଥିବା ସେ କହିଥିଲେ। ତେବେ ବିମାନ ବନ୍ଦରରେ କର୍ମଚାରୀଙ୍କୁ ଉସୁକାଇ ଯାତ୍ରୀଙ୍କୁ ଆକ୍ରମଣ କରିବା ପଛରେ ଇଣ୍ଡିଗୋରୁ ବହିଷ୍କୃତ ହୋଇଥିବା ଜଣେ ପୂର୍ବ କର୍ମଚାରୀଙ୍କ ହାତଥିବା କୁହାଯାଇଛି । ସେ ଯାତ୍ରୀଙ୍କୁ ମାରିବା ପାଇଁ ଉସୁକାଇଥିଲେ ଏବଂ ଏହାର ଭିଡିଓ ସୁଟିିଂ କରିଥିଲେ ବୋଲି ଇଣ୍ଡିଗୋ ପକ୍ଷରୁ ସଫେଇରେ କୁହାଯାଇଛି ।
ତେବେ ଏହି ଘଟଣାକୁ ନେଇ ଅନ୍ୟ ଏୟାର ଲାଇନ୍ସମାନେ ମଜାଦାର ବିଜ୍ଞାପନମାନ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିବା ଖବର ମିଳିଛି। ଏୟାର ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଥିବା ଦୁଇଟି ବିଜ୍ଞାପନ ଦେଖିବାକୁ ମିଳିଛି । ଗୋଟିଏରେ ଲେଖାଯାଇଛି- ‘ଆମେ ହାତ ଉଠାଉ, କେବଳ ନମସ୍କାର କହିବା ପାଇଁ’ ଓ ଦ୍ୱିତୀୟଟିରେ ‘ଅନବିଟେବୁଲ୍ ସର୍ଭିସ୍’।
ସେହିପରି ଜେଟ ଏୟାରେଓ୍ଵଜ୍ର ଏକ ବିଜ୍ଞାପନ ସୋସିଆଲ୍ ମିଡିଆରେ ନଜର ଆସିଛି। ଏଥିରେ ଇଂରାଜୀରେ ଲେଖାଯାଇଛି- ‘ଉଇ ବିଟ୍ ଆଓ୍ଵାର କମ୍ପିଟିସନ୍, ନଟ୍ ୟୁ।’
ତେବେ ଜେଟ ଏୟାରେଓ୍ଵଜ୍ ପକ୍ଷରୁ କୁହାଯାଇଛି କି ଏହି ବିଜ୍ଞାପନ ସେମାନେ ଜାରି କରି ନାହାନ୍ତି, ଏକ ଜାଲ୍ ବିଜ୍ଞାପନ।