ଏୟାର ଇଣ୍ଡିଆକୁ ମିଳିବ ନୂଆ ମାଲିକ: ଟାଟା ହାତକୁ ଯାଇପାରେ

୧୯୩୨ରେ ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ

ନୂଆଦିଲ୍ଲୀ: ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆର ନୂଆ ମାଲିକଙ୍କ ନାମ କିଛି ଦିନ ଭିତରେ ଘୋଷଣା କରାଯିବ। ଏହାକୁ କିଣିବା ଲାଗି ଟାଟା ଓ ସ୍ପାଇସ୍‌ଜେଟ୍‌ ଦୌଡ଼ରେ ଅଛନ୍ତି। ଉଭୟ ସଂସ୍ଥାର ବିମାନ କଂପାନି ଚଲାଇବା ଅଭିଜ୍ଞତା ରହିଛି। ଟାଟା ଅଧୀନରେ ଭିସ୍ତାରା ଓ ଏୟାର ଏସିଆ ଇଣ୍ଡିଆ ରହିଥିବା ବେଳେ ସ୍ପାଇସ୍‌ଜେଟ୍‌ ନିଜେ ଏକ ବିମାନ କଂପାନି। ତେଣୁ ଉଭୟ ସଂସ୍ଥାକୁ ଦାବିଦାର ଭାବେ ବିଚାର କରାଯାଉଛି। ଏୟାର ଇଣ୍ଡିଆର ମାଲିକ କିଏ ହେବ ତାହା ଚଳିତ ସପ୍ତାହରେ ଜଣାପଡ଼ିବ।
ତେବେ ବ୍ଲୁମ୍‌ବର୍ଗ ଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ଏୟାର ଇଣ୍ଡିଆର ପୂର୍ବତନ ନିର୍ଦେଶକ ଜିତେନ୍ଦ୍ର ଭାର୍ଗବ ଟାଟାକୁ ପସନ୍ଦର ଦାବିଦାର ଭାବେ ଚୟନ କରିଛନ୍ତି। ସେ କହିଛନ୍ତି ଯେ ଏୟାର ଇଣ୍ଡିଆକୁ ପାଇବା ଲାଗି ଟାଟାର ବଡ଼ ଅଭିଳାଷ ରହିଛି। ଅତୀତରେ ଜେଆର୍‌ଡି ଟାଟା କହିଥିଲେ ଯେ ଏୟାର ଇଣ୍ଡିଆ ହେଉଛି ଏକମାତ୍ର କଂପାନି ଯାହାକୁ ସେ ସୃଷ୍ଟି କରିଥିଳେ। ଅନ୍ୟ କଂପାନିଗୁଡ଼ିକ ତାଙ୍କ ଅଧୀନକୁ ଆସିଥିଲେ ଓ ସେ ‌କେବଳ ତାହାର ପରିଚାଳନା କରୁଥିଲେ। ତେଣୁ ଏୟାର ଇଣ୍ଡିଆ ଓ ଟାଟା ଭିତରେ ‌ଅନେକ ଆବେଗ ଜଡ଼ିତ ରହିଛି। ସେଥିପାଇଁ ଟାଟା ବିଡ୍ ଦାଖଲ କରିଛି ବୋଲି ଶ୍ରୀ ଭାର୍ଗବ କହିଛନ୍ତି।

ଏୟାର ଇଣ୍ଡିଆର ପୂର୍ବ ନାମ ଥିଲା ଟାଟା ଏୟାରଲାଇନ୍ସ। ଜେଆର୍‌ଡି ଟାଟା ଏହାକୁ ୧୯୩୨ରେ ସ୍ଥାପନ କରିଥିଲେ। ସେ ଥିଲେ ଦେଶର ପ୍ରଥମ ଲାଇସେନ୍ସପ୍ରାପ୍ତ ପାଇଲଟ୍‌। ଭାରତ ସ୍ବାଧୀନ ହେବା ସମୟରେ ଟାଟା ଏୟାରଲାଇନ୍ସର ଜାତୀୟକରଣ କରାଯାଇଥିଲା। ବର୍ତ୍ତମାନ ଏହି କଂପାନି ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହା ଉପରେ ବହୁ କୋଟି ଟଙ୍କାର ଋଣ ଓ ବକେୟା ରହିଛି। ବହୁ ବର୍ଷ ଧରି ଏହା କ୍ଷତିରେ ଚାଲୁଛି। କଂପାନିକୁ ବଞ୍ଚାଇ ରଖିବା ଲାଗି ସରକାରଙ୍କୁ ଅଯଥାରେ ରାଜକୋଷରୁ ବିପୁଳ ରାଶି ବ୍ୟୟ କରିବାକୁ ପଡ଼ୁଛି। ଟିକସ ଅର୍ଥର ଅପଚୟକୁ ରୋକିବା ଲାଗି ସରକାର ଏୟାର ଇଣ୍ଡିଆକୁ ବିକିବା ଲାଗି ସରକାର ଲକ୍ଷ୍ୟ ରଖିବା ଦରକାର। କାରଣ କ୍ଷତିରେ ଚାଲୁଥିବା ଏକ କଂପାନିକୁ ବିକ୍ରି କରି ଅଧିକ ଆୟ ପାଇଁ ଆଶା ରଖିବା ଠିକ୍ ନୁହେଁ ବୋଲି ଭାର୍ଗବ କହିଛନ୍ତି। ଏୟାର ଇଣ୍ଡିଆ ବିକ୍ରି ହେବା ପରେ ରାଜନୈତିକ ସ୍ତରରେ ହଟଚମଟ ସୃଷ୍ଟି ହେବ। ମୂଲ୍ୟବାନ କଂପାନିକୁ ସରକାର ବିକି ଦେଲେ। ଶାଗମାଛ ଦରରେ ବିକିଦେଲେ। ଏହିଭଳି ଅନେକ ଆପେକ୍ଷ ଶୁଣିବାକୁ ପଡ଼ିବ। କିନ୍ତୁ କଂପାନି ପାଇଁ ଯାହା ସବୁଠୁ ଭଲ ହେବ ତାହା ହେଉଛି ଟାଟାକୁ ପୁଣି ଏୟାର ଇଣ୍ଡିଆ ଫେରାଇଦେବା ବୋଲି ସେ କହିଛନ୍ତି।

ଏୟାର ଇଣ୍ଡିଆ ସମ୍ପର୍କରେ ସେ କହିଛନ୍ତି ଯେ ଗତ ୧୮ ବର୍ଷ ଭିତରେ ଯେଉଁ ପ୍ରଶାସକ ଭାବେ ଏୟାର ଇଣ୍ଡିଆ ଦାୟିତ୍ବରେ ରହିଛନ୍ତି ସେମାନଙ୍କର ବିମାନ ଶିଳ୍ପକୁ ନେଇ କୌଣସି ଜ୍ଞାନ ନାହିଁ। ସେମାନେ କେବଳ କଂପାନିକୁ ଚାଲୁ ରଖିଛନ୍ତି। ନୂଆ ପ୍ରତିଭାଙ୍କୁ କଂପାନିରେ ଭର୍ତ୍ତି କରିବା ଏବଂ ବ୍ୟାବସାୟିକ ଦୃଷ୍ଟିକୋଣରୁ ଏହାକୁ ଲାଭଦାୟକ କରିବା ଏବଂ ନେଟ୍‌ୱର୍କ ବଢ଼ାଇବା ଲାଗି କୌଣସି ଉଦ୍ୟମ ହୋଇନି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର