ଟାଟା ହାତକୁ ଫେରିବ ଏୟାର ଇଣ୍ଡିଆ!

୧୯୩୨ରେ ଆରମ୍ଭ କରିଥିଲେ ଜେଆର୍‌ଡି ଟାଟା:୧୯୫୩ରେ ହାତକୁ ନେଇଥିଲେ ସରକାର

ନୂଆଦିଲ୍ଲୀ: ଆଜକୁ ପ୍ରାୟ ୮୫ ବର୍ଷ ପୂର୍ବେ ଏୟାର ଇଣ୍ଡିଆର ସ୍ଥାପନା କରିଥିଲା ଘରୋଇ କମ୍ପାନି ଟାଟା। କିନ୍ତୁ ପରେ ସରକାର ଏହି କମ୍ପାନିର ସରକାରୀକରଣ କରି ଦେଇଥିଲେ। ଫଳରେ ଆଜକୁ ୬୪ ବର୍ଷ ପୂର୍ବେ ଟାଟାକୁ ଏୟାର ଇଣ୍ଡିଆର ମାଲିକାନା ହରାଇବାକୁ ପଡ଼ିଥିଲା। କିନ୍ତୁ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଥିବାରୁ ଏବେ କମ୍ପାନିକୁ ପୁଣି ନିଜ ଅଧୀନକୁ ଆଣିବା ସୁଯୋଗ ଟାଟା କମ୍ପାନି ପାଇଁ ସୃଷ୍ଟି ହୋଇଛି।
ଏହି ପରିପ୍ରେକ୍ଷୀରେ ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରଶେଖରନ୍‌ କହିଛନ୍ତି, ସରକାର ଏୟାର ଇଣ୍ଡିଆର ଘରୋଇକରଣ ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବା ପରେ ଆମେ ନିଶ୍ଚିତ ଏ ବିଷୟ ଦେଖିବୁ। ସେ କହିଛନ୍ତି ଯେ ଟାଟା ଏବେ ଦୁଇଟି ବିମାନସେବା ପ୍ରଦାନକାରୀ କମ୍ପାନିର ପରିଚାଳନାରେ ସାମିଲ ହୋଇଛି। ସେହି ଦୁଇଟି ହେଲା ସିଙ୍ଗାପୁର ଏୟାରଲାଇନ୍ସ ଏବଂ ଏୟାର ଏସିଆ।
ଉଲ୍ଲେଖଯୋଗ୍ୟ ଯେ, ଟାଟା ସନ୍ସ ୧୯୩୨ରେ ଟାଟା ଏୟାରଲାଇନ୍ସ ସ୍ଥାପନ କରିଥିଲା। କରାଚିରୁ ବମ୍ବେ ମଧ୍ୟରେ ଏହି କମ୍ପାନିର ପ୍ରଥମ ବିମାନ ଉଡ଼ାଣ ନିଜେ ଜେଆରଡି ଟାଟା କରିଥିଲେ। କିନ୍ତୁ ଦେଶ ସ୍ୱାଧୀନତା ପୂର୍ବରୁ ୧୯୪୬ରେ ଟାଟା ଏୟାରଲାଇନ୍ସକୁ ପବ୍ଲିକ୍‌ କମ୍ପାନି କରାଯାଇଥିଲା। ଏହାପରେ ଟାଟା ଏୟାରଲାଇନ୍ସର ନାମ ବଦଳାଯାଇ ଏୟାର ଇଣ୍ଡିଆ ରଖାଯାଇଥିଲା।
ବିମାନ ଉଡ଼ାଣ ଲାଗି ଜେଆର୍‌ଡି ଟାଟାଙ୍କର ଯଥେଷ୍ଟ ଆଗ୍ରହ ରହିଥିଲା। କମ୍ପାନିର େଓ୍ଵବସାଇଟ୍‌ ଅନୁଯାୟୀ, ଦେଶରେ ବିମାନ ଉଡ଼ାଣ ପାଇଁ ଯୋଗ୍ୟତା ହାସଲ କରିବାରେ ଟାଟା ପ୍ରଥମ ଭାରତୀୟ ଥିଲେ। ବିମାନ ଉଡ଼ାଣ କରିବାର ପ୍ରଥମ ପାଇଲଟ ଲାଇସେନ୍ସ ସେ ୧୯୨୯ରେ ହାସଲ କରିଥିଲେ। ୧୯୫୩ରେ ଏୟାର ଇଣ୍ଡିଆକୁ ସରକାରୀକରଣ କରାଯିବା ପରେ ମଧ୍ୟ ଏୟାର ଇଣ୍ଡିଆର ମୁଖ୍ୟ ପଦରେ ଟାଟା ୧୯୭୭ ମସିହା ପର୍ଯ୍ୟନ୍ତ ରହିଥିଲେ। ଟାଟାଙ୍କ ନେତୃତ୍ୱରେ ଏୟାର ଇଣ୍ଡିଆ ବିଶ୍ୱର ସବୁଠାରୁ ଦକ୍ଷ ଏୟାରଲାଇନ୍ସ ଭାବେ ପରିଗଣିତ ହୋଇଥିଲା। ୧୯୭୭ରେ ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହେବା ପରେ ଟାଟାଙ୍କୁ ଏହି ପଦରୁ ବିଦା କରି ଦିଆଯାଇଥିଲା।
କିନ୍ତୁ ଏବେ ଏୟାର ଇଣ୍ଡିଆ କ୍ଷତିରେ ଚାଲୁଛି। ଏହା ଉପରେ ବିପୁଳ ପରିମାଣର ଋଣବୋଝ ରହିଛି। ମୋଦି ସରକାର କ୍ଷମତାକୁ ଆସିବା ପରଠାରୁ ଏୟାର ଇଣ୍ଡିଆକୁ ପ୍ରାୟ ୧୬ ହଜାର କୋଟି ଟଙ୍କା ଦେଇ ସାରିଲେଣି। ଏହାସତ୍ତ୍ୱେ ଏୟାର ଇଣ୍ଡିଆର ସ୍ଥିତିରେ ପରିବର୍ତ୍ତନ ଆସିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଫଳରେ ଏୟାର ଇଣ୍ଡିଆକୁ ବିକ୍ରି କରିଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର