ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଏୟାର ଇଣ୍ଡିଆ ସହ ଭିସ୍ତାରାର ମିଶ୍ରଣ ହୋଇଯିବ। ଏହା ଦେଶ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା। କାରର ସୋମବାରଠାରୁ ଦେଶରେ ଏୟାର ଇଣ୍ଡିଆ ଏକମାତ୍ର ପୂର୍ଣ୍ଣ ସେବା ଏୟାରଲାଇନ୍ ହୋଇଯିବ। ଗତ ୧୭ ବର୍ଷ ଭିତରେ ଏଭଳି ୫ଟି ପୂର୍ଣ୍ଣ ସେବା ଏୟାରଲାଇନ୍ ବନ୍ଦ ହୋଇଯାଇଛି। ପୂର୍ଣ୍ଣ ସେବା ଏୟାରଲାଇନ୍ ସେଗୁଡ଼ିକୁ କୁହାଯାଉଛି ଯେଉଁମାନେ ଟିକଟ ବିକ୍ରିଠାରୁ ଆରମ୍ଭ କରି ଭୋଜନ, ବିମାନ ସେବା ପର୍ଯ୍ୟନ୍ତ ସବୁ ପ୍ରକାର ସେବା ନିଜେ ଯୋଗାଉଛନ୍ତି।
୨୦୧୨ରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଉପା ସରକାର ଭାରତୀୟ ଏୟାରଲାଇନ୍ର ୪୯ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ କିଣିବାକୁ ବିଦେଶୀ ସଂସ୍ଥାଙ୍କୁ ଅନୁମତି ପ୍ରଦାନ କରିଥିଲେ। ଏହା ପରେ ଜେଟ୍ ଏୟାରୱେଜ୍ ମଧ୍ୟପ୍ରାଚ୍ୟର ଏଟିହାଡ୍ଠାରୁ ନିବେଶ ପାଇବାରେ ସଫଳ ହୋଇଥିଲା। ଏହି ନିୟମ ଲାଗି ମାଲେସିଆର ଏୟାର ଏସିଆ ସହ ମିଶି ଟାଟା ଗ୍ରୁପ୍ ଏୟାର ଏସିଆ ଇଣ୍ଡିଆ ଏବଂ ସିଙ୍ଗାପୁର ଏୟାରଲାଇନ୍ସ ସହ ମିଶି ଭିସ୍ତାରା ନାମରେ ଦୁଇଟି ଏୟାରଲାଇନ୍ ଆରମ୍ଭ କରିଥିଲା। ଗତ ୧୦ ବର୍ଷ ମଧ୍ୟ ଭିସ୍ତାରା ଏକମାତ୍ର କମ୍ପାନି ଭାବେ ପୂର୍ଣ୍ଣ ସେବା ଏୟାରଲାଇନ୍ ହୋଇଥିଲା। ୨୦୦୭ରେ ଇଣ୍ଡିଆ ଏୟାରଲାଇନ୍ସ ଓ ଏୟାର ଇଣ୍ଡିଆ ମଧ୍ୟରେ ମିଶ୍ରଣ ହେବା ପରେ ଦେଶରୁ ପାଞ୍ଚଟି ପୂର୍ଣ୍ଣ ସେବା ଏୟାରଲାଇନ୍ ବିଦାୟ ନେଇଛନ୍ତି। ସମୟ ଅତିବାହିତ ହେବା ପରେ ବିଜୟ ମାଲ୍ୟାଙ୍କ କିଙ୍ଗଫିସର ଏୟାରଲାଇନ୍ସ ଓ ସୁବ୍ରତ ରାୟଙ୍କ ଏୟାର ସାହାରା ବନ୍ଦ ହୋଇଯାଇଥିଲା। ୨୦୧୨ରେ କିଙ୍ଗଫିସର ଏୟାରଲାଇନ୍ସ ବନ୍ଦ ହୋଇଥିଲା। ଏୟାର ସାହାରାକୁ ଜେଟ୍ ଏୟାରୱେଜ୍ ଅଧିଗ୍ରହଣ କରି ତାହାର ନୂତନ ନାମ ଜେଟ୍ଲାଇଟ୍ ରଖିଥିଲା। ଘୋର ଆର୍ଥିକ ସମସ୍ୟା ପାଇଁ ୨୦୧୯ରେ ଜେଟ୍ ଏୟାରୱେଜ୍ ବନ୍ଦ ହୋଇଯାଇଥିଲା। ୨୦୧୫ରେ ଭିସ୍ତାରାର ଆବିର୍ଭାବ ହୋଇଥିଲା।
ବିଶେଷଜ୍ଞମାନଙ୍କ ମତରେ ବିମାନ ଯାତ୍ରୀ ପରିଚାଳନା ଏବଂ ଯାତ୍ରୀଙ୍କ ଆବଶ୍ୟକତାରେ ପରିବର୍ତ୍ତନ ହୋଇଥିବାରୁ ପୂର୍ଣ୍ଣ ସେବା ଏୟାରଲାଇନ୍ ଓ ସୁଲଭ ମୂଲ୍ୟରେ ସେବା ଯୋଗାଉଥିବା ଏୟାରଲାଇନ୍ ମଧ୍ୟରେ ଥିବା ଅନ୍ତର ଆଉ ଦେଖିବାକୁ ମିଳୁନାହିଁ। ଇଣ୍ଡିଗୋ ସୁଲଭ ମୂଲ୍ୟର ସେବା ଯୋଗାଉଥିବା କମ୍ପାନି ହୋଇଥିଲେ ମଧ୍ୟ ତାହା ଅଧୀନରେ ବଜାରର ବଡ଼ ଭାଗ ରହିଛି। କେବଳ ଭାରତ ନୁହେଁ ସାରା ବିଶ୍ବରେ ସେଭଳି କମ୍ପାନିଗୁଡ଼ିକର ଆଧିପତ୍ୟ ରହିଛି। ଏଭଳି କମ୍ପାନିଗୁଡ଼ିକ ବିଜନେସ୍ କ୍ଲାସ୍ ସିଟ୍ ମଧ୍ୟ ପ୍ରଦାନ କରୁଚନ୍ତି।