୨୪ ଘଣ୍ଟାରେ ଟି‌େକଟ ବାତିଲ କଲେ ଶୁଳ୍କ ଲାଗିବନି, ପହିଲାରୁ ଏୟାର ଇଣ୍ଡିଆର ନୂଆ ନିୟମ

ନୂଆଦିଲ୍ଲୀ: ଯାତ୍ରୀଙ୍କ ପାଇଁ ଏୟାର ଇଣ୍ଡିଆ ଏକ ସୁବିଧା ଆସନ୍ତା ମେ ପହିଲାରୁ ପ୍ରଦାନ କରିବାକୁ ଯାଉଛି। ଯାତ୍ରୀମାନେ ସେମାନଙ୍କ ଟିକେଟ୍ ବୁକ୍ କରିବାର ୨୪ ଘଣ୍ଟା ମଧ୍ୟରେ ଯଦି ବାତିଲ କରନ୍ତି କିମ୍ବା କୌଣସି ପରିବର୍ତନ ଆଣନ୍ତି ତାହେଲେ ସେମାନଙ୍କୁ କୌଣସି ଫି ଦେବାକୁ ପଡ଼ିବ ନାହିଁ। ତେବେ ‌ଟିକେଟ୍ ବୁକିଂ ତାରିଖର ୭ ଦିନ ପରେ ସଂପୃକ୍ତ ବିମାନର ଉଡ଼ାଣ ହେଉଥିବା ଆବଶ୍ୟକ। ଗତ ୨୭ ତାରିଖରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏକ ପାସେଞ୍ଜର ଚାର୍ଟର ଜାରି କରାଯାଇଛି। ଏଥିରେ ବିମାନ ଯାତ୍ରୀଙ୍କ ଅଧିକାର ସମ୍ପର୍କରେ ଉଲ୍ଲେଖ ହୋଇଛି। ସେହିଭଳି ଗତ ୨୪ ତାରିଖରେ ଏୟାର ଇଣ୍ଡିଆ ପକ୍ଷରୁ ଏକ ସର୍କୁଲାର ଜାରି କରାଯାଇ ଏ ବିଷୟରେ ସୂଚନା ଦିଆଯାଇଛି। ଏଥିରେ କୁହାଯାଇଛି, ଟିକେଟ ବୁକ୍ କରିବାର ୨୪ ଘଣ୍ଟା ମଧ୍ୟରେ ଯଦି ଯାତ୍ରୀ ଟିକଟ ବାତିଲ କରନ୍ତି କିମ୍ବା କୌଣସି ସଂଶୋଧନ ଆଣନ୍ତି ସେଥିପାଇଁ କୌଣସି ଫି ଲାଗିବ ନାହିଁ। ତେବେ ଟିକେଟ ବୁକିଂ ହେବାର ୭ ଦିନ ଭିତରେ ଯଦି ବିମାନ ଚଳାଚଳ କରିବାର ଥାଏ ଏହି ସୁବିଧା ମିଳିବ ନାହିଁ। ସେହିଭଳି ଟିକେଟ ବୁକ୍ କରିବାର ୨୪ ଘଣ୍ଟା ପରେ ଯାତ୍ରୀ ଯଦି ଟିକେଟ ବାତିଲ କିମ୍ବା ପରିବର୍ତନ କରନ୍ତି ତାହେଲେ ମଧ୍ୟ ଏହି ସୁବିଧା ମିଳିବ ନାହିଁ।

ସମ୍ବନ୍ଧିତ ଖବର