ରାଜ୍ୟସଭାରେ ଏୟାରକ୍ରାଫ୍ଟ ସଂଶୋଧନ ବିଲ୍ ଗୃହୀତ, ଏୟାର ଇଣ୍ଡିଆ ବିକ୍ରି ନ ହେଲେ ବନ୍ଦ ହେବ

ନୂଆଦିଲ୍ଲୀ: ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆକୁ ନେଇ କେନ୍ଦ୍ର ସରକାର ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। କଂପାନି ଉପରେ ଏତେ ଅଧିକ ଋଣ ରହିଛି ଯେ ତାହାର ଘରୋଇକରଣ କରାଯିବା, ନହେଲେ କଂପାନିକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି। ରାଜ୍ୟସଭାରେ ଏୟାରକ୍ରାଫ୍ଟ ସଂଶୋଧନ ବିଲ୍ ୨୦୨୦ ଉପରେ ଆଲୋଚନା ବେଳେ ସେ କହିଛନ୍ତି ଯଦି ସରକାର ସାହାଯ୍ୟ କରିପାରନ୍ତେ ତେବେ‌ ତାହା ଚାଲିପାରନ୍ତା। ମାତ୍ର ୬୦ ହଜାର କୋଟି ଟଙ୍କାର ଋଣ। ତେଣୁ ସରକାରଙ୍କ ପାଖରେ ଯେଉଁ ବିକଳ୍ପ ରହିଛି ତାହା ‌ହେଉଛି ଏୟାର ଇଣ୍ଡିଆର ଘରୋଇକରଣ କରିବା କିମ୍ବା ତାହାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ବୋଲି ସେ କହିଛନ୍ତି। ତେବେ କଂପାନିକୁ ନୂଆ ମାଲିକ ନିଶ୍ଚିତ ମିଳିବ ବୋଲି ସେ ବିଶ୍ବାସ ପ୍ରକଟ କରିଛନ୍ତି। ନୂଆ ମାଲିକଙ୍କ ପାଇଁ କଂପାନିର ଋଣ ବୋଝ ମୁଣ୍ଡାଇବାକୁ ନେଇ ଯେଉଁ ସର୍ତ୍ତ ରହିଛି ତାହାକୁ କୋହଳ କରିବା ଉପରେ ସରକାର ବିଚାର କରୁଛନ୍ତି।

ଆଜି ଶ୍ରୀ ପୁରୀ ସୂଚନା ଦେଇଛନ୍ତି ଯେ ଦିଲ୍ଲୀ ଓ ମୁମ୍ବାଇ ହେଉଛି ଦେଶର ସବୁଠୁ ବ୍ୟସ୍ତବହୁଳ ବିମାନ ବନ୍ଦର ଯେଉଁଠାରେ ୩୩ ପ୍ରତିଶତ ଯାତ୍ରୀ ଯାତାୟାତ କରୁଛନ୍ତି। ଆଦାନିକୁ ୯ଟିି ବିମାନ ବନ୍ଦର ଆବଣ୍ଟନ କରାଯାଇଛି। ସେହି ବିମାନବନ୍ଦରଗୁଡ଼ିକରେ ଦେଶର ୯% ଯାତ୍ରୀ ଯାତାୟାତ କରୁଛନ୍ତି। କେରଳର ଥିରୁବନନ୍ତପୂରମ ବିମାନ ବନ୍ଦର ଆଦାନିକୁ ଆବଣ୍ଟନ କରାଯିବା ପରେ ‌ତାହାକୁ ନେଇ ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଏହି ବିମାନ ବନ୍ଦରକୁ କେରଳ ନିଜ ପାଖରେ ରଖିବାକୁ ଚାହୁଛି। ଏ ସମ୍ପର୍କରେ ମତ ରଖି ପୁରୀ କହିଛନ୍ତି ଯେ ଥିରୁବନନ୍ତପୂରମ ବିମାନ ବନ୍ଦରର ଘରୋଇ କରଣକୁ ନେଇ କେରଳ ସରକାର, ନିତି ଆୟୋଗ ଓ ସଚିବମାନଙ୍କ କ୍ଷମତା ସମ୍ପନ୍ନ ଗୋଷ୍ଠୀ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଥିଲା। ସେଥିରେ ନିଷ୍ପତ୍ତି ନିଆଯାଇଥିଲା ଯେ ଯଦି ବିଜେତା ହେବାକୁ ଥିବା ସଂସ୍ଥା ଦାଖଲ କରିଥିବା ବିଡ୍‌ର ୧୦% ଭିତରେ କେରଳ ସରକାରଙ୍କ ବିଡ୍‌ ରହିବ ତେବେ ବିମାନ ବନ୍ଦରଟି ରାଜ୍ୟ ସରକାରଙ୍କୁ ଦିଆଯିବ। ମାତ୍ର ଆଦାନି ଓ କେରଳ ସରକାରଙ୍କ ବିଡ୍‌ ମୂଲ୍ୟ ଭିତରେ ୧୯ ପ୍ରତିଶତର ବ୍ୟବଧାନ ରହିଥିଲା। ସେଥିପାଇଁ ତାହାକୁ ଆଦାନିକୁ ଆବଣ୍ଟନ କରାଯାଇଛି ବୋଲି ସେ କହିଛନ୍ତି।

ଆଜି ରାଜ୍ୟସଭାରେ ଦୀର୍ଘ ସମୟ ଆଲୋଚନା ହେବା ପରେ ଏୟାରକ୍ରାଫ୍ଟ ସଂଶୋଧନ ବିଲ୍ ୨୦୨୦ ପାସ୍ ହୋଇଛି। ଚଳିତ ବର୍ଷ ମାର୍ଚ୍ଚରେ ଏହା ଲୋକସଭାରେ ଗୃହୀତ ହୋଇଥିଲା। ଏହି ବିଲ୍ ମାଧ୍ୟମରେ ବେସାମରିକ ବିମାନ ଚଳାଚଳ ମହାନିର୍ଦେଶାଳୟ (ଡିଜିସିଏ), ବ୍ୟୁରୋ ଅଫ୍‌ ସିଭିଲ ଆଭିଏସନ ସିକ୍ୟୁରିଟି ଓ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋକୁ ବୈଧାନିକ ସଂସ୍ଥାରେ ପରିଣତ କରାଯିବ।

ସମ୍ବନ୍ଧିତ ଖବର