ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି ହେବ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ବିମାନ କଂପାନି ଏୟାର ଇଣ୍ଡିଆର ଅଂଶଧନ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। କଂପାନିର ୭୬% ଅଂଶଧନକୁ ବିକ୍ରି କରିବା ଓ ମାଲିକାନାକୁ ଘରୋଇ ସଂସ୍ଥା ହାତକୁ ଟେକି ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଏୟାର ଇଣ୍ଡିଆ ଅଧୀନରେ ଥିବା ଲାଭଜନକ ସଂସ୍ଥା ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ଓ ଏଆଇଏଟିଏସ୍‌ଏଲ୍‌ର ଅଂଶଧନ ମଧ୍ୟ ବିକ୍ରି କରାଯିବ। ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରାଯିବା ପରେ କଂପାନିରେ ସରକାରଙ୍କର ୨୬% ଅଂଶଧନ ରହିବ। ଯେଉଁ ସଂସ୍ଥା ନିଲାମରେ ଏୟାର ଇଣ୍ଡିଆର ୭୬% ଅଂଶଧନ ପାଇବ ସେହି ସଂସ୍ଥା ହାତରେ ଏୟାର ଇଣ୍ଡିଆର ମାଲିକାନା ରହିବ। ତେବେ ନିଲାମରେ ବିଜୟୀ ହେବାକୁ ଥିବା କଂପାନିକୁ ତିନି ବର୍ଷ ପର୍ଯ୍ୟନ୍ତ ଏୟାର ଇଣ୍ଡିଆରେ ବିପୁଳ ପରିମାଣର ପୁଞ୍ଜିନିବେଶ କରିବାକୁ ପଡ଼ିବ।

ଏୟାର ଇଣ୍ଡିଆର ଅଂଶଧନ ବିକ୍ରି କରିବା ପାଇଁ ପ୍ରଥମ ପଦକ୍ଷେପ ସ୍ୱରୂପ ସ୍ଥାନୀୟ ଓ ବିଦେଶୀ ବିମାନ କଂପାନିଗୁଡ଼ିକଠାରୁ ବିଡ୍‌ ଆହ୍ଵାନ କରାଯାଇଛି। ଏଥିପାଇଁ ବିଜ୍ଞାପନ ଦିଆଯାଇଛି। କୌଣସି ଗୋଟିଏ ସଂସ୍ଥା ଚାହିଁଲେ ଅଂଶଧନ କିଣିପାରିବେ। ଅନ୍ୟଥା କିଛି ବିମାନ କଂପାନି ମିଳିତ ଭାବେ ଏକ କନ୍‌ସୋର୍ଟିୟମ ଗଠନ କରି ଅଂଶଧନ କିଣିବା ପାଇଁ ଆବେଦନ କରିପାରିବେ। ତେବେ ସ୍ଥାନୀୟ କଂପାନି ଓ ବିଦେଶୀ କଂପାନି ପାଇଁ ସର୍ତ୍ତ ଭିନ୍ନ ଭିନ୍ନ ରହିବ। ଉଲ୍ଲେଖଯୋଗ୍ୟ, ଏୟାର ଇଣ୍ଡିଆ ବିପୁଳ କ୍ଷତିରେ ଚାଲିଛି। ଏହି କଂପାନି ସରକାରଙ୍କ ପାଇଁ ବୋଝ ପାଲଟିଯାଇଛି। ତେଣୁ ସେଥିରୁ ପୁଞ୍ଜି ପ୍ରତ୍ୟାହାର କରି ସରକାର କଂପାନିକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି। ନୂଆ ସଂସ୍ଥା ହାତକୁ ଗଲେ ଏୟାର ଇଣ୍ଡିଆର ଭାଗ୍ୟ ବଳିଯିବ ବୋଲି ସରକାର ଭାବୁଛନ୍ତି। ଏୟାର ଇଣ୍ଡିଆର ୧୧୫ଟି ବିମାନ ରହିଛି। ଦେଶ ଭିତରେ ଏହା ବିମାନ ସେବା ଯୋଗାଇ ଦେଉଥିବା ବେଳେ ବିଦେଶର ୩୯ଟି ସ୍ଥାନକୁ ଏହାର ବିମାନ ସେବା ରହିଛି। ଏୟାର ଇଣ୍ଡିଆରେ ୧୧,୨୧୪ ଜଣ ସ୍ଥାୟୀ କର୍ମଚାରୀ ଏବଂ ୨୯୧୩ ଜଣ ଚୁକ୍ତିଭିତ୍ତିକ କର୍ମଚାରୀ ରହିଛନ୍ତି। କଂପାନି ଉପରେ ୫୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବା ସଂକ୍ରାନ୍ତ ପ୍ରସ୍ତାବକୁ ୨୦୧୭ ଜୁନ୍‌ରେ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ) ମଞ୍ଜୁରି ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର