ଏୟାର ଇଣ୍ଡିଆ ବିକ୍ରି ଏକ ମାଇଲଖୁଣ୍ଟ: ଆଇଏମ୍‌ଏଫ୍‌

ନୂଆଦିଲ୍ଲୀ: ଭାରତର ଘରୋଇକରଣ ଉଦ୍ୟମରେ ଏୟାର ଇଣ୍ଡିଆ ବିକ୍ରି ଏକ ମାଇଲଖୁଣ୍ଟ ବୋଲି ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) କହିଛି। ଆଇଏମ୍‌ଫ୍‌ର ପୂର୍ବତନ ଭାରତ ମିସନ୍ ମୁଖ୍ୟ ଆଲ୍‌ଫ୍ରେଡ୍‌ ସିପ୍‌କେ କହିଛନ୍ତି ଯେ ଏୟାର ଇଣ୍ଡିଆ ବିକ୍ରି ଲାଗି ନିକଟରେ ହୋଇଥିବା ବୁଝାମଣାକୁ ଆମେ ସ୍ବାଗତ କରୁଛୁ। ଟାଟା ଗ୍ରୁପ୍‌ର ଏକ ସଂସ୍ଥା ଟେଲେସ୍‌ ପ୍ରାଇଭେଟ୍ ଲିମିଟେଡ୍ ୧୮ ହଜାର କୋଟି ଟଙ୍କାର ବିଡ୍ ଦାଖଲ କରି ଏୟାର ଇଣ୍ଡିଆକୁ କିଣିଛି। ବୁଝାମଣା ଅନୁସା‌ରେ ଟାଟା ୨୭୦୦ କୋଟି ଟଙ୍କାର ନଗଦ ରାଶି ଦେବ ଓ ଏୟାର ଇଣ୍ଡିଆର ୧୫,୩୦୦ କୋଟି ଟଙ୍କାର ଋଣ ନିଜ ମୁଣ୍ଡକୁ ନେବ। ଏୟାର ଇଣ୍ଡିଆ ବ୍ୟତୀତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏଆଇଏସ୍‌ଏଟିଏସ୍‌ର ୫୦% ଅଂଶଧନକୁ ମଧ୍ୟ ଟାଟା ହାସଲ କରିଛି।

ଭାରତକୁ ନେଇ ଆଇଏମ୍ଏଫ୍‌ ଏହାର ବାର୍ଷିକ ରିପୋର୍ଟ ଜାରି କରିଛି। ଗତବର୍ଷ ମୋଦୀ ସରକାର ଗ୍ରହଣ କରିଥିବା ୧୩୦ରୁ ଅଧିକ ନୀତି ଭିତ୍ତିକ ପଦକ୍ଷେପର ତାଲିକା ଏଥିରେ ରହିଛି। ମହାମାରୀ ସମୟରେ ନିମ୍ନ ଆୟକାରୀ ବର୍ଗର ଲୋକଙ୍କୁ ସାମାଜିକ ସହାୟତା ପ୍ରଦାନ କରାଯିବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ‌ଖାଦ୍ୟଶସ୍ୟ ଯୋଗାଇ ଦେବା ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପକୁ ଆଇଏମ୍ଏଫ୍ ପ୍ରଶଂସା କରିଛି। ଘରୋଇକରଣ ସମ୍ପର୍କରେ ରିପୋର୍ଟରେ କୁହାଯାଇଛି ଯେ ନୂଆ ଘରୋଇକରଣ ନୀତି ଓ ସରକାରୀ ସମ୍ପତ୍ତି ପରିଚାଳନା ପାଇପ୍‌ଲାଇନ୍‌କୁ ଯଦି ଠିକ୍ ଭାବେ କାର୍ଯ୍ୟକାରୀ କରାଯିବ ତେବେ ସରକାରୀ ସମ୍ପତ୍ତିରୁ ଉଚିତ ମୂଲ୍ୟ ମିଳିପାରିବ ଏବଂ ଭିତ୍ତିଭୂମି, ସ୍ବାସ୍ଥ୍ୟ ଓ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଖର୍ଚ୍ଚ କରିବା ଲାଗି ସରକାରଙ୍କୁ ଆବଶ୍ୟକ ରାଜସ୍ବ ମିଳିବ। ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିକୁ ନେଇ ଯେଉଁଭଳି ଆଭିମୁଖ୍ୟ ରଖିଛି ତାହାକୁ ମଧ୍ୟ ଶ୍ରୀ ସିପ୍‌କେ ପ୍ରଶଂସା କରିଛନ୍ତି।

ସରକାରୀ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ସମସ୍ୟା ମୁକାବିଲା ଲାଗି ବ୍ୟାଡ୍‌ ବ୍ୟାଙ୍କ ଗଠନ କରିବା ଲାଗି ନିଆଯାଇଥିବା ପଦକ୍ଷେପକୁ ମଧ୍ୟ ଆଇଏମ୍ଏଫ୍‌ ସ୍ବାଗତ କରିଛି। ଆର୍ଥିକ ସ୍ଥିରତା ନିଶ୍ଚିତ କରିବା ଲାଗି ସରକାରଙ୍କ ଦୃଢ଼ ମନୋବଳର ଏହା ପ୍ରତିଫଳନ ବୋଲି ଶ୍ରୀ ସିପ୍‌କେ କହିଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକୁ ଅଧିକ ପାଣ୍ଠି ଯୋଗାଇ ଦେବା ଏବଂ ଦୁଇଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ବୀମା କଂପାନିର ଘରୋଇକରଣ ଲାଗି ହେଉଥିବା ଉଦ୍ୟମ ମଧ୍ୟ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ସେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଘରୋଇକରଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଯେଉଁ ସଫଳତା ମିଳିଛି ତାହା ସଂସ୍କାରକୁ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର