ଏୟାର ଇଣ୍ଡିଆରୁ ୭୬ % ଅଂଶଧନ ପ୍ରତ୍ୟାହାର ହେବ 

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ବିମାନସେବା କମ୍ପାନି ଏୟାର ଇଣ୍ଡିଆରୁ ୭୬ ପ୍ରତିଶତ ଅଂଶଧନ ପ୍ରତ୍ୟାହାର ପାଇଁ ସରକାର ଏକ୍ସପ୍ରେସନ ଅଫ ଇଣ୍ଟରେଷ୍ଟ ଆହ୍ଵାନ କରିଛନ୍ତି । ଏହା ସହିତ ଏୟାରଇଣ୍ଡିଆର ସବସୀଡାରୀ ତଥା ଗ୍ରାଉଣ୍ଡ ହାଲଣ୍ଡଲିଂ କମ୍ପାନି ଏଆଇଏସଏଟିଏସ ରେ ଥିବା ଏୟାରଇଣ୍ଡିଆର ୫୦ ପ୍ରତିଶତ ଅଂଶଧନକୁ ମଧ୍ୟ ସରକାର ବିକ୍ରି କରିବେ । ସରକାରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଯେଉଁ କମ୍ପାନି ବା ସନସୋର୍ଟିୟମ ( କମ୍ପାନି ଗୋଷ୍ଠୀ) ଏଥିପାଇଁ ବିଡ୍‌ ଦାଖଲ କରିବେ ସେମାନଙ୍କ ନେଟ ଓ୍ଵର୍ଥ (ଋଣ ବାଦ୍‌ ସଂପତ୍ତି) ପରିମାଣ ୫ ହଜାର କୋଟିରୁ ଅଧିକ ହେବ । କିନ୍ତୁ ଭାରତୀୟ ଏୟାରଲାଇନ୍ସ ମାନଙ୍କ  ନେଟଓ୍ଵାର୍ଥ ଏହି ସୀମାରୁ କମ ଥିଲେ ଏପରିକି ଶୂନ ଥିଲେ ସେମାନେ ଅନ୍ୟ କମ୍ପାନିମାନଙ୍କ ସହ ସନସୋର୍ଟିୟମ ଗଠନ କରି ମିଳିତଭାବେ ଏହି ସୀମାକୁ ପୂରଣ କରି ବିଡ୍‌ ଦାଖଲ କରିପାରିବେ ।  ଭାରତୀୟ ଏୟାରଲାଇନ୍ସ କମ୍ପାନିମାନଙ୍କ ମଧ୍ୟରେ ଇଣ୍ଡିଗୋର ମୋଟ ନେଟଓ୍ଵର୍ଥ ପରିମାଣ ୩୫୦୦ କୋଟି ଟଙ୍କା ହେବ । କିନ୍ତୁ ଏୟାରଲାଇନ୍ସ ଯଥା ଜେଟ୍‌, ସ୍ପାଇସ ଜେଟ ଓ ଭିସ୍ତାରାର ନେଟଓ୍ଵାର୍ଥ ଶୂନ ରହିଛି ।  ଏୟାରଇଣ୍ଡିଆ ଲାଗି  ପୂର୍ବରୁ ଇଣ୍ଡିଗୋ କାତାର ଏୟାରଲାଇନ୍ସ ସହ ମିଶି ନିଲାମ ଡାକିବାର ସମ୍ଭାବନା ଅଛି ।  ୨୦୧୭ ଜୁନ୍ମାସରେ କେନ୍ଦ୍ର କ୍ୟାବିନେଟ୍ ଏୟାର ଇଣ୍ଡିଆର ଘରୋଇକରଣ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ଦେଇଥିଲା ।  ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଥିଲା । ଏୟାର ଇଣ୍ଡିଆର ଘରୋଇକରଣ କାର୍ଯ୍ୟକୁ କିଭଳି ସମ୍ପାଦନ କରାଯିବ ତାହାର ରଣନୀତି ଏହି କମିଟି ପ୍ରସ୍ତୁତ କରୁଛି। କେବଳ ଇଣ୍ଡିଗୋ ନୁହଁ, ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍, ଏବଂ ଜେଟ୍ ଏୟାରେଓ୍ଵଜ୍ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ।

 

 

 

 

ସମ୍ବନ୍ଧିତ ଖବର