ବାକିରେ ମିଳିବନି ଏୟାର ଇଣ୍ଡିଆ ଟିକଟ: ନଗଦ ରାଶି ଦେଇ ଟିକଟ କିଣିବେ ସରକାରୀ ଅଧିକାରୀ

ବକେ୍ୟା ଶୁଝିବେ ସବୁ ‌ମନ୍ତ୍ରଣାଳୟ, ବିଭାଗ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ଘରୋଇକରଣ ହେବା ପରେ ବାକିରେ ନିଆଯାଉଥିବା ଟିକଟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ହୋଇଛି। ସରକାରଙ୍କୁ ଆଉ ଏହି ସୁବିଧା ମିଳିବ ନାହିଁ। ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବାକୁ ହେଲେ ସରକାରଙ୍କୁ ନଗଦ ରାଶି ଦେଇ ଟିକଟ କିଣିବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କ କୌଣସି ମନ୍ତ୍ରଣାଳୟ ଓ ବିଭାଗ ବାକିରେ ଟିକଟ ଆଣିପାରିବେ ନାହିଁ। ଏୟାର ଇଣ୍ଡିଆର ଯେତେ ସବୁ ବକେୟା ରହିଛି ତାହା ତୁରନ୍ତ ଶୁଝିବାକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସବୁ ବିଭାଗକୁ ନିର୍ଦେଶ ଦିଆଯାଇଛି। କଂପାନି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଟାଟା ଗ୍ରୁପ୍ ୧୮ ହଜାର କୋଟି ଟଙ୍କାରେ ସରକାରଙ୍କ ଠାରୁ ଏୟାର ଇଣ୍ଡିଆକୁ କିଣିଛି। ଏନେଇ ଉଭୟ ପକ୍ଷ ମଧ୍ୟରେ ସେୟାର କାରବାରକୁ ନେଇ ବୁଝାମଣା ହୋଇସାରିଲାଣି। ଡିସେମ୍ବର ସୁଦ୍ଧା ଟାଟାକୁ ସମ୍ପୂର୍ଣ୍ଣ ରୂପେ ଏୟାର ଇଣ୍ଡିଆ ହସ୍ତାନ୍ତର କରାଯିବ। ଏହା ଉପରେ ସରକାର କାର୍ଯ୍ୟ ଜାରି ରଖିଛନ୍ତି। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ବାକିରେ ଦିଆଯାଉଥିବା ଟିକଟ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଭଳି ବଡ଼ ନିଷ୍ପତ୍ତି ନିଆଯାଇଛି। ଏହାର ପ୍ରଭାବ ସେହି ଅଧିକାରୀମାନଙ୍କ ଉପରେ ପଡ଼ିବ ଯେଉଁମାନେ ସରକାରୀ ଖର୍ଚ୍ଚରେ ନିୟମିତ ବିମାନ ଯାତ୍ରା କରୁଥିଲେ।

ଏୟାର ଇଣ୍ଡିଆର ଟିକଟ ବାକିରେ ଆଣିବାର ପ୍ରଥା ବହୁ ବର୍ଷ ଧରି ଚାଲିଆସୁଛି। ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ଅଧିକାରୀମାନେ ଦେଶ ଭିତରେ ହେଉ କିମ୍ବା ବିଦେଶକୁ ଯାତ୍ରା କରିବା ଲାଗି ଏହି ବ୍ୟବସ୍ଥାରେ ଟିକଟ ଆଣିଥାନ୍ତି। ପରେ ଏୟାର ଇଣ୍ଡିଆ ଓ ସରକାରଙ୍କ ଭିତରେ ଆଲୋଚନା ହୋଇ ଏବାବଦ ବକେୟାର ଫଇସଲା କରାଯାଏ। ଅନେକ ସମୟରେ ସରକାରଙ୍କ ଉପରେ ଏୟାର ଇଣ୍ଡିଆର କୋଟି କୋଟି ଟଙ୍କା ବାକି ରହିଯାଏ। ସେହି ଧାରାକୁ ଅଟକାଇବା ଓ ଏୟାର ଇଣ୍ଡିଆର ସମସ୍ତ ବକେୟା ଶୁଝିବା ଲାଗି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏବେ ସବୁ ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକୁ କୁହାଯାଇଥିବା ଜଣାପଡ଼ିଛି।

ଏୟାର ଇଣ୍ଡିଆ ପୂର୍ବରୁ ଟାଟା ଗ୍ରୁପ୍‌ର ସଂସ୍ଥା ଥିଲା। ଏହାର ନାମ ଥିଲା ଟାଟା ଏୟାରଲାଇନ୍ସ। ଜେଆର୍‌ଡି ଟାଟା ଏହାକୁ ୧୯୩୨ରେ ସ୍ଥାପନ କରିଥିଲେ। ୧୯୪୭ରେ ଦେଶ ସ୍ବାଧୀନ ହେବା ପରେ ସେହି କଂପାନିର ଜାତୀୟକରଣ କରାଯାଇଥିଲା। ସେହି ସମୟରେ ଉକ୍ତ କଂପାନିରେ ଟାଟାର ୪୯ ପ୍ରତିଶତ ଅଂଶଧନ ଥିଲା। ୧୯୫୩ରେ ସରକାର ଜେଆର୍‌ଡିଙ୍କ ଠାରୁ କଂପାନିର ମାଲିକାନାସତ୍ତ୍ବକୁ କିଣିନେଇଥିଲେ। ଏହା ପରେ କଂପାନିର ନାମ ପରିବର୍ତ୍ତନ କରି ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୯୫ ପରେ ସୁଲଭ ମୂଲ୍ୟରେ ବିମାନ ଯାତ୍ରା ସୁବିଧା ଦେଶରେ ଆରମ୍ଭ ହେବା ପରେ ଏୟାର ଇଣ୍ଡିଆ ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ିଥିଲା। ଏକ ଦଶନ୍ଧୀରୁ ଅଧିକ ସମୟ ଧରି କଂପାନି କ୍ଷତିରେ ଚାଲୁଥିଲା। ଟିକସଦାତାଙ୍କ ଟଙ୍କା ଦେଇ କଂପାନିକୁ ସରକାର ବଞ୍ଚାଇ ରଖିଥିଲେ। ଏହାକୁ ବିକ୍ରି କରିବା ଲାଗି ସରକାର ଉଦ୍ୟମ କରି ଅନେକ ଥର ବିଫଳ ମଧ୍ୟ ହୋଇଥିଲେ। ଶେଷରେ ଚଳିତ ବର୍ଷ ୧୮ ହଜାର କୋଟି ଟଙ୍କାରେ ଏହାକୁ ଟାଟା କିଣିଛି। ଏଥି ସହ ପୁଣି ଥରେ ଏୟାର ଇଣ୍ଡିଆ ଟାଟା ପାଖକୁ ଫେରିଛି।

ସମ୍ବନ୍ଧିତ ଖବର