ଏୟାର ଇଣ୍ଡିଆ କ’ଣ ଏତେ ଅଲୋଡ଼ା?କିଣିବାକୁ ଇଣ୍ଡିଗୋ, ସ୍ପାଇସ୍‌ଜେଟ୍‌, ଜେଟ୍‌ ଏୟାରେଓ୍ଵଜ୍‌ ବି ନାରାଜ

ନୂଆଦିଲ୍ଲୀ: ବିପୁଳ କ୍ଷତିରେ ଚାଲିଥିବା ସରକାରୀ ବିମାନ କଂପାନି ଏୟାର ଇଣ୍ଡିଆରୁ ପୁଞ୍ଜି ପ୍ରତ୍ୟାହାର କରିବାକୁ ସରକାର ଯେଉଁ ଯୋଜନା ରଖିଥିଲେ ତାହାକୁ ଶକ୍ତ ଝଟ୍‌କା ଲାଗିଛି। ଏୟାର ଇଣ୍ଡିଆକୁ କିଣିବା ପାଇଁ କୌଣସି ସ୍ଥାନୀୟ ବିମାନ କଂପାନି ଆଗ୍ରହ ଦେଖାଉନାହାନ୍ତି।
ଏୟାର ଇଣ୍ଡିଆର ୭୬% ଅଂଶଧନ ବିକ୍ରି କରିବାକୁ ସରକାର ବିଡ୍‌ ଆହ୍ଵାନ କରିଛନ୍ତି। ଇଣ୍ଡିଗୋ ଓ ସ୍ପାଇସ୍‌ ଜେଟ୍‌ ବିଡ୍‌ ଦାଖଲ କରିବେ ନାହିଁ ବୋଲି ପୂର୍ବରୁ କହିଥିଲେ। ଆଜି ଜେଟ୍‌ ଏୟାରେଓ୍ଵଜ୍‌ ପକ୍ଷରୁ ଘୋଷଣା କରାଯାଇଛି ଯେ ଏୟାର ଇଣ୍ଡିଆ ପାଇଁ କଂପାନି ବିଡ୍‌ ଦାଖଲ କରିବ ନାହିଁ। ଦେଶର ତିନି ପ୍ରମୁଖ ଘରୋଇ କଂପାନି ବିଡ୍‌ ପ୍ରକ୍ରିୟାରୁ ଓହରି ଯାଇଥିବାରୁ ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ଯୋଜନା ଚମକହୀନ ହୋଇପଡ଼ିଛି।
କୌଣସି ବିଦେଶୀ କଂପାନି ହାତକୁ ଏୟାର ଇଣ୍ଡିଆକୁ ଟେକି ଦେବାକୁ ସରକାର ଚାହୁଁନାହାନ୍ତି। ତେଣୁ ସ୍ଥାନୀୟ କଂପାନିଗୁଡ଼ିକର ବିଡ୍‌କୁ ଅଧିକ ଗୁରୁତ୍ୱ ଦେବା ପାଇଁ ସରକାର ଯୋଜନା ରଖିଥିଲେ। ଯେହେତୁ ତିନି ପ୍ରମୁଖ ସ୍ଥାନୀୟ ବିମାନ କଂପାନି ବିଡ୍‌ ପ୍ରକ୍ରିୟାରୁ ଓହରି ଯାଇଛନ୍ତି ତେଣୁ ସରକାରଙ୍କୁ ଆଗାମୀ ଦିନରେ ନିଜର ରଣନୀତି ବଦଳାଇବାକୁ ପଡ଼ିବ।
ଏୟାର ଇଣ୍ଡିଆର ୭୬% ଅଂଶଧନ ପୁରା କିଣିନେବାକୁ କୌଣସି କଂପାନି ଚାହୁଁନାହାନ୍ତି। ଏୟାର ଇଣ୍ଡିଆର କେବଳ ଆନ୍ତର୍ଜାତିକ କାରବାରକୁ ଇଣ୍ଡିଗୋ କିଣିବାକୁ ଚାହୁଁଥିଲା। ଭାରତ ଭିତରେ ଥିବା କାରବାର ପ୍ରତି କଂପାନିର କୌଣସି ଆଗ୍ରହ ନାହିଁ। ଅତୀତରେ ଏୟାର ଇଣ୍ଡିଆକୁ ଭାରତୀୟ ବେସମାରିକ ବିମାନ ଚଳାଚଳ କ୍ଷେତ୍ରର ସମ୍ରାଟ କୁହାଯାଉଥିଲା। ବିମାନ ଚଳାଚଳ ବଜାରର ସିଂହ ଭାଗ ଏହି କଂପାନି କବ୍‌ଜାରେ ଥିଲା। ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ଇଣ୍ଡିଗୋ ଓ ସ୍ପାଇସ୍‌ଜେଟ୍‌ ଭଳି ଘରୋଇ କଂପାନି ଅତ୍ୟନ୍ତ ପ୍ରତିଦ୍ୱନ୍ଦିତାପୂର୍ଣ୍ଣ ମୂଲ୍ୟରେ ବିମାନ ସେବା ପ୍ରଦାନ କରିବାରୁ ଏୟାର ଇଣ୍ଡିଆ ନିଜର ଚମକ ହରାଇଛି। ୨୦୦୭ରେ ଦୁଇଟି ସରକାରୀ ବିମାନ କଂପାନିର ମିଶ୍ରଣରେ ଏୟାର ଇଣ୍ଡିଆକୁ ଗଠନ କରାଯାଇଥିଲା। ସେବେଠାରୁ ଏହା କ୍ଷତିରେ ଚାଲୁଛି। କଂପାନି ଋଣ ବୋଝ ତଳେ ଦବି ରହିଛି। କଂପାନି ଉପରେ ୫୦ ହଜାର କୋଟି ଟଙ୍କାର ଋଣ ବାକି ପଡ଼ିଛି। ନିତିଦିନିଆ କାରବାର ଚାଲୁ ରଖିବାକୁ ଆବଶ୍ୟକ ପାଣ୍ଠି ଏୟାର ଇଣ୍ଡିଆ ପାଖରେ ନାହିଁ। ଏହାକୁ ପୁନରୁଦ୍ଧାର କରିବାକୁ ସରକାର ନିଜ ଆଡୁ ଅନେକ ପ୍ରୟାସ କରିଛନ୍ତି। ଏହାକୁ ପୁନରୁଦ୍ଧାର କରିବା ପାଇଁ ସରକାର ୩୮ ହଜାର କୋଟି ଟଙ୍କା ଖର୍ଚ କରିସାରିଲେଣି। ମାତ୍ର କଂପାନିର ସ୍ଥିତିରେ କୌଣସି ସୁଧାର ହେଉନାହିଁ।
ଏୟାର ଇଣ୍ଡିଆ ଏବେ ସରକାରଙ୍କ ପାଇଁ ବୋଝ ପାଲଟିଯାଇଛି। କୋଟି କୋଟି ଟଙ୍କା ଖର୍ଚ କରି ଏହାକୁ ଚାଲୁ ରଖିବା ସମ୍ଭବପର ହେଉନାହିଁ। ସେଥିପାଇଁ ଏହାର ୭୬% ଅଂଶଧନ ବିକ୍ରି କରି ସରକାର ଦାୟିତ୍ୱମୁକ୍ତ ହୋଇଯିବାକୁ ଚାହୁଁଛନ୍ତି। କିନ୍ତୁ ଏହି ନିଷ୍ପତ୍ତି ନେବାରେ ସରକାର ଏତେ ବିଳମ୍ବ କରିଦେଲେ ଯେ ଏୟାର ଇଣ୍ଡିଆକୁ ଏବେ କେହି କିଣିବାକୁ ହିଁ ଚାହୁଁନାହାନ୍ତି।

ସମ୍ବନ୍ଧିତ ଖବର