ମୁମ୍ବାଇ: ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାରଲାଇନ୍ସର ମିଶ୍ରଣ ଚଳିତ ବର୍ଷ ଶେଷ ହେବ । ଟାଟା ଗ୍ରୁପର ଏହି ଦୁଇ ଏୟାରଲାଇନ୍ସର ସିଇଓମାନେ ସୋମବାର ଏ ସଂକ୍ରାନ୍ତ ଯୋଜନାକୁ ଚୂଡ଼ାନ୍ତ କରିଛନ୍ତି। ଏହାବ୍ୟତୀତ ଉଭୟ ସିଇଓ କର୍ମଚାରୀଙ୍କ ସହ ଏକ ଲମ୍ବା ବୈଠକ ମଧ୍ୟ କରିଛନ୍ତି। ଏଥିରେ ଏହି ମିଶ୍ରଣକୁ ନେଇ କର୍ମଚାରୀଙ୍କୁ ବିଶ୍ୱାସରେ ନେବାକୁ ଚେଷ୍ଟା କରାଯାଇଥିଲା। ଏହା ସହ ପାଖାପାଖି ୭ହଜାର କର୍ମଚାରୀଙ୍କ ଭବିଷ୍ୟତ ପାଇଁ ଯୋଜନା ମଧ୍ୟ ଚୂଡ଼ାନ୍ତ ହୋଇଛି। ସେମାନଙ୍କ ଭୂମିକା ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଏୟାର ଇଣ୍ଡିଆ ଓ ଭିସ୍ତାରାରେ ମିଳିତ ଭାବେ ୨୩,୫୦୦ କର୍ମଚାରୀ ଅଛନ୍ତି।

Advertisment

ଏୟାର ଇଣ୍ଡିଆର ସିଇଓ ତଥା ଏମଡି କ୍ୟାମ୍ପବେଲ ୱିଲସନ ଏବଂ ଭିସ୍ତାରା ଏୟାରଲାଇନ୍ସର ସିଇଓ ବିନୋଦ କନ୍ନନ କହିଛନ୍ତି ଯେ ମିଶ୍ରଣ ପରେ ଆମେ ସମ୍ବଳ ବୃଦ୍ଧି କରିବୁ । ଏହାବ୍ୟତୀତ ବିଶ୍ୱର ଅନେକ ରୁଟରେ ଆମେ ଆମର ସେବା ପ୍ରଦାନ କରିବାରେ ସକ୍ଷମ ହୋଇପାରିବୁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପ୍ରାୟ ୭୦୦୦ କର୍ମଚାରୀଙ୍କୁ ଫିଟମେଣ୍ଟ ଅଧୀନରେ ବିଭିନ୍ନ କାର୍ୟ୍ୟ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଜୁନ୍ ଶେଷ ସୁଦ୍ଧା ସେମାନଙ୍କ ଫିଟମେଣ୍ଟ  ସମାପ୍ତ ହୋଇଯିବ। ସେମାନଙ୍କ ଭୂମିକା ମଧ୍ୟ ଏକାସାଙ୍ଗରେ ସ୍ଥିର ହେବ। ଏହି କାର୍ୟ୍ୟରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଏକ ଗ୍ଲୋବାଲ କନସଲଟାନ୍ସି ଫାର୍ମର ସହାୟତା ମଧ୍ୟ ନିଆଯିବ ।