ଘରୋଇକରଣ ନ ହୋଇ ପାରିଲେ ବନ୍ଦ ହେବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ : ସରକାରୀ ବିମାନ ପରିବହନ ସଂସ୍ଥା ଏୟାର ଇଣ୍ଡିଆର ଭବିଷ୍ୟତକୁ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ହରଦୀପ୍ ସିଂ ପୁରୀ ।  ଶନିବାର ଦିନ ଶ୍ରୀ ପୁରୀ କହିଛନ୍ତି କି ଏବେ ଏୟାର ଇଣ୍ଡିଆର ସମ୍ପୂର୍ଣ୍ଣ ଅଂଶଧନ ବିକ୍ରି କରିଦିଆଯିବ, ଯଦି ବିକ୍ରି ହୋଇ ନପାରିବ ତେବେ ତାହାକୁ ସବୁଦିନ ପାଇଁ ବନ୍ଦ କରିଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି, ଏୟାର ଇଣ୍ଡିଆ ବିକ୍ରି ଲାଗି ଶେଷଥର ପାଇଁ ନିଲାମ ଡକାଯିବ । ସରକାରଙ୍କ ପାଖରେ ଏବେ ମାତ୍ର ଏହି ଦୁଇଟି ରାସ୍ତା ଖୋଲା ରହିଛି । ଏୟାର ଇଣ୍ଡିଆକୁ ଘରୋଇକରଣ କରାଯିବ ନଚେତ ବନ୍ଦ କରାଯିବ । ଉଲ୍ଲେଖଯୋଗ୍ୟ, ଦୀର୍ଘଦିନ ହେବ ସରକାରୀ ଏୟାର ଲାଇନ୍ସ ଏୟାର ଇଣ୍ଡିଆ ଆର୍ଥିକ ସଂକଟ ଦେଇ ଗତିକରୁଛି ଓ ସରକାର ଏହାକୁ ବିକ୍ରି କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପୁରୀ ଆହୁରି କହିଛନ୍ତି କି ଏୟାର ଇଣ୍ଡିଆକୁ ଚଳାଇ ରଖିବା ଏବେ କଷ୍ଟକର ହୋଇପଡିଛି । ଏହାକୁ ଚାଲୁ କରିବା ଦ୍ୱାରା ଦୈନିକ ୨୦ କୋଟି ଟଙ୍କା କ୍ଷତି ହେଉଛି । କମ୍ପାନୀ ବର୍ତ୍ତମାନ ପର୍ଯ୍ୟନ୍ତ ୬୦ ହଜାର କୋଟି ଟଙ୍କା କ୍ଷତିରେ ଚାଲୁଛି । କହିରଖୁ କି ୨୦୦୭ ମସିହାରୁ ଏୟାର ଇଣ୍ଡିଆ କ୍ଷତିରେ ଚାଲୁଛି।

ଶ୍ରୀ ପୁରୀ କହିଛନ୍ତି କି ବାରମ୍ବାର ଅର୍ଥମନ୍ତ୍ରୀଙ୍କୁ ଟଙ୍କା ମାଗିବା ସମ୍ଭବ ନୁହେଁ କି ବିଭାଗ ପାଖରେ ଏତେ ଟଙ୍କା ନାହିଁ ଯେ ଏହାକୁ ଚଳାଇ ପାରିବ । ପୂର୍ବ ବୈଠକରେ ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିନିବେଶ କରିବାକୁ ନିଷ୍ପତ୍ତି ହେବା ସହ ଏଥିରେ ପୁଞ୍ଜି ବିନିଯୋଗ କରିବାକୁ ଚାହୁଁଥିବା କମ୍ପାନିମାନଙ୍କର ତାଲିକା କରାଯାଇଥିଲା । ଏହାସହ କୁହାଯାଇଥିଲା କି ଯେଉଁ କମ୍ପାନିମାନେ ଏହି ନିଲାମିରେ ସାମିଲ ହେବାକୁ ଚାହୁଁଛନ୍ତି ସେମାନେ ୬୪ ଦିନ ମଧ୍ୟରେ ଟେଣ୍ଡର ପକାଇବେ । ମାତ୍ର ତାହା ହୋଇପାରି ନାହିଁ । ସରକାର ଆଶା କରୁଛନ୍ତି କି ମେ’ କିମ୍ବା ଜୁନ ମାସ ସୁଦ୍ଧା ଏୟାର ଇଣ୍ଡିଆର ବିନିବେଶ ପ୍ରକ୍ରିୟା ଶେଷ ହେବ।

ସମ୍ବନ୍ଧିତ ଖବର