ନୂଆଦିଲ୍ଲୀ,: ଏୟାର ଇଣ୍ଡିଆର ଘରୋଇକରଣ ପ୍ରସଙ୍ଗରେ ସରକାର ପଛକୁ ହଟିବେ ନାହିଁ। ଆସନ୍ତା ଜୁନ୍‌ ସୁଦ୍ଧା ଏୟାର ଇଣ୍ଡିଆର ଘରୋଇକରଣ କାର୍ଯ୍ୟ ଶେଷ କରିବା ଲାଗି ସରକାର ଆଶାବାଦୀ ଅଛନ୍ତି। ବିକ୍ରି ପାଇଁ ଉପଦେଷ୍ଟା ନିଯୁକ୍ତ କରାଯାଇ ସାରିଛି। ଆସନ୍ତା ଜୁନ୍‌ ସୁଦ୍ଧା ବିକ୍ରି ପ୍ରକ୍ରିୟା ଶେଷ ହେବା ନେଇ ଆଶା ରହିଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ ନିଜ ନାମ ଗୋପନ ରଖିି କହିଛନ୍ତି। 

Advertisment

ଏୟାର ଇଣ୍ଡିଆର ସ୍ଥିତି ସୁଧାରିବା ପାଇଁ ୫ ବର୍ଷ ସମୟ ଦିଆଯାଉ ଏବଂ ଏହାର ଋଣକୁ ଛାଡ଼ କରିବା ଲାଗି ଏକ ସଂସଦୀୟ କମିଟି ମତ ଦେବାର କିଛିଦିନ ପରେ ଏଭଳି ଖବର ସାମ୍ନାକୁ ଆସିଛି। ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ଏହି ମତ ଦେଇଥିଲା। ଏୟାର ଇଣ୍ଡିଆ ଆମର ଜାତୀୟ ଗର୍ବ ହୋଇଥିବାରୁ ପୁଞ୍ଜି ପ୍ରତ୍ୟାହାରର ଏକ ବିକଳ୍ପ ସମ୍ପର୍କରେ ସରକାର ବିଚାର କରିବା ଉଚିତ ବୋଲି କମିଟି କହିଥିଲା।
ଗତବର୍ଷ ଜୁନ୍‌ରେ କେନ୍ଦ୍ର କ୍ୟାବିନେଟ୍‌ ଏୟାର ଇଣ୍ଡିଆର ଘରୋଇକରଣ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ପ୍ରଦାନ କରିଥିଲେ। ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହୋଇଛି। ଏୟାର ଇଣ୍ଡିଆର ଘରୋଇକରଣ କାର୍ଯ୍ୟକୁ କିଭଳି ସମ୍ପାଦନ କରାଯିବ ତାହାର ରଣନୀତି ଏହି କମିଟି ପ୍ରସ୍ତୁତ କରୁଛି। ଏୟାର ଇଣ୍ଡିଆକୁ କିଣିବା ପାଇଁ ଟାଟା ଗ୍ରୁପ୍‌, ଇଣ୍ଡିଗୋ ଏୟାରଲାଇନ୍ସ ଏବଂ ଜେଟ୍‌ ଏୟାରେଓ୍ଵଜ୍‌ ଆଗ୍ରହୀ ଅଛନ୍ତି। ଏଥିସହିତ କେତେକ ବିଦେଶୀ କମ୍ପାନି ମଧ୍ୟ ଏୟାର ଇଣ୍ଡିଆ କିଣିବା ଲାଗି ଉଦ୍ୟମ ଚଳାଇଛନ୍ତି।
ଋଣ ଛାଡ଼ କରିବା ସହିତ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଅଂଶଧନ ବିକ୍ରି କରିବା ଲାଗି ନିତି ଆୟୋଗ ସୁପାରିସ କରିବା ପରେ ଏୟାର ଇଣ୍ଡିଆର ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ତ୍ୱରାନ୍ଵିତ ହୋଇଛି। କ୍ଷତିରେ ଚାଲୁଥିବା ଏୟାରଲାଇନ୍ସର ଅଂଶଧନ ବିକ୍ରି ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗ୍ରହୀ ଥିବା କୁହାଯାଉଛି। ଏୟାର ଇଣ୍ଡିଆ ଉପରେ ମୋଟ ପ୍ରାୟ ୬୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି। ଏଥିମଧ୍ୟରୁ ୩୦ ହଜାର କୋଟିର ଋଣ ଛାଡ଼ କରିବା ଲାଗି ନିତି ଆୟୋଗ ସୁପାରିସ କରିଛି।