ସେପ୍ଟେମ୍ବର ସୁଦ୍ଧା ଏୟାର ଇଣ୍ଡିଆ ବିକ୍ରି ହେବ

ନୂଆଦିଲ୍ଲୀ: ସରକାରୀ ବିମାନ ‌କଂପାନି ଏୟାର ଇଣ୍ଡିଆର ବିକ୍ରି ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଶେଷ ହେବ। ଯେଉଁ ସଂସ୍ଥାଗୁଡ଼ିକ କିଣିବା ଲାଗି ଆଗ୍ରହ ଦେଖାଇଛନ୍ତି ସରକାର ସେମାନଙ୍କ ଠାରୁ ଆର୍ଥିକ ବିଡ୍ ଆହ୍ବାନ କରିଛନ୍ତି। କ୍ଷତିରେ ଚାଲୁଥିବା ଏୟାର ଇଣ୍ଡିଆକୁ କିଣିବା ଲାଗି ଟାଟା ଗ୍ରୁପ୍ ଭଳି ସଂସ୍ଥା ଦୌଡ଼ରେ ଥିବା ଜଣାପଡ଼ିଛି। ଏୟାର ଇଣ୍ଡିଆ ଲାଗି ଆସିଥିବା ପ୍ରାରମ୍ଭିକ ବିଡ୍‌ଗୁଡ଼ିକୁ ଅନୁଶୀଳନ କରିବା ପରେ ଯୋଗ୍ୟ ବିବେଚିତ ହୋଇଥିବା ଆବେଦନକାରୀମାନଙ୍କୁ ଏକ ଭର୍ଚୁଆଲ୍ ଡାଟା ରୁମ୍ ପ୍ରଦାନ କରାଯାଇଛି। ସେଥିରୁ ନିବେଶକମାନେ କଂପାନି ବିଷୟରେ ବିବରଣୀ ପାଇପାରିବେ।ଏହା ପରେ ନିବେଶକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦିଆଯିବ। ଏବେ ଆର୍ଥିକ ବିଡ୍ ଆହ୍ବାନ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସେପ୍ଟେମ୍ବର ସୁଦ୍ଧା ବିକ୍ରି ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡ଼ିଛି। ୨୦୦୭ରେ ଇଣ୍ଡିଆନ ଏୟାରଲାଇନ୍ସ ସହ ମିଶ୍ରଣ ହେବା ପରଠାରୁ ଏୟାର ଇଣ୍ଡିଆ କ୍ଷତିରେ ଚାଲୁଛି। ଏହାକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। କରୋନା ମହାମାରୀ ପ୍ରଭାବ ଯୋଗୁଁ ଏହି ବିକ୍ରି ପ୍ରକ୍ରିୟା ବିଳମ୍ବିତ ହୋଇଛି। ନିବେଶକଙ୍କ ଠାରୁ ଆବେଦନ ଆହ୍ବାନ କରିବାର ସମୟ ସୀମା ପାଞ୍ଚ ଥର ବଢ଼ିଛି।

ସମ୍ବନ୍ଧିତ ଖବର