ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ ଅଧିଗ୍ରହଣ କରିବା ପରେ ଅନେକ ବଡ଼ ପରିବର୍ତ୍ତନ କରାଯାଉଛି। ବର୍ତ୍ତମାନ ଏୟାର ଇଣ୍ଡିଆ ଏପରି ଘୋଷଣା କରିଛି ଯାହା ଦ୍ୱାରା ହଜାର ହଜାର ଯାତ୍ରୀଙ୍କୁ ସୁବିଧା ମିଳିବ । ଏୟାର ଇଣ୍ଡିଆ କହିଛି ଯେ ଚଳିତ ମାସ ଶେଷ(ଅକ୍ଟୋବର ୩୦) ତାରିଖରୁ ଦେଶର ପ୍ରମୁଖ ସହରରୁ ଅନେକ ଅନ୍ତର୍ଜାତୀୟ ବିମାନ ଚଳାଚଳ କରିବ। ଏଥିରେ ଆମେରିକା, ଦୋହା ଭଳି ଦେଶ ପାଇଁ ଅନେକ ନୂଆ ବିମାନସେବା ଆରମ୍ଭ ହେବ | ହାଇଦ୍ରାବାଦ ଏବଂ ଚେନ୍ନାଇରୁ ଦୋହାକୁ ୨୦ଟି ସାପ୍ତାହିକ ବିମାନ ଉଡ଼ାଣ ଆରମ୍ଭ କରିବ ବୋଲି କମ୍ପାନୀ ଘୋଷଣା କରିଛି | ଏଥି ସହିତ ଦେଶର ଅନେକ ସହରରୁ ଆମେରିକା ଓ ଲଣ୍ଡନକୁ ବିମାନ ସେବା ଆରମ୍ଭ କରାଯିବ |
ଦେଶର କିଛି ସହରରୁ ଆମେରିକା ପାଇଁ ୪୦ଟି ବିମାନ ଓ ଲଣ୍ଡନ ପାଇଁ ୪୨ଟି ନୂଆ ବିମାନ ସେବା ଆରମ୍ଭ ହେବ। ଏହା ସହିତ ଏୟାର ଇଣ୍ଡିଆ ଗ୍ରାହକମାନଙ୍କୁ ସୂଚନା ଦେଇଛି ଯେ ଏହି ସମସ୍ତ ବିମାନର ବୁକିଂ ଆରମ୍ଭ ହୋଇଛି। ଯଦି ଆପଣ ବିଦେଶ ଭ୍ରମଣ କରିବାକୁ ଚାହାଁନ୍ତି, ତେବେ ଆପଣ ଯଥାଶୀଘ୍ର ଏହି ବିମାନଗୁଡ଼ିକରେ ବୁକ୍ କରିପାରିବେ |
ସୂଚନା ଥାଉ କି ଯେ ଏୟାର ଇଣ୍ଡିଆ ଅହମ୍ମଦାବାଦ, ଅମୃତସର, କୋଚି, ହାଇଦ୍ରାବାଦ, ଗୋଆ, ଦିଲ୍ଲୀ, ମୁମ୍ବାଇରୁ ଲଣ୍ଡନ ଅଭିମୁଖେ ବିମାନ ସେବା ଆରମ୍ଭ କରିବାକୁ ଘୋଷଣା କରିଛି। ଏହା ସହିତ ଏହି ସହରଗୁଡ଼ିକରୁ ୱାଶିଂଟନ୍, ଚିକାଗୋ, ସାନଫ୍ରାନ୍ସିସ୍କୋ, ନ୍ୟୁୟର୍କ ଏବଂ ଆମେରିକାର ନ୍ୟୁ ଜର୍ସି ପର୍ଯ୍ୟନ୍ତ ବିମାନ ସେବା ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ ଏଗୁଡ଼ିକ ସିଧାସଳଖ ଆନ୍ତର୍ଜାତୀୟ ବିମାନ | ଏହା ଦ୍ୱାରା ଯାତ୍ରୀମାନଙ୍କ ସମୟ ସଞ୍ଚୟ ହେବା ସହ ସେମାନେ ଶୀଘ୍ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ |