ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ଓ ବାୟୁ ପ୍ରଦୂଷଣର ଅନେକ ବିନାଶକାରୀ ପ୍ରଭାବକୁ ସାରା ବିଶ୍ବ ପ୍ରତ୍ୟକ୍ଷ କରୁଥିବା ବେଳେ ଭାରତର ଏକ ନିର୍ଦ୍ଦିଷ୍ଟ କ୍ଷେତ୍ର ଏହା ଦ୍ବାରା କ୍ଷତିଗ୍ରସ୍ତ ହେବ ବୋଲି ଏକ ସର୍ବେକ୍ଷଣରେ ଆକଳନ କରାଯାଇଛି। ଆଇଆଇଟି ଦିଲ୍ଲୀର ଗବେଷକମାନେ ଜଣାଇଛନ୍ତି ଯେ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଭାରତର ସୌରଶକ୍ତି ଉତ୍ପାଦନ କ୍ଷମତା ଶତାବ୍ଦୀର ମଧ୍ୟଭାଗ (୨୦୫୦) ସୁଦ୍ଧା ୬୦୦-୮୦୦ ଗିଗାୱାଟ୍‌ ଆୱାର ହ୍ରାସ ପାଇବ। ବିଶେଷ କରି ଦେଶର ଉତ୍ତର, ପଶ୍ଚିମ ଓ ଦକ୍ଷିଣ ପାୱାର ଗ୍ରିଡ୍‌ରେ ଥିବା ଅଧିକାଂଶ ସୋଲାର୍‌ ପାର୍କର ପ୍ରଦର୍ଶନ ପ୍ରଭାବିତ ହେବା ଆଶଙ୍କା ରହିଛି। ବାୟୁ ପ୍ରଦୂଷଣ ପ୍ରଭାବରେ ଧରାପୃଷ୍ଠରେ ସୂର୍ଯ୍ୟଙ୍କ କିରଣର ତେଜ କମିଯିବ। 

Advertisment

ବାୟୁର ଧୂଳିକଣାଗୁଡ଼ିକ ସୂର୍ଯ୍ୟଙ୍କ କିରଣକୁ ଶୋଷିନେବେ ଏବଂ ବିକ୍ଷୀପ୍ତ କରିଦେବେ। ଫଳରେ ବିକିରଣର ମାତ୍ରା କମିଯିବ। ସୌର ଶକ୍ତି ଉତ୍ପାଦନ ପାଣିପାଗ ଓ ଜଳବାୟୁ ପରିବର୍ତ୍ତନ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିଥିବାରୁ ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବ। ଦେଶର ସୌର ଶକ୍ତି ଉତ୍ପାଦନ କ୍ଷମତାକୁ ବଢ଼ାଇବା ଲାଗି ଜଳବାୟୁ ଓ ବାୟୁ ପ୍ରଦୂଷଣ ପ୍ରଶମନ ଲାଗି ମିଳିତ ଉଦ୍ୟମ କରିବାକୁ ଗବେଷକମାନେ ଆହ୍ବାନ ଦେଇଛନ୍ତି। ଭାରତରେ ବର୍ଷକୁ ପାଖାପାଖି ୩୦୦ ଦିନ ସ୍ପଷ୍ଟ ଆକାଶ ରହୁଛି, ଯାହା ସୌର ଶକ୍ତି ଉତ୍ପାଦନ ଲାଗି ଏହାକୁ ଏକ ଉପଯୁକ୍ତ ସ୍ଥାନରେ ପରିଣତ କରିଛି। କିନ୍ତୁ ଧୀରେ ଧୀରେ ସୌର ବିକିରଣ କମ୍ ହେବାରେ ଲାଗିଛି, ଯାହା ସୌର ଶକ୍ତି ଉତ୍ପାଦନ କ୍ଷମତାକୁ ସଙ୍କୁଚିତ କରିବ ବୋଲି ଗବେଷକମାନେ ଜାଣିବାକୁ ପାଇଛନ୍ତି।