ବିମାନ ଯାତ୍ରା ମହଙ୍ଗା ହେଲା, ସର୍ବନିମ୍ନ ଭଡ଼ା ୫ ପ୍ରତିଶତ ବୃଦ୍ଧି

ମୁମ୍ବାଇ : ଘରୋଇ ବିମାନ ଉଡ଼ାଣ ପାଇଁ ଯାତ୍ରୀମାନଙ୍କୁ ଏଣିକି ଅଧିକ ଅର୍ଥ ଦେବାକୁ ପଡ଼ିବ। ନିକଟରେ ବିମାନ ଇନ୍ଧନ ବା ଏଟିଏଫ୍‌ ମୂଲ୍ୟ ବୃଦ୍ଧି ଘଟିଥିବାରୁ ସରକାର ଆଜି ଭଡ଼ାର ସର୍ବନିମ୍ନ ମୂଲ୍ୟରେ ୫ ପ୍ରତିଶତ ବୃଦ୍ଧି ଘୋଷଣା କରିଛନ୍ତି। ଗତ କିଛିଦିନ ହେଲା ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଯୋଗୁ ଯାତ୍ରୀଙ୍କ ସଂଖ୍ୟା ହ୍ରାସ ପାଇଛି। ଏଥିପାଇଁ ସରକାର ବିମାନରେ ୮୦ ପ୍ରତିଶତ ଯାତ୍ରୀଙ୍କୁ ନେବା ପାଇଁ ରହିଥିବା ଅନୁମତିକୁ ସରକାର ବଳବତ୍ତର ରଖିଛନ୍ତି। ଏଥିସହିତ ଦେଶରେ ନିରନ୍ତର ଭାବେ ବିମାନ ଇନ୍ଧନ ଦର ବଢ଼ିଚାଲିଛି। ତେଣୁ ସର୍ବନିମ୍ନ ଭଡ଼ାରେ ୫ ପ୍ରତିଶତ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ ସର୍ବାଧିକ ଭଡ଼ାରେ କୌଣସି ପରିବର୍ତ୍ତନ ଅଣାଯାଇ ନାହିଁ। ତେବେ ଗୋଟିଏ ମାସରେ ଯଦି ୩ ଥର ଯାତ୍ରୀ ଦେଶରେ ଯାତ୍ରୀ ପରିବହନ ସଂଖ୍ୟା ସାଢ଼େ ତିନି ଲକ୍ଷ ଟପିବ ତାହେଲେ ସରକାର ୧୦୦ ପ୍ରତିଶତ ସିଟ୍‌ରେ ଯାତ୍ରୀ ପରିବହନ ଅନୁମତି ପ୍ରଦାନ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।

ସରକାର କ୍ରମାଗତ ଭା‌ବେ ଦ୍ବିତୀୟ ଥର ପାଇଁ ବିମାନ ଟିକଟ ମୂଲ୍ୟ ବୃଦ୍ଧି ପାଇଁ ଅନୁମତି ଦେଇଛନ୍ତି। ଗତ ମାସରେ ବିମାନ ଭଡ଼ାରେ ୧୦ ପ୍ରତିଶତରୁ ୩୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଅନୁମତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଦେଇଥିଲା। ଏହି ନିଷ୍ପତ୍ତି ଦ୍ବାରା ୯୦ ମିନିଟରୁ ୧୨୦ ମିନିଟ୍ ପର୍ଯ୍ୟନ୍ତ ଉଡ଼ାଣ କରୁଥିବା ବ୍ୟକ୍ତିଙ୍କୁ ଟିକଟ ମୂଲ୍ୟ ବାବଦରେ ୩୫୦୦ ଟଙ୍କା ପରିବର୍ତ୍ତେ ୩୯୦୦ ଟଙ୍କା ଦେବାକୁ ପଡ଼ୁଛି। ସେହିଭଳି ସର୍ବାଧିକ ଭଡ଼ା ବୃଦ୍ଧି ଅନୁସାରେ ଏହି ଯାତ୍ରୀମାନଙ୍କୁ ୧୦ ହଜାର ଟଙ୍କା ପରିବର୍ତ୍ତେ ୧୩ ହଜାର ଟଙ୍କା ଦେବାକୁ ପଡ଼ୁଛି। ତେବେ କରୋନା କଟକଣା ପାଇଁ ଗତବର୍ଷ ମାର୍ଚ୍ଚ ୨୩ ତାରିଖରୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ବନ୍ଦ ରଖାଯାଇଛି। କେବଳ ଏୟାର ବବଲ୍‌ ଯୋଜନାରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣକୁ ଅନୁମତି ଦିଆଯାଇଛି।

ସମ୍ବନ୍ଧିତ ଖବର