କୋଭିଡ ସସମୟରେ ବିମାନ ଯାତ୍ରା ନିରାପଦ

କରୋନା ସମୟରେ ବିମାନ ଯାତ୍ରା ଯଥେଷ୍ଟ ନିରାପଦ। ଯାତ୍ରୀମାନେ ଯାତ୍ରା‌ବେଳେ ମାସ୍କ ପିନ୍ଧିବା ଓ ଅନ୍ୟ ସତର୍କତା ପଦକ୍ଷେପ ଗ୍ରହଣ କରୁଛନ୍ତି। ସେହିଭଳି ରୋଗ ସୃଷ୍ଟିକାରୀ ଭୂତାଣୁକୁ ବିମାନ ଭିତରୁ ବାହାର କରିବା ଲାଗି ଉତ୍ତମ ବାୟୁ ଚଳାଚଳ ବ୍ୟବସ୍ଥା ମଧ୍ୟ ହୋଇଛି। କରୋନା ସଂକ୍ରମଣକୁ ଯଥାସାଧ୍ୟ ଯାତ୍ରୀଙ୍କ ଠାରୁ ଦୂରେଇ ରଖିବା ପାଇଁ ଏୟାରଲାଇନ୍ସ ଗୁଡ଼ିକ କି ପଦକ୍ଷେପ ନେଇଛନ୍ତି ତାହାକୁ ନେଇ ଏହି ଉପସ୍ଥାପନା

ବିଶେଷଜ୍ଞମାନେ କ’ଣ କୁହନ୍ତି?
ଆଇଏଟିଏ ପକ୍ଷରୁ କୁହାଯାଉଛି ଯେ, କୌଣସି ଅଫିସ ଓ ଦୋକାନ ତୁଳନାରେ ବିମାନରେ ସଂକ୍ରମଣ ହେବାର ଆଶଙ୍କା ଖୁବ୍ କମ୍‌। ଏମ୍‌ଆଇଟି ପକ୍ଷରୁ କରାଯାଇଥିବା ଏକ ଅନୁଧ୍ୟାନରୁ ଜଣାଯାଇଛି ଯେ ବିମାନରେ ସଂପୂର୍ଣ୍ଣ କ୍ଷମତାରେ ଯାତ୍ରୀ ମାନେ ମାସ୍କ ପିନ୍ଧି ଯିବାବେଳେ ସଂକ୍ରମଣ ଆଶଙ୍କା ପ୍ରତି ୪୩୦୦ରେ ଜଣେ ହେବାର ସମ୍ଭାବନା ରହିଛି। କିନ୍ତୁ ମଝି ସିଟ୍ ଫାଙ୍କା ରହିଲେ ଏହି ବିପଦ ଆହୁରି କମି ଯାଇଥାଏ। ଅର୍ଥାତ୍ ୭୭୦୦ ଜଣରେ ଜଣେ ବ୍ୟକ୍ତି ସଂକ୍ରମିତ ହେବା ଆଶଙ୍କା ରହିଥାଏ।
ଅଷ୍ଟ୍ରେଲିଆରେ କରାଯାଇଥିବା ସଂସ୍ପର୍ଶ ଠାବରୁ ଏହା ଜଣାଯାଇଛି ଯେ, ବିମାନରେ ସଂକ୍ରମଣ ବିରଳ ଏବଂ ଅଧିକାଂଶ ଅନୁଧ୍ୟାନରୁ ଏହା ଜଣାଯାଇଛି ଯେ ବିମାନ ଯାତ୍ରୀ ସୁପର ସ୍ପ୍ରେଡର ହେବାର ନଜିର ନାହିଁ।
ଏସବୁ ସତ୍ତ୍ବେ ଆବଶ୍ୟକ ନଥିଲେ ବିମାନରେ ଯାତ୍ରା ନକରିବାକୁ ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି। ବିଶେଷକରି ବୟସ୍କ ବ୍ୟକ୍ତି ଏବଂ ଜଟିଳ ରୋଗ ଥିବା ବ୍ୟକ୍ତିମାନେ ଯାତ୍ରା ନକରିଲେ ଭଲ। ବିମାନରେ ସଂକ୍ରମଣର ଆଶଙ୍କା ନଥିଲେ ମଧ୍ୟ ଗୋଟିଏ ସହରରୁ ଅନ୍ୟ ସହରକୁ ଯିବାଆସିବା କରିବା ଦ୍ବାରା ସଂକ୍ରମଣ ବ୍ୟାପିବା ସମ୍ଭାବନା ରହିଥାଏ।

ସ୍ବଚ୍ଛ ବାୟୁ ଚଳାଚଳ ବ୍ୟବସ୍ଥା
ବିମାନ ଗୁଡ଼ିକରେ ସ୍ବଚ୍ଛ ବାୟୁ ଚଳାଚଳ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଥାଏ। ଏବେ ଏଥିପାଇଁ ହେପା ବା ହାଇ ଏଫିସିଏନ୍ସି ପାର୍ଟିକୁଲେଟ୍‌ ଫିଲ୍‌ଟର୍‌ ବ୍ୟବହାର କରାଯାଉଛି। ଏହି ଫିଲ୍‌ଟର୍‌ ବ୍ୟବହାର ଯୋଗୁଁ ବିମାନ ଭିତରୁ ୯୯.୯ ପ୍ରତିଶତର ଛୋଟ ଛୋଟ କଣିବା, ଜୀବାଣୁ ଓ ଭୁତାଣୁକୁ ଦୂର କରାଯାଇ ପାରିଥାଏ। କେବିନରେ ୫୦ ପ୍ରତିଶତ ଶୁଦ୍ଧ ବାୟୁ ପ୍ରବେଶ କରିଥାଏ। ପ୍ରତି ୨ରୁ ୩ ମିନିଟରେ ଶୁଦ୍ଧ ବାୟୁ ବିମାନ ଭିତରକୁ ଆସିଥାଏ। ବିମା‌ନରେ ବାୟୁ ଚଳାଚଳ ସାମ୍ନାରୁ ପଛ ଆଡ଼କୁ ହୋଇ ନଥାଏ। ଏହା ବିମାନ ଛାତରୁ ତଳକୁ ହୋଇଥାଏ। ତେଣୁ ଆଗରେ ବସିଥିବା ବ୍ୟକ୍ତିର ଶ୍ବାସକ୍ରିୟାରୁ ବାହାରୁ ଥିବା ବାୟୁ ଦ୍ବାରା ପଛ ବ୍ୟକ୍ତିଙ୍କ ପାଇଁ ସଂକ୍ରମଣ ଆଶଙ୍କା କମ୍।

୧.ବିମାନ ବନ୍ଦର ଓ ବିମାନକୁ ସଫା ରଖିବା
ଅନ୍ତର୍ଜାତୀୟ ବିମାନ ପରିବହନ ସଂସ୍ଥା (ଆଇଏଟିଏ) ପକ୍ଷରୁ ଜାରି କରାଯାଇଥିବା ସଫା ସୁତୁରା ପଦକ୍ଷେପକୁ ଏୟାରଲାଇନ୍ସ ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କାର୍ଯ୍ୟକାରୀ କରୁଛନ୍ତି। ଶରୀରର ତାପମାତ୍ରା ମାପିବା, ମାସ୍କ ଓ ଅନ୍ୟାନ୍ୟ ବ୍ୟକ୍ତିଗତ ସୁରକ୍ଷା ସରଂଜାମ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। କେବଳ ଯାତ୍ରୀ ନୁହେଁ କର୍ମଚାରୀଙ୍କ ପାଇଁ ମଧ୍ୟ ଏହା ଲାଗୁ କରାଯାଇଛି। ସେହିଭଳି ବିନା ସଂସ୍ପର୍ଶରେ ଚେକ୍‌-ଇନ୍ ସୁବିଧା‌ ମଧ୍ୟ ଯୋଗାଇ ଦିଆଯାଉଛି।
୨. ନିୟମିତ ଚଟାଣ ବିଶୋଧନ
ଏୟାରଲାଇନ୍ସ ଗୁଡ଼ିକ ସେମାନଙ୍କ ଚେକ୍-ଇନ୍ ଅଞ୍ଚଳର ଚଟାଣକୁ ନିୟମିତ ଏବଂ ବାରମ୍ବାର ବିଶୋଧିତ କରୁଛନ୍ତି। ଏପରିକି କେତେକ ଏୟାରଲାଇନ୍ସ ଭିଡ଼କୁ ଏଡ଼ାଇବା ପାଇଁ ୱେବ୍ ଚେକ୍‌-ଇନ୍‌କୁ ବାଧ୍ୟତାମୂଳକ କରିଛନ୍ତି। କ୍ରିଉ ଓ ଅନ୍ୟ କର୍ମଚାରୀମାନଙ୍କର କରୋନା ପରୀକ୍ଷା ନିୟମିତ ବ୍ୟବଧାନରେ କରାଯାଉଛି। ସବୁ ସମୟରେ ପିପିଇ କିଟ୍ ପିନ୍ଧିବାକୁ ସେମାନଙ୍କୁ କୁହାଯାଇଛି।
୩.ନିୟମିତ ବିମାନ ବିଶୋଧନ
ବିମାନ ଗୁଡ଼ିକୁ କେବଳ ସଫା କରାଯାଉ ନାହିଁ; ସେଗୁଡ଼ିକୁ ବିଶୋଧିତ କରାଯାଉଛି। ପ୍ରତ୍ୟେକ ଉଡ଼ାଣ ପରେ ଏହା କରାଯାଉଛି। ଏପରିକି ସିଟ୍‌ଗୁଡ଼ିକୁ ଭଲଭାବେ ସଫା କରିବା ପାଇଁ ସ୍ପାଇସଜେଟ୍ ଭଳି କମ୍ପାନି ସିନ୍ଥେଟିକ୍ ଚମଡ଼ା ସିଟ ବିଛାଇଛନ୍ତି। ବିମାନ ବନ୍ଦରରେ ଚେକ୍‌-ଇନ୍ ଓ ବୋର୍ଡିଂ ଅଞ୍ଚଳକୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଚିହ୍ନ ମରାଯାଇଛି। ଏଥିସହିତ ଏୟାରଲାଇନ୍ସଗୁଡ଼ିକ ବିମାନ ଭିତରେ ପ୍ରବେଶ କରିବା ପାଇଁ ପ୍ରଥମେ ପଛପଟେ ସିଟ୍ ଥିବା ଯାତ୍ରୀମାନଙ୍କୁ ଆଗ ଅନୁମତି ପ୍ରଦାନ କରୁଛନ୍ତି। ଫଳରେ ବିମାନ ଭିତରେ ବସିବାକୁ ଯିବା ସମୟରେ ଗହଳି ହେଉନାହିଁ।
୪.ଡିଜିଟାଲ କାରବାର
ଦିଲ୍ଲୀ ଏବଂ ମୁମ୍ବାଇ ବିମାନ ବନ୍ଦରରେ ଯାତ୍ରୀ ଯିବା ଆସିବା କରିବା କିମ୍ବା ଅପେକ୍ଷା କରିବା ସମୟରେ ଜିନିଷ କିଣାକିଣି କରିବା ଲାଗି ଡିଜିଟାଲ କାରବାର କରିବାକୁ ପ୍ରୋତ୍ସାହିତ କରାଯାଉଛି। ଜିନିଷ ନେବା ଆଣିବା ପାଇଁ ବ୍ୟବହାର କରାଯାଉଥିବା ଟ୍ରଲିଗୁଡ଼ିକୁ ମଧ୍ୟ ନିୟମିତ ଭାବେ ବିଶୋଧିତ କରାଯାଉଛି। ବେଙ୍ଗାଲୁରୁ ବିମାନ ବନ୍ଦରରେ ସୂଚନା ଡେସ୍କରେ କର୍ମଚାରୀଙ୍କ ସହ କଥା ହେବା ପାଇଁ ଭିଡିଓ ବ୍ୟବସ୍ଥା କରାଯାଇଛି।

ବିମାନରେ ଯାତ୍ରା କରିବା ପୂର୍ବରୁ…
ୱେବ ଚେକ୍-ଇନ୍ ବାଧ୍ୟତାମୂଳକ କି?
ହଁ। ନୂଆ କୋଭିଡ ନିୟମାବଳି ଅନୁସାରେ ବିମାନ ଉଡ଼ାଣ ଆରମ୍ଭ କରିବାର ନିର୍ଦ୍ଧାରିତ ସମୟର ୭୨ ଘଣ୍ଟାରୁ ୬୦ ମିନିଟ ପୂର୍ବ ପର୍ଯ୍ୟନ୍ତ ୱେବ ଚେକ୍‌-ଇନ୍ କରାଯାଇ ପାରିବ। ସଂପୃକ୍ତ ଏୟାରଲାଇନ୍ସର ୱେବସାଇଟ୍‌ରୁ ୱେବ ଚେକ-ଇନ କରିହେବ।
ବ୍ୟାଗରେ ମାରିବା ପାଇଁ ଟ୍ୟାଗ ମିଳିବ କି?
ହଁ। ୱେବ ଚେକ୍-ଇନ୍‌ ପରେ ଏୟାରଲାଇନ ପକ୍ଷରୁ ଯାତ୍ରୀଙ୍କ ଇ-ମେଲ୍‌କୁ ଏକ ଟ୍ୟାଗ୍ ‌ପଠାଯିବ। ଯାତ୍ରୀମାନେ ସେହି ଟ୍ୟାଗ୍‌ର ପ୍ରିଣ୍ଟ୍‌ ବାହାର କରି ବ୍ୟାଗରେ ଲଗାଇ ପାରିବେ ଏବଂ ବ୍ୟାଗକୁ କାଉଣ୍ଟରରେ ଡ୍ରପ କରିପାରିବେ।
ବୋର୍ଡିଂ ପାସ୍ କେଉଁଠୁ ମିଳିବ?
ୱେବ ଚେକ୍‌-ଇନ୍ ପରେ ଏୟାରଲାଇନ ସଂପୃକ୍ତ ଯାତ୍ରୀଙ୍କ ମେଲ୍‌କୁ ଇ-ବୋ‌ର୍ଡିଂ ପାସ୍ ପଠାଇବ। ତାହାର ପ୍ରିଣ୍ଟ ବାହାର କରିପାରିବେ କିମ୍ବା ମୋବାଇଲ ଫୋନରେ ଦେଖାଇ ପାରିବେ।
ଆରୋଗ୍ୟ ସେତୁ ଆପ୍‌ର ଆବଶ୍ୟକତା ରହିଛି କି?
ବିମାନ ବନ୍ଦରରେ ପ୍ରବେଶ କରିବା ସମୟରେ ଯାତ୍ରୀଙ୍କୁ ଫାଟକରେ ତାଙ୍କ ସ୍ବାସ୍ଥ୍ୟ ସଂପର୍କିତ ସୂଚନାକୁ ଆରୋଗ୍ୟ ସେତୁ ଆପ୍‌ରେ ସୁରକ୍ଷା କର୍ମୀଙ୍କୁ ଦେଖାଇବାକୁ ପଡ଼ିବ। ଏଥିସହିତ ଇ-ବୋର୍ଡିଂ ପାସ୍‌ ମଧ୍ୟ ଦେଖାଇବାକୁ ହେବ। ସେଠାରେ ସୁରକ୍ଷା କର୍ମୀ ଯାତ୍ରୀଙ୍କର ତାପମାତ୍ରା ମାପିବେ।
ଶରୀରର ତାପମାତ୍ରା ଅଧିକ ଥିଲେ କ’ଣ ହେବ?
ଯଦି ଶରୀରର ତାପମାତ୍ରା ଅଧିକ ଥିବା ଥର୍ମାଲ ସ୍କ୍ରିନିଂରୁ ଜଣାପଡ଼େ ତାହେଲେ ବିମାନରେ ଯାତ୍ରା କରିବାକୁ ଅନୁମତି ମିଳିବ ନାହିଁ। ତେବେ ଯାତ୍ରୀ ତାଙ୍କ ଯାତ୍ରାକୁ ଅନ୍ୟ ତାରିଖକୁ ଘୁଞ୍ଚାଇ ପାରିବେ।
ବିମାନ ବନ୍ଦରରେ ଶୀଘ୍ର ପହଞ୍ଚିବା ଆବଶ୍ୟକ କି?
ବିମାନ ଉଡ଼ାଣ ସମୟର ୨ରୁ ୩ ଘଣ୍ଟା ପୂର୍ବରୁ ବିମାନ ବନ୍ଦରରେ ପହଞ୍ଚି ଗଲେ ଭଲ।
କ’ଣ ସବୁ ସତର୍କତାମୂଳକ ପଦକ୍ଷେପ ନେବା ଆବଶ୍ୟକ?
ସବୁ ସମୟରେ ମାସ୍କ ପିନ୍ଧନ୍ତୁ। ସାଥୀରେ ହ୍ୟାଣ୍ଡ ସାନିଟାଇଜର ନେଇ ବାରମ୍ବାର ହାତ ସଫା କରନ୍ତୁ। ପାଟି, ନାକ ଏବଂ ମୁହଁକୁ ହାତରେ ଛୁଅନ୍ତୁ ନାହିଁ। ସାମାଜିକ ଦୂରତା ବଜାୟ ରଖନ୍ତୁ। ଚଟାଣ, ହ୍ୟାଣ୍ଡେଲ ଆଦି ନ ଛୁଇଁବାକୁ ଯଥାସମ୍ଭବ ଚେଷ୍ଟା କରନ୍ତୁ। ଯାତ୍ରୀଙ୍କୁ କିଛି ସୁରକ୍ଷା ସରଂଜାମ ଦିଆଯାଉଛି କି?
ଅଧିକାଂଶ ଏୟାରଲାଇନ୍ସ ଯାତ୍ରୀଙ୍କୁ ଫେସମାସ୍କ, ଫେସସିଲ୍‌ଡ ଏବଂ ହ୍ୟାଣ୍ଡ ସାନିଟାଇଜର ଆଦି ପ୍ରଦାନ କରୁଛନ୍ତି। ମଝି ସିଟ୍‌ରେ ବସୁଥିବା ଯାତ୍ରୀଙ୍କୁ ପିପିଇ କିଟ୍ ପ୍ରଦାନ କରାଯାଉଛି।

 

ସମ୍ବନ୍ଧିତ ଖବର