ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍ ମିସ୍ତ୍ରୀଙ୍କ ମୃତ୍ୟୁ ପରେ ଏୟାରବ୍ୟାଗ୍କୁ ନେଇ ସରକାର କଠୋର ଆଭିମୁଖ୍ୟ ପୋଷଣ କରିଛନ୍ତି। କାର୍ ପାଇଁ ୬ ଏୟାରବ୍ୟାଗ୍ ନୀତିକୁ ବାଧ୍ୟତାମୂଳକ କରିବା ଉପରେ ବିଚାର କରାଯାଉଛି। ଏଥିପାଇଁ ଯେଉଁ ଏୟାରବ୍ୟାଗ୍ର ଆବଶ୍ୟକତା ରହିଛି ତାହା ପୂରଣ କରିବା ଲାଗି କଂପାନିଗୁଡ଼ିକ ପ୍ରସ୍ତୁତ ହୋଇଯାଇଛନ୍ତି। ଆଗାମୀ ଦିନରେ ଏହାର ଉତ୍ପାଦନରେ ୩-୪ ଗୁଣା ବୃଦ୍ଧି ହେବା ଆଶା କରାଯାଉଛି। ବର୍ତ୍ତମାନ ଏୟାରବ୍ୟାଗ୍ ଉତ୍ପାଦନ ୫-୬ ନିୟୁତ ମଧ୍ୟରେ ସୀମିତ ରହିଛି। ଆଗାମୀ ଦିନରେ ତାହା ୨୫ ନିୟୁତ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ସେହି ସମୟ ଭିତରେ ଏୟାରବ୍ୟାଗ୍ ଶିଳ୍ପର ପରିମାଣ ଆସନ୍ତା ୧୨-୧୮ ମାସ ଭିତରେ ବର୍ତ୍ତମାନର ୫୦୦ ନିୟୁତ ଡଲାରରୁ ବୃଦ୍ଧି ପାଇ ୧୨୫ କୋଟି ଡଲାରରେ ପହଞ୍ଚିବ। ବିଶ୍ବର ପ୍ରମୁଖ ଏୟାରବ୍ୟାଗ୍ ନିର୍ମାତା ଯଥା ଅଟୋଲିଭ୍, ଜେଏଫ୍ ଓ ଜୟସନ୍ ପକ୍ଷରୁ ଭାରତର ଆବଶ୍ୟକତା ପୂରଣ କରିବା ଲାଗି ଏୟାରବ୍ୟାଗ୍ ଉତ୍ପାଦନ ବଢ଼ାଇବା ବିଷୟରେ ବିଚାର କରାଯାଉଛି।
ଜୟସନ୍ର ଏମ୍ଡି ମହେନ୍ଦ୍ର ରାୱତ କହିଛନ୍ତି ଯେ ଆମେ ଭାରତୀୟ ମୂଲ୍ୟରେ ବିଶ୍ବସ୍ତରୀୟ ଏୟାରବ୍ୟାଗ୍ ପ୍ରଦାନ କରିବାକୁ ପ୍ରସ୍ତୁତ। ଆସନ୍ତା ତିନି ବର୍ଷରେ ଆମେ ଉତ୍ପାଦନ କ୍ଷମତାକୁ ୧୦ ଗୁଣା ବଢ଼ାଇ ୫ ନିୟୁତରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖିଛୁ। କଂପାନି ଭାରତରେ ଏକ ନୂଆ କାରଖାନା ସ୍ଥାପନ କରିବା ଲାଗି ମଧ୍ୟ ଯୋଜନା ପ୍ରସ୍ତୁତ କରିଛି। କଂପାନି ଦେଶ ଭିତରେ ମିଳୁଥିବା ୮୦ ପ୍ରତିଶତ କଞ୍ଚାମାଲକୁ ବ୍ୟବହାର କରି ସିଟ୍ବେଲ୍ଟ ନିର୍ମାଣ କରୁଛି। ଏୟାରବ୍ୟାଗ୍ର ୧୦୦ ପ୍ରତିଶତ କଞ୍ଚାମାଲକୁ କଂପାନି ଦେଶ ଭିତରୁ ଯୋଗାଡ଼ କରିବ ଯାହା ବର୍ତ୍ତମାନ ୬୦ ପ୍ରତିଶତ ସ୍ତରରେ ରହିଛି। ସ୍ଥାନୀୟ ଭାବେ ଉପଲବ୍ଧ ହେଉଥିବା କଞ୍ଚାମାଲକୁ ବ୍ୟବହାର କରି କଂପାନିଗୁଡ଼ିକ ଏୟାରବ୍ୟାଗ୍ ଦାମ୍ କମ୍ ରଖିବା ଉପରେ ବିଚାର କରୁଛନ୍ତି। ଜେଏଫ୍ର ଭାରତ ମୁଖ୍ୟ ହୋଲ୍ଗର କ୍ଲେନ୍ କହିଛନ୍ତି ଯେ ବର୍ତ୍ତମାନ ୬୦ ପ୍ରତିଶତ ସ୍ଥାନୀୟ ସାମଗ୍ରୀ ଏବଂ ଇନଫ୍ଲେଟର ଓ ଫ୍ୟାବ୍ରିକ୍ ଆମଦାନି କରି ପ୍ରସ୍ତୁତ କରାଯାଉଥିବା ୬ଟି ଏୟାରବ୍ୟାଗ୍ର ଦାମ୍ ୮-୧୦ ହଜାର ଟଙ୍କା ମଧ୍ୟରେ ରହୁଛି। ଯଦି ଇନଫ୍ଲେଟର ଓ ଫ୍ୟାବ୍ରିକ୍କୁ ଦେଶ ଭିତରୁ ଯୋଗାଡ଼ କରାଯାଇପାରିବ ତେବେ ଏୟାରବ୍ୟାଗ୍ ମୂଲ୍ୟ ଆହୁରି ହ୍ରାସ ପାଇବ। କଂପାନି ଏହାର ଉତ୍ପାଦନ କ୍ଷମତା ବଢ଼ାଇବାରେ ୩୦୦ କୋଟି ଟଙ୍କା ନିବେଶ କରିବାକୁ ଯୋଜନା ରଖିଛି। ଏବେ ଗାଡ଼ିରେ ଲାଗୁଥିବା ସାଧାରଣ ସିଟ୍ବେଲ୍ଟ ଦାମ୍ ୨୦୦ ଟଙ୍କା ପାଖାପାଖି ରହୁଛି। ପ୍ରି-ଟେନ୍ସନ୍ ସିଟ୍ ବେଲ୍ଟ ୧୫୦୦ ଟଙ୍କାରେ ମିଳିଯିବ ବୋଲି ସେ କହିଛନ୍ତି।